ବାରଙ୍ଗ ୨୭/୧୦:  ସାମୁଦ୍ରିକ ଝଡ଼ "ମୋନ୍‌ଥା ' ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଅଧିକ ପ୍ରଭାବିତ କରିବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୮ ତାରିଖ ରାତି ସୁଧା ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରାଯାଉଛି । ତେଣୁ ବାତ୍ୟା ମୋନ୍‌ଥାମୁକାବିଲା  ପାଇଁ କଟକ ମୁଣ୍ଡଳୀ ସ୍ଥିତ ଏନ୍‌ଡିଆରଏଫ କ୍ୟାମ୍ପରୁ ରବିବାର ମଧ୍ୟାହ୍ନରେ ୩ଟି ଟିମ୍‌ ଆନ୍ଧ୍ରପ୍ରଦେଶର ଦୁଇଟି ସ୍ଥାନକୁ ଯାଇଛନ୍ତି । ଗୋଟିଏ ଟିମ୍‌ ଶ୍ରୀକାକୁଲମ ଓ ଦୁଇଟି ଟିମ୍ ଭାଇଜାକ ବାହାରିଛନ୍ତି । ଗୋଟିଏ ଟିମରେ ୩ଜଣ  ଅଫିସରଙ୍କ ସହିତ ୩୨ଜଣ ଯବାନ ଅଛନ୍ତି । ଆବଶ୍ୟକ ପଡ଼ିଲେ ଅଧିକ ଟିମ୍‌ ନିୟୋଜିତ ହେବେ ବୋଲି ଏନ୍‌ଡିଆରଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

​​​​​​​ବଙ୍ଗୋପସାଗରରେ ବାତ୍ୟା 'ମୋନ୍‌ଥା' ବଳ ଗୋଟାଉଛି। ଏବେ କାକିନାଡ଼ା ଠାରୁ ୬୮୦ କିମି ଦୂରରେ ରହିଛି । ଏହା ଘଣ୍ଟା ପ୍ରତି ୧୬ କିମି ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି । ଆଗାମୀ ୧୨ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । ମଙ୍ଗଳବାର ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ 'ମୋନ୍‌ଥା' । ମଙ୍ଗଳବାର ସଂଧ୍ୟା କିମ୍ବା ରାତିରେ ଏହା ଲ୍ୟାଣ୍ଡଫଲ କରିବ । ଏହା ପରେ ମଛଲିପଟନମ ଓ କଳିଙ୍ଗପଟନମ୍ ମଝି କାକିନାଡ଼ା ଦେଇ ଅତିକ୍ରମ କରିବ । ତେବେ ଲ୍ୟାଣ୍ଡଫଲ୍ ସମୟରେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ବୋଲି ସୂଚନା ମିଳିଛି ।