ମୁମ୍ବାଇ,୧୯/୧୦: ବଦଳିବ ରେଡ୍ ବଲ୍ କ୍ରିକେଟର ରୂପରେଖ । ଟେଷ୍ଟରେ ଟୁ-ଟିୟର ସିଷ୍ଟମ ଆଣିବାକୁ ପ୍ରସ୍ତୁତି । ୨୦୨୭ରୁ ଲାଗୁ ହୋଇପାରେ ନିୟମ । ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ବେଳେ ଖାଲି ପଡ଼ିଥିବା ଷ୍ଟାଣ୍ଡ୍ସ, ରେଡ୍ ବଲ୍ କ୍ରିକେଟର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି । ବଡ଼ ଫର୍ମାଟରେ କୌଣସି ଟିମ୍ର ଲଗାତାର ଏକ ତରଫା ମ୍ୟାଚ୍ ଜିତିବା କିମ୍ବା ହାରିବା, ଟେଷ୍ଟ କ୍ରିକେଟର ରୋମାଞ୍ଚକୁ ହ୍ରାସ କରୁଛି । ନିର୍ଦ୍ଧାରିତ ଓଭର ଖେଳ ଭିତରେ ଟେଷ୍ଟ ମ୍ୟାଚର ଲୋକପ୍ରିୟତା ସତେ ଯେପରି ହଜିଯାଉଛି । ଯାହା ଭାରତ-ଓ୍ବେଷ୍ଟ ଇଣ୍ଡିଜ୍, ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ଜଳଜଳ ହୋଇ ଦିଶୁଥିଲା ।
ଦିଲ୍ଲୀରେ ଖେଳ ପଞ୍ଚମ ଦିନ ପର୍ଯ୍ୟନ୍ତ ଯାଇଥିଲା, ମାତ୍ର ଅହମ୍ମଦାବାଦରେ ଭ୍ରମଣକାରୀ ଦଳ ଉପରେ ଆଧିପତ୍ୟ ବିସ୍ତାର କରିଥିଲା ଘରୋଇ ଟିମ୍ । ଭାରତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ତିନି ଦିନରେ ମ୍ୟାଚ୍ ଶେଷ ହୋଇଯାଇଥିଲା । କେବଳ ଏହି ଗୋଟିଏ ସିରିଜ୍ ନୁହେଁ, ଏଭଳି ଅନେକ ଶୃଙ୍ଖଳାରେ ଏକତରଫା ମ୍ୟାଚ୍ ଦେଖିବାକୁ ମିଳୁଛି । ଏହାକୁ ନେଇ ଆଇସିସି ସମେତ ବିଭିନ୍ନ ଦେଶର କ୍ରିକେଟ୍ ବୋର୍ଡଙ୍କ ଚିନ୍ତା ବଢ଼ିଛି । ମୂଳ କ୍ରିକେଟକୁ ଅଧିକ ରୋମାଞ୍ଚ, ଲୋକପ୍ରିୟ ଏବଂ ଦର୍ଶକଙ୍କ ଧ୍ୟାନ କେନ୍ଦ୍ରିତ କରିବାକୁ ନୂଆ ବ୍ୟବସ୍ଥା ଆଣିବାକୁ ଯାଉଛି ଆଇସିସି । ଟେଷ୍ଟ କ୍ରିକେଟ୍ ଆସିବ ଟୁ-ଟିୟର ସିଷ୍ଟମ ।
ଟେଷ୍ଟ କ୍ରିକେଟରେ କ’ଣ ଏହି ଟୁ-ଟିୟର ସିଷ୍ଟମ ? ରେଡ୍ ବଲ୍ରେ କାହିଁକି ଲାଗୁ କରିବାକୁ ଚାହୁଁଛି ଆଇସିସି ? ସରଳ ଭାଷାରେ ବୁଝିବାକୁ ଗଲେ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଟିମ୍ ମାନଙ୍କୁ ପଏଣ୍ଟ ଟେବୁଲ ରାଙ୍କିଂ ଆଧାରରେ ଦୁଇଟି ଗ୍ରୁପରେ ଭାଗ କରାଯିବ । ପ୍ରଥମ ଟିୟରରେ ଟପ୍ ରାଙ୍କିଂ ଟିମ୍ ଗୁଡ଼ିକ ସ୍ଥାନ ପାଇବେ । ଦ୍ବିତୀୟ ଟିୟରରେ ଛୋଟ ଟିମ୍ ମାନେ ସୁଯୋଗ ମିଳିବ । ଏହି ସିଷ୍ଟମରେ ବଡ଼ ଦଳ ଗୁଡ଼ିକ ମଧ୍ୟରେ ମ୍ୟାଚ୍ ଅଧିକ ରୋମାଞ୍ଚ ହେବ । ସେହିପରି ଛୋଟ ଟିମ୍ ଗୁଡ଼ିକ ଟିୟର-ଓ୍ବାନରେ ସ୍ଥାନ ପକ୍କା କରିବା ପାଇଁ ନିଜ ଭିତରେ ମୁକାବିଲା କରିବେ । ଏହା ଦ୍ବାରା ଶକ୍ତଶାଳୀ ଟିମ୍ ତଥା ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ଭଳି ଟପ୍ ଟିମ୍ ଟିୟର ଓ୍ବାନରେ ଅଧିକ ଏବଂ ନିୟମିତ ବ୍ୟବଧାନରେ ଟେଷ୍ଟ୍ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇବେ । ସେହିପରି ନିମ୍ନ କ୍ରମରେ ଥିବା ଟିମ୍ ଗୁଡ଼ିକ ନିଜ ମଧ୍ୟରେ ସଂଘର୍ଷ କରି ଟପ୍ ଗ୍ରୁପର ସ୍ଥାନ ପାଇଁ ଚେଷ୍ଟା କରିବେ । ଟେଷ୍ଟ କ୍ରିକେଟରେ ଟୁ-ଟିୟର ସିଷ୍ଟମର ଲାଗୁ କରିବା ପଛରେ ଆଇସିସିର ଉଦ୍ଦେଶ୍ୟ ହେଉଛି, ରେଡ୍ ବଲ୍ କ୍ରିକେଟକୁ ଅଧିକ ରୋମାଞ୍ଚ କରିବା । ଟେଷ୍ଟର କ୍ରିକେଟର କମର୍ଶିଆଲ୍ ଭାଲ୍ୟୁକୁ ବୃଦ୍ଧି କରିବା ।
କ୍ରିକେଟରେ ଅସମାନତା ଦୁଇ-ସ୍ତରୀୟ ବ୍ୟବସ୍ଥାର ଆବଶ୍ୟକତାକୁ ଆହୁରି ଦୃଢ଼ କରିବ । ଏହି ବ୍ୟବସ୍ଥା ଟେଷ୍ଟ ଖେଳର ଗୁଣବତ୍ତା, ପ୍ରତିଯୋଗିତା ଏବଂ ଦର୍ଶକଙ୍କ ଆଗ୍ରହକୁ ପୁନର୍ଜୀବିତ କରିପାରିବ। ଯଦି ସଠିକ୍ ଭାବରେ କାର୍ଯ୍ୟକାରୀ କରାଯାଏ, ତେବେ ଏହା ଦୀର୍ଘକାଳୀନ ପାଇଁ ଟେଷ୍ଟ କ୍ରିକେଟକୁ ସ୍ଥାୟୀ ଏବଂ ରୋମାଞ୍ଚକର ରଖିବାରେ ସାହାଯ୍ୟ କରିପାରିବ ।