ନୂଆଦିଲ୍ଲୀ,୧୮/୯ : ଉତ୍ତରପ୍ରଦେଶର ଗାଜିଆବାଦ ଥାନା ସିହାନି ଗେଟ୍ ସ୍ଥିତ ଲୋହିଆ ନଗରରୁ ଆସିଛି ଏକ ଛାତିଥରା ଦୃଶ୍ୟ । ଏକ ଦ୍ରୁତଗାମୀ ଥର୍ ରାସ୍ତା ପାର୍ ହେବା ସମୟରେ ମହିଳାଙ୍କୁ ଟକ୍କର ଦେଇଥିଲା । ଯାହା ଦ୍ବାରା ସେ ଗମ୍ଭୀର ରୂପରେ ଆହତ ହୋଇଥିଲେ । ଦୁର୍ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଉଛି ଯେ, ଜଣେ ମହିଳା ରାସ୍ତା କଡ଼ରେ ଚାଲୁଥିଲେ । ଠିକ୍ ଏହି ସମୟରେ ଏକ ଦ୍ରୁତଗାମୀ ଥର୍ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ, ମହିଳା ଜଣଙ୍କ ଗାଡ଼ିର ବନେଟ ଆଗରେ ପଡ଼ି ଯାଇଥିଲେ।

ପୋଲିସର କହିବା ଅନୁସାରେ ଦୁର୍ଘଟଣା ପରେ ଥର ଡ୍ରାଇଭର ଗାଡିଟି ସହିତ ଫେରାର ହୋଇଯାଇଛି । ପୋଲିସ ଥର ଏବଂ ଏହାର ଡ୍ରାଇଭରଙ୍କୁ ଖୋଜୁଛି । ମାତ୍ର ମହିଳାଙ୍କ ପରିବାର ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରିସାରିଛନ୍ତି । ପୋଲିସ କହିଛି ଯେ, ସେମାନେ ନିଜେ ଗାଡି ଖୋଜୁଛନ୍ତି। ମହିଳାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।