ନୂଆଦିଲ୍ଲୀ,୧୪/୧୦:  ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ । ୨-୦ରେ ଟିମ୍ ଇଣ୍ଡିଆର ଶୃଙ୍ଖଳା ବିଜୟ । ଦ୍ବିତୀୟ ଟେଷ୍ଟକୁ ୭ ଓ୍ବିକେଟ୍ ଜିତିଲା ଭାରତ । ପଞ୍ଚମ ଦିନରେ ୧୨୧ ରନ୍‌ର ଟାର୍ଗେଟକୁ ପିଛା କାରବିୟାନ ଦଳକୁ ପରାସ୍ତ କରିଛି ଶୁବମନ ସେନା । ଏହି ବିଜୟ ସହିତ ସିରିଜ୍ କବଜା କରିଛି ଦଳ । ​​​​​​​

​​​​​​​ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଏବଂ ଅନ୍ତିମ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌କୁ ୭ ୱିକେଟରେ ଜିତି ନେଇଛି । ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ଦଳ ୨-୦ରେ ସିରିଜ୍ ପରାସ୍ତ ହୋଇଛି । ଦ୍ୱିତୀୟ ଇନିଂସରେ କେଏଲ ରାହୁଲ ଅର୍ଦ୍ଧଶତକ ହାସଲ କରିଛନ୍ତି । ଭାରତ ସମ୍ମୁଖରେ ୧୨୧ ରନର ଟାର୍ଗେଟ୍ ରହିଥିଲା । ଯାହାକୁ ଟିମ୍ ଇଣ୍ଡିଆ ୩ ୱିକେଟ୍ ହରାଇ ସହଜରେ ହାସଲ କରିଛି । ଫଲୋଅନ୍ ସତ୍ତ୍ୱେ ଦ୍ବିତୀୟ ଟେଷ୍ଟ ପଞ୍ଚମ ଦିନ ପର୍ଯ୍ୟନ୍ତ ଯାଇଥିଲା । ଯାହା ଫଳରେ ଭାରତକୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ପଡ଼ିଥିଲା । ଦ୍ବିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍ ଦଳ ୨୭୦ରନ୍‌ର ଟ୍ରାଏଲକୁ ପୂରଣ କରି ୩୯୦ ରନ୍ କରିଥିଲା । ଜନ୍ କ୍ୟାମ୍ପବେଲ୍ ଏବଂ ସାଇ ହୋପ୍‌ ଚମତ୍କାର ଶତକୀୟ ଇନିଂସ ଖେଳିଥିଲେ । ଏହା ପରେ ଟିମ୍ ଇଣ୍ଡିଆ ଦ୍ବିତୀୟ ଇନିଂସରେ ୧୨୧ରନ୍‌ର ଟାର୍ଗେଟ୍‌କୁ ସହଜରେ ଜିତି ନେଇଛି । ଏହା ସହିତ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସ ପଏଣ୍ଟ ଟେବୁଲରେ ଉପରକୁ ଉଠିଛି ।

ଦିଲ୍ଲୀ ଦ୍ବିତୀୟ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସରେ ପଡ଼ିଆକୁ ଓହ୍ଲାଇଥିଲେ ଯସଶ୍ବୀ ଜୈସ୍ବାଲ ଏବଂ କେଏଲ ରାହୁଲ । ୫୮ରନରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ରାହୁଲ ମାତ୍ର ୩୮ ରନ କରି ଓ୍ବାରିକାନଙ୍କ ଶିକାର ହୋଇଥିଲା । ଏହା ପରେ ଜୈସ୍ବଲଙ୍କୁ ସାଥ୍ ଦେବାକୁ ଆସିଖିଲେ ସାଇ ସୁଦର୍ଶନ । ଉଭୟ ଭାଗିଦାରୀ ଶତକୀୟ ଇନିଂସ ଖେଳିଥିଲେ । ଦ୍ବିତୀୟ ଓ୍ବିକେଟରେ ସାଇ ସୁଦର୍ଶନ ୮୭ ରନ୍ କରି ଆଉଟ୍ ହୋଇଥିଲେ । ସେ ମଧ୍ୟ ଓ୍ବାରିକାନ ଶିକାର ହୋଇଥିଲା । ଏହାରି ଭିତରେ ଯସଶ୍ବୀ ଜୈସ୍ବାଲ ଅଧିନାୟକ ନାୟକ ଶୁବମନ ଗିଲଙ୍କ ସହ ମିଶି ନିଜର ସପ୍ତମ ସେଞ୍ଚୁରୀ ମାରିଥିଲେ । ଜୈସ୍ବଲ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୭୫ ରନ୍‌ର ବିଶାଳ ଇନିଂସ ଖେଳିଥିଲେ । ସେ ରନ ଆଉଟ୍ ହୋଇ ପାଭେଲିୟନକୁ ଫେରିବା ପରେ ତାଙ୍କ ସ୍ଥାନରେ ଆସିଥିଲେ ନିତିଶ ରେଡ୍ଡି । କ୍ୟାପଟେନ ନିତିଶଙ୍କ ସହ ମିଶି ନିଜର ଶତକ ପୂରଣ କରିଥିଲେ । ପରେ ନିତିଶ ରେଡ୍ଡି ୪୩ ରନ କରି ଆଉଟ୍ ହୋଇଥିଲା  । ଏହାପରେ ଓ୍ବିକେଟ୍ କିପର ବ୍ୟାଟର ଧ୍ରୁବ ଜୁରେଲ୍ ପାଳି ସମ୍ଭାଳିଥିଲେ । ସେ ୪୪ ରନ କରି ଆଉଟ୍ ହେବା ପରେ ଟିମ୍ ଇଣ୍ଡିଆ ୫୧୮ ରନ୍‌ କରି ପାଳି ଘୋଷଣା କରିଥିଲା । ଫଳରେ ଅଧିନାୟକ ଶୁବମନ ଗିଲ ୧୨୯ ରନ୍ କରି ଅପରାଜିତ ରହିଥିଲେ । ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ ଓ୍ବାରିକାନ ସର୍ବାଧିକ ୩ ଓ୍ବିକେଟ୍ ନେଇଥିବା ବେଳେ ଅଧିକନାୟକ ରୋଷ୍ଟନ ଚେସଙ୍କୁ ଗୋଟିଏ ଓ୍ବିକେଟ୍ ମିଳିଥିଲା ।

ସେପଟେ ଟିମ୍ ଇଣ୍ଡିଆର ବିଶାଳ ସ୍କୋରକୁ ପିଛା କରିବାକୁ ପଡ଼ିଆ ଓହ୍ଲାଇଥିଲା ଓ୍ବେଷ୍ଟଇଣ୍ଡିଜ୍ ଦଳ । ପ୍ରଥମ ଇନିଂସରେ ଟାସ୍‌ର ଘର ପରି ଭୁଶୁଡ଼ି ପଡ଼ିଥିଲା କାରବିୟାନ ଦଳ ବ୍ୟାଟିଂ ଲାଇନ୍ ଅପ୍ । ସ୍ପିନ୍ ଜାଲରେ ଗୋଟିଏ ପରେ ଗୋଟିଏ ବ୍ୟାଟର ପଡ଼ିଥିଲେ । କୌଣସି ବ୍ୟାଟର ଅର୍ଦ୍ଧଶତକ ଛୁଇଁ ପାରିନଥିଲେ । ମାତ୍ର ୨୪୮ ରନ୍‌ କରି ଅଲଆଉଟ୍ ହୋଇଥିଲା ଦଳ । ଅଲିକ୍ ଆଥାନାଜେ ସର୍ବାଧିକ ୪୧ ରନ କରିଥିଲେ । ଫଳରେ ଓ୍ବେଷ୍ଟଇଣ୍ଡିଜ୍ ଦଳ ଫଲୋ-ଅନ୍‌ରେ ପଡ଼ିଥିଲା । ସେହିପରି ଟିମ୍ ଇଣ୍ଡିଆ ପକ୍ଷରୁ କୁଳଦୀପ ଯାଦବଙ୍କୁ ୫ ଓ୍ବିକେଟ ଅକ୍ତିଆର୍ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜାଙ୍କୁ ତିନୋଟି ଓ୍ବିକେଟ୍ ମିଳିଛି । ସେହିପରି ବୁମରା ଏବଂ ସିରାଜ୍ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ । ଫଲୋ-ଅନ୍ ଖାଇବା ପରେ ପୁଣି ଥରେ ବ୍ୟାଟିଂ ଆରମ୍ଭ କରିଥିଲା ଓ୍ବେଷ୍ଟ ଇଣ୍ଡିଜ୍ । ଦ୍ବିତୀୟ ଇନିଂସରେ ଓପନର ଜନ୍ କ୍ୟାମ୍ପବେଲ୍ ଏବଂ ସାଇ ହୋପ୍ ଲଢ଼ୁଆ ବ୍ୟାଟିଂ କରିଥିଲେ । ଜନ୍ କ୍ୟାମ୍ପବେଲ୍ ୧୧୫ ରନ ଏବଂ  ହୋପ୍ ୧୦୩ର ଶତକୀୟ ଇନିଂସ ଖେଳିଥିଲେ । ଏହାପରେ ଅଧିନାୟକ ରୋଷ୍ଟନ ଚେସ୍ ୪୦ ରନ ପାଳି ଏବଂ ଜଷ୍ଟିନ୍ ଗ୍ରେଭ୍ସ ଅର୍ଦ୍ଧଶତକୀୟ ମାରିଥିଲେ । ଫଳରେ କାରବିୟାନ ଦଳ ଟିମ୍ ଇଣ୍ଡିଆର ୨୭୦ ରନ ଲିଡ୍‌କୁ ପାର୍ କରି ୩୯୦ ରନ୍ କରିବାରେ ସକ୍ଷମ ହୋଇଥିଲା । ଯାହାଫଳରେ ଭାରତ ସାମ୍ନାରେ ମ୍ୟାଚ୍ ଜିତିବାକୁ ୧୨୧ ରନର ଟାର୍ଗେଟ୍ ରହିଥିଲା । ଯାହାକୁ ୩ ଓ୍ବିକେଟ୍ ହରାଇ ଜିତି ନେଇଛି ଟମ୍ ଇଣ୍ଡିଆ । କୁଳଦୀପ ଯାଦବ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ରବୀନ୍ଦ୍ର ଜାଡେଜା ପ୍ଲେୟାର ଅଫ ଦି ସିରିଜ୍ ହୋଇଛନ୍ତି ।  ​​​​​​​