ରେଢ଼ାଖୋଲ/ବଡ଼ମାଳ, ୨୧।୧୦ : ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ କଲରାପତରିଆ ଆତଙ୍କ। ସୋମବାର କଲରାପତରିଆ ବାଘ ଏକ ବଳଦକୁ ଟାଣି ନେଇଛି। ରେଢ଼ାଖୋଲ ବନଖଣ୍ଡ ତଥା ସେହି ରେଞ୍ଜର ବନ୍ତଲେଇ ଗାଁରେ ଏହି ଘଟଣା ଘଟିଛି। ଏନେଇ ରେଢ଼ାଖୋଲ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ସୋମବାର ବନ୍ତଲେଇ ଗାଁର ଗୋପୀନାଥ ବେହେରା ଗୋରୁ ଚରାଇବାକୁ ନିକଟ ଗ୍ରାମ୍ୟ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଏକ କଲରାପତରିଆ ଗୋଟିଏ ବଳଦ ଉପରେ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ହିଁ ବଳଦର ମୃତ୍ୟୁ ହୋଇଛି। ଏନେଇ ବନ ବିଭାଗକୁ ସୂଚନା ଦିଆଯିବା ପରେ ବନ କର୍ମଚାରୀ ପହଞ୍ଚି ମୃତ ବଳଦର ବ୍ୟବଚ୍ଛେଦ କରାଇଛନ୍ତି। କଲରାପତରିଆ ଆକ୍ରମଣରେ ବଳଦର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୃତ ବଳଦ ମାଲିକଙ୍କୁ କ୍ଷତିପୂରଣ ବାବଦକୁ ୩୫ ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଛି।
ଏପଟେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ବାଘ ବୁଲୁଥିବା ଅଭିଯୋଗ ହୋଇଥିଲା। କିନ୍ତୁ କୌଣସି କ୍ଷୟକ୍ଷତି ହୋଇନଥିଲା। ହେଲେ ଏବେ କଲରାପତରିଆ ଆକ୍ରମଣରେ ବଳଦର ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକ ଭୟରେ ରହୁଛନ୍ତି। ଅନ୍ୟପଟେ ବନବିଭାଗ କର୍ମଚାରୀଙ୍କ ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରେ କିଛି କଲରାପତରିଆ ଓ ହେଟା ବାଘ ଅଛନ୍ତି। ମହାବଳ ଥିବାର କୌଣସି ସୂଚନା ନାହିଁ। ଏନେଇ ଲୋକଙ୍କୁ ଭୟଭୀତ ହେବାର ନାହିଁ ବୋଲି ବନ ବିଭାଗ କହିଛି।