ପୁରୀ/ରାମଚଣ୍ଡୀ, ୭/୧୧: ସାମୁଦ୍ରିକ ପ୍ରାକୃତିକ ପରିବେଶକୁ ନିୟନ୍ତ୍ରଣରେ ରଖିବାରେ ବେଶ ସହାୟକ ସାମୁଦ୍ରିକ କଇଁଛମାନଙ୍କ ସୁରକ୍ଷା ଏବେ ବିପଦରେ । ପ୍ରଜନନ ଋତୁ ଚାଲିଥିବାରୁ ବଙ୍ଗୋପମହାସାଗରର ହଜାର ହଜାର ନଟିକାଲ ମାଇଲି ଅତିକ୍ରମ କରି ଓଡ଼ିଶାର ବିସ୍ତୀର୍ଣ୍ଣ ବେଳାଭୂମିକୁ କଇଁଛମାନେ ଅଣ୍ଡାଦେବାକୁ ପହଞ୍ଚିଲେଣି । ହେଲେ ଏପର୍ଯ୍ୟନ୍ତ ପୁରୀ ସାମୁଦ୍ରିକ ଅଭୟାରଣ୍ୟ ବେଳାଭୂମିରେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରିଲାନି । ପୁରୀର ୨୦ କିଲୋମିଟର ମାଛ ଧରା ନିଷିଦ୍ଧାଞ୍ଚଳରେ ରହିଥିବା କୋଣାର୍କ ଓ ଅସ୍ତରଙ୍ଗ ସମୁଦ୍ରକୂଳ ନିକଟରେ ବହୁ ମେସିନ୍ଚାଳିତ ଡଙ୍ଗା ଏବଂ ଟ୍ରଲର ମାଛ ମାରୁଥିବା ଦେଖିବାକୁ ମିଳୁଛି । ଏହି ମୃତ୍ୟୁ ଯନ୍ତାଗୁଡ଼ିକର ପଙ୍ଖା ମାଡ଼ରେ କଇଁଛମାନେ ମରୁଥିବାରୁ ସେମାନଙ୍କ ମୃତଦେହ ବେଳାଭୂମିରେ ଲାଗୁଛି । ସେହିପରି ବିଶାଳ ବେଳାଭୂମିରେ ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ଆବର୍ଜନା ପଡ଼ି ରହିଛି । ପାଟ୍ରୋଲିଂ ଟିମ୍ ଏପର୍ଯ୍ୟନ୍ତ ପାଟ୍ରୋଲିଂ ଆରମ୍ଭ କରିନାହାନ୍ତି । ଯାହା ପରିବେଶବିତ୍ଙ୍କ ମହଲରେ ଉଦ୍ବେଗର କାରଣ ହୋଇଛି ।
ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସମୁଦ୍ର ଉପକୂଳକୁ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରି ନଭେମ୍ବର ଠାରୁ ମେ ମାସ ପର୍ଯ୍ୟନ୍ତ ଟ୍ରଲର ଓ ମେସିନ୍ ଚାଳିତ ଡଙ୍ଗା ଚଳାଚଳରେ କଟକଣା ଲଗାଇଛନ୍ତି । ଯେଉଁ ସୁରକ୍ଷିତ ସୀମା ଭିତରେ ରହିଛି ପୁରୀ ଜିଲ୍ଲା ଅନ୍ତର୍ଗତ ସମୁଦ୍ରକୂଳ । ସାମୁଦ୍ରିକ ମତ୍ସ୍ୟ ବିଭାଗ, ଜଙ୍ଗଲ ବିଭାଗ, ସାମୁଦ୍ରିକ ଥାନା ଓ କୋଷ୍ଟ୍ ଗାର୍ଡମାନଙ୍କୁ ମିଳିତ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ୪ଭିତରେ ନିୟମ ଉଲ୍ଲଂଘନକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏହି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ରହିଛି । କିନ୍ତୁ ତାହା ପ୍ରକୃତରେ କାର୍ଯ୍ୟକାରୀ ହେଉନାହିଁ । ଏ ବିଷୟରେ ସାମୁଦ୍ରିକ କଇଁଛମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ କାମ କରୁଥିବା ପ୍ରକୃତିବନ୍ଧୁ ସରୋଜ କୁମାର ଜେନା କହିଛନ୍ତି, କଇଁଛଙ୍କ ପ୍ରଜନନ ଋତୁ ସମୟରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନଭେମ୍ବର ୧ରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ଅସ୍ତରଙ୍ଗର କେଳୁଣୀ ମୁହାଣଠାରୁ ଦେବୀ ନାଶୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ରକୂଳକୁ ସୁରକ୍ଷା ଦିଆଯିବା କଥା । ଏଥିପାଇଁ କେଳୁଣୀ ମୁହାଁଣ ଠାରୁ ୫ କିମି ଦୂରତା ଅନ୍ତର୍ଗତ ସମୁଦ୍ରରେ ସମସ୍ତ ପ୍ରକାର କାର୍ଯ୍ୟ ନିଷିଦ୍ଧ । ସମୁଦ୍ରକୂଳରେ କଇଁଛଙ୍କୁ ଭୟଭୀତ ନ କରିବା ଭଳି ଉଚ୍ଚ ଡାକବାଜି ଶବ୍ଦ ଓ ଲୋକଙ୍କ ଅନୁପ୍ରବେଶ ବନ୍ଦ ହେବା କଥା । କୂଳ ନିକଟରୁ ସମୁଦ୍ର ଭିତରେ ମେସିନ୍ ଚାଳିତ ଡଙ୍ଗା ଓ ଟ୍ରଲରମାନଙ୍କୁ ମାଛ ଧରିବାରେ ବାରଣ ରହିଛି । ପ୍ରଜନନ ଋତୁ ପୂର୍ବରୁ ସମସ୍ତ ବେଳାଭୂମିକୁ ସଫା ରଖିବାର ନିୟମ ରହିଛି । ମାତ୍ର ଦୈନିକ ମାଳମାଳ ଟ୍ରଲର ସମୁଦ୍ର କୂଳ ନିକଟ ଜଳରାଶିରେ ମାଛ ଧରୁଛନ୍ତି । ସେମାନଙ୍କ ଉପରେ ଲଗାମ ଲାଗୁନି । ଏପର୍ଯ୍ୟନ୍ତ କଇଁଛମାନେ ଗଣଅଣ୍ଡାଦାନ କରୁଥିବା ବେଳାଭୂମି ସଫା ହୋଇନାହିଁ କିମ୍ବା ଅଣ୍ଡା ଗୋଟାଇବା ପାଇଁ କର୍ମଚାରୀ ଯାଉନାହାନ୍ତି ।
କେଳୁଣୀ ମୁହାଣ ନିକଟ ୩ଟି ସ୍ଥାନରେ କଇଁଛମାନେ ଗଣଅଣ୍ଡାଦାନ କରିଛନ୍ତି । ମାତ୍ର ବନ ବିଭାଗ ଏହାର ସୁରକ୍ଷା କଥା ଚିନ୍ତା କରୁନି । ବନାଞ୍ଚଳ ଅଧିକାରୀଙ୍କୁ ପଚାରିଲେ ଆମ ପାଖରେ ଟଙ୍କା ନାହିଁ, ଉପରୁ ଏବାବଦ ଟଙ୍କା ଆସିନି, ଆସିଲା ପରେ ଚିନ୍ତା କରାଯିବ ବୋଲି ଉତ୍ତର ମିଳୁଛି । ଏଭଳି ଉତ୍ତର ମିଳିବା ଦୁଃଖର ବିଷୟ ବୋଲି ଶ୍ରୀ ଜେନା କହିଛନ୍ତି । ଏନେଇ ପୁରୀ ବନଖଣ୍ଡ କାର୍ଯ୍ୟାଳୟ ଏସିଏଫ୍ ସମ୍ବିତ୍ ପଣ୍ଡା କହିଛନ୍ତି, ନିର୍ଦ୍ଧାରିତ ଅଞ୍ଚଳରେ କଇଁଛଙ୍କ ସୁରକ୍ଷା ନିମନ୍ତେ ସମସ୍ତ ବିଭାଗର ସମନ୍ୱୟ ବୈଠକ ସରିଛି । କଇଁଛ ସୁରକ୍ଷା ନେଇ ତାଲିମ ମଧ୍ୟ ଦିଆଯାଇଛି । ଖୁବ୍ଶୀଘ୍ର ନିର୍ଦ୍ଧାରିତ ସ୍ଥାନରେ କଇଁଛ ଅଣ୍ଡା ସୁରକ୍ଷା ନିମନ୍ତେ ହାଚେରି କରାଯିବ । ଅଟେଣ୍ଡାଣ୍ଟମାନଙ୍କୁ କ୍ୟାମ୍ପଗୁଡ଼ିକର ମୁତୟନ କରାଯାଉଛି । ସେମାନେ ସମୁଦ୍ରକୂଳରେ ବୁଲି ବେଳାଭୂମି ସଫା କରିବା ସହ ଅଣ୍ଡା ସଂଗ୍ରହ କରି ହାଚେରିକୁ ଆଣିବେ । ସାମୁଦ୍ରିକ କଇଁଛମାନେ ବିଶେଷ ଭାବେ ଡିସେମ୍ବର ଓ ଜାନୁଆରୀ ଦୁଇ ମାସ ଧରି ଅଧିକ ସଂଖ୍ୟାରେ ଆସନ୍ତି । ଏବେ କାଁ ଭାଁ ଆସୁଛନ୍ତି । ତଥାପି ସେମାନଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆଯାଉଛି । ପାଟ୍ରୋଲିଂ କରି ନିଷିଦ୍ଧାଞ୍ଚଳରେ ମାଛ ଧରୁଥିବା ମେସିନ୍ଚାଳିତ ବୋଟ ଓ ଟ୍ରଲରଗୁଡ଼ିକ ଧରିବା ପାଇଁ ପ୍ରଶାସନ ପକ୍ଷରୁ ଟ୍ରଲର ନିୟୋଜିତ କରାଯିବ । ଏନେଇ ଟେଣ୍ଡର ହୋଇଛି । ଏହି ପ୍ରାଣୀ ସିଡୁଲ-୧ ଶ୍ରେଣୀରେ ଆସୁଥିବାରୁ ସେମାନଙ୍କ ସୁରକ୍ଷା ନିମନ୍ତେ ପ୍ରଯତ୍ନ କରାଯାଉଛି ।
ଗତବର୍ଷ ବେଆଇନ ଟ୍ରଲର ଚଳାଉଥିବା ୬ଟି ମାମଲା ହୋଇଥିଲା । ଗତ ବର୍ଷ ଭଳି ଚଳିତ ବର୍ଷ ୧୩ଟି ହାଚେରୀ କରିବାକୁ ଓ ୨୮ଜଣ ଅଟେଣ୍ଡାଣ୍ଟଙ୍କୁ ନିଯୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି । କିଛି ବର୍ଷ ହେବ ଅଣ୍ଡା ସଂଗ୍ରହ ଓ ଛୁଆ ଫୁଟିବା ସଂଖ୍ୟା ବଢ଼ୁଛି । କଇଁଛ ଛୁଆଗୁଡ଼ିକ ସମୁଦ୍ରକୁ ଛଡ଼ା ଯାଇଥାଏ । ଗତବର୍ଷ ମୋଟ ୧ ଲକ୍ଷ ୮୬ ହଜାର ୬୩୨ଟି କଇଁଛ ଅଣ୍ଡା ସଂଗ୍ରହ କରାଯାଇଥିଲା ।