ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦକ୍ଷିଣପନ୍ଥୀ ବିକ୍ଷୋଭକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଜାତୀୟ ପତାକାକୁ ଦେହରେ ପକାଇ ହିଂସା ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ବ୍ରିଟେନ କେବେ ମଧ୍ୟ ନତମସ୍ତକ ହେବ ନାହିଁ। ଏହାସହ, ଷ୍ଟାର୍ମର ବିକ୍ଷୋଭକାରୀମାନଙ୍କୁ "ଅସହିଷ୍ଣୁ" ଏବଂ "ଅପରାଧୀ" ବୋଲି କହିବା ସହ ସେମାନେ ସାମାଜିକ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଆନର ଶାସନକୁ ସୁନିଶ୍ଚିତ କରିବ ଏବଂ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଦେଶର ସମସ୍ତ ନାଗରିକଙ୍କୁ ଜାତୀୟ ଏକତା ସହ ଶାନ୍ତି ବଜାୟ ରଖିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

ଏହି ବୟାନ ଏକ ସମୟରେ ଆସିଛି ଯେତେବେଳେ ବ୍ରିଟେନରେ ବିଭିନ୍ନ ଦକ୍ଷୀଣପନ୍ଥୀ ଗୋଷ୍ଠୀଙ୍କ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ହିଂସାତ୍ମକ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଷ୍ଟାର୍ମରଙ୍କ ଏହି ଦୃଢ଼ ଅବସ୍ଥାନକୁ ଅନେକ ସ୍ୱାଗତ କରିଛନ୍ତି, ଯଦିଓ କେତେକ ଲୋକ ଏହାକୁ ରାଜନୈତିକ ବିବାଦ ଭାବେ ମଧ୍ୟ ଦେଖୁଛନ୍ତି।

ସୂଚନା ମୁତାବକ, ଇଂଲଣ୍ଡର ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା ଟମି ରବିନସନ ଦେଶରେ ବଢୁଥିବା ପ୍ରବାସିମାନଙ୍କ ଆଗମନକୁ ବିରୋଧ କରି ଏହି ଆନ୍ଦୋଳନ ଜାରି ରଖିଛନ୍ତି। ତାଙ୍କ ନେତୃତ୍ୱରେ ଲକ୍ଷରୁ ଅଧିକ ଲୋକ ସେଣ୍ଟ୍ରେଲ ଲଣ୍ଡନରେ ହୋଇଥିବା ପ୍ରତିବାଦରେ ଯୋଗ ଦେଇଥିଲେ। ଯାହା ବିଗତ ଦଶନ୍ଧି ମଧ୍ୟରେ ବ୍ରିଟେନରେ ହୋଇଥିବା ସବୁଠୁ ବଡ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ।

ଆଗକୁ ସରକାର ଏହି ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।