ଭୁବନେଶ୍ୱର,୧୫/୧୦ : ଏକାମ୍ର କ୍ଷେତ୍ରର ଅନ୍ୟତମ ବୃହତ୍ତ ଶୈବ ପୀଠ ଭାବେ ଜଣାଶୁଣା କପିଳେଶ୍ୱର ମନ୍ଦିର ​​​​​​​। ହେଲେ କୌତୁହଳର ବିଷୟ ଯେ ମୁଖ୍ୟମନ୍ଦିର ତଥା ଶ୍ରୀକପିଳେଶ୍ୱର ବିରାଜିତ ମୁଖ୍ୟ ପୀଠ ଚୂଡ଼ାରେ ଶୈବ ପୀଠର ପ୍ରତୀକ ତ୍ରିଶୁଳ ଶୋଭା ପାଉଛି । ହେଲେ ପାର୍ବତୀ ମନ୍ଦିର ଚୂଡ଼ାରେ ଲାଗିଛି ବିଷ୍ଣୁ ମନ୍ଦିରର ପ୍ରତୀକ ଚକ୍ର । ମନ୍ଦିର ଚୂଡ଼ାରେ ଏହି ୨ଟି ଭିନ୍ନ ପ୍ରତୀକ ଦେଖି ଶ୍ରଦ୍ଧାଳୁଙ୍କ ଭୃକୁଞ୍ଚନ ହେଉଛି । ସେମାନଙ୍କ ମନରେ ପ୍ରଶ୍ନ ଆସୁଛି ଏହା ଶୈବ ପୀଠ ନା ବୈଷ୍ଣବ?

୧୪୪୨ ମସିହାରେ ସମ୍ରାଟ କପିଳେନ୍ଦ୍ରଦେବ ଏହି ଶୈବ ମନ୍ଦିର ପ୍ରତିଷ୍ଠା କରିଥିଲେ । ଭୂପତ୍ତନଠୁ ପ୍ରାୟ ୬୦ ଫୁଟ ଉଚ୍ଚ ମୁଖ୍ୟ ମନ୍ଦିର । ଏଥିରେ ଶ୍ରୀକପିଳେଶ୍ୱର ଦେବ ବିରାଜିତ । ମୁଖ୍ୟ ମନ୍ଦିର ଦକ୍ଷିଣ ଦିଗରେ ମା’ ପାର୍ବତୀଙ୍କ ପ୍ରାୟ ୪୫ ଫୁଟ ଉଚ୍ଚ ବିଶିଷ୍ଟ ପୀଠ । ଏକାମ୍ରକ୍ଷେତ୍ରରେ ଦ୍ୱିତୀୟ ବୃହତ୍ତମ ଶୈବ ପୀଠ ଭାବେ କପିଳେଶ୍ୱର ମନ୍ଦିର ପ୍ରସିଦ୍ଧି ଲାଭ କରିଛି । ହେଲେ ୮ ବର୍ଷ ହେବ ଉଭୟ ପୀଠ ଚୂଡ଼ାରେ ୨ଟି ଭିନ୍ନ ପ୍ରତୀକାତ୍ମକ ଚିହ୍ନ ଏକ ବିଡ଼ମ୍ବନା ବୋଲି ବିବେଚନା କରାଯାଇପାରେ । କାହିଁକି ଏମିତି ହେଲା ଏହାର ରହସ୍ୟ ଭେଦ କରିବାକୁ ଗଲେ ଆମକୁ ୮ ବର୍ଷ ତଳକୁ ଫେରିଯିବାକୁ ପଡ଼ିବ ।

୨୦୧୭ ମସିହା ଡିସେମ୍ବର ମାସ ୨୫ ତାରିଖର କଥା । ଶ୍ରୀକପିଳେଶ୍ୱର ଦେବ ଓ ମା’ ପାର୍ବତୀ(ଦକ୍ଷିଣ କାଳୀ)ଙ୍କ ପୀଠ କଳସ ଶୀର୍ଷରେ ଶୋଭା ପାଉଥିଲା ଶୈବ ପୀଠର ପ୍ରତୀକ ତ୍ରିଶୁଳ । ହେଲେ ତା’ ପରଦିନ ଅର୍ଥାତ୍‌ ୨୬ ତାରିଖ ସକାଳେ ଦେଖିବାକୁ ମିଳିଲା ମା’ ପାର୍ବତୀଙ୍କ ମନ୍ଦିର ଚୂଡ଼ାରେ ତ୍ରିଶୁଳ ନାହିଁ । ତା’ ବଦଳରେ ଲାଗିଛି ବିଷ୍ଣୁ ମନ୍ଦିର ଭଳି ଏକ ଚକ୍ର । ରାତାରାତି ତ୍ରିଶୁଳକୁ ଉପାଡ଼ି ସେଠି କେହି ଚକ୍ର ଲଗାଇ ଦେଇଛି । ପ୍ରାୟ ୬୦୦ ବର୍ଷ ତଳର ତ୍ରିଶୁଳକୁ ଉପାଡ଼ି ଗାଏବ କରି ଦେଇଛନ୍ତି । ଯାହାକି ପୁରାତତ୍ତ୍ୱ ସଂରକ୍ଷଣ କ୍ଷେତ୍ରରେ ଏକ ବିରଳ ଘଟଣା । ଏଭଳି ଘଟଣାକୁ ଦେଖି ଶ୍ରଦ୍ଧାଳୁ ଓ ଐତିହ୍ୟପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କିଛି ବ୍ୟକ୍ତି ଦେବୋତ୍ତର ବିଭାଗରେ ଅଭିଯୋଗ ଦାଖଲ କରି ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ । ଦେବୋତ୍ତର ଆୟୁକ୍ତ ଜଣେ ନିରୀକ୍ଷକଙ୍କୁ ନିଯୁକ୍ତ କରି ଏହାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ତଦନ୍ତ ସେହିକାଳୁ ଚାଲିଛି ଯେ ଆଜି ପର୍ଯ୍ୟନ୍ତ ରିପୋର୍ଟ ବାହାରୁନାହିଁ ।

ପୁରାତତ୍ତ୍ୱ ଜିନିଷ ଭାବେ ଉକ୍ତ ମୂଲ୍ୟବାନ ତ୍ରିଶୁଳ ମଧ୍ୟ ଏଯାଏ ଜବତ ହୋଇ ପାରିନାହିଁ । ସେହିଦିନ ଠାରୁ ପାର୍ବତୀ ମନ୍ଦିର ଚୂଡ଼ାରୁ ଉକ୍ତ ଚକ୍ର ଚିହ୍ନକୁ ଓହ୍ଲାଇ ଶୈବପୀଠ ପ୍ରତୀକ ବି ଲାଗିନାହିଁ । ଦେବୋତ୍ତର ବିଭାଗ ପକ୍ଷରୁ ତଦନ୍ତ ଦାୟିତ୍ୱ ନେଇଥିବା ସଂପୃକ୍ତ ନିରୀକ୍ଷକ ଅବସର ଗ୍ରହଣ କରି ସାରିଲେଣି । ତାଙ୍କ ପରେ ଆଉ ୨ଜଣ ନିରୀକ୍ଷକ ମନ୍ଦିର ଦାୟିତ୍ୱରେ ରହିଲେଣି । ହେଲେ ତଦନ୍ତ ନିର୍ଯ୍ୟାସର ଟେର ମିଳୁନାହିଁ । କିଏ ସେ ଦୁର୍ବୃତ୍ତ ଏତେ ବଡ଼ କାଣ୍ଡ କଲା? କାର୍ଯ୍ୟାନୁଷ୍ଠାନ ଦିଗରେ ଅସହାୟତା କାହିଁକି? ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ଉତ୍ତରକୁ ଏଡ଼ାଇ ଯାଉଛନ୍ତି । ଫଳରେ ଏତେ ବଡ଼ ପୀଠର ପରିଚୟ ତ୍ରିଶଙ୍କୁ ଅବସ୍ଥାରେ ପଡ଼ିରହିଛି ।