ଭୁବନେଶ୍ୱର ୧୦/୧୦: ସକାଳେ ଡେରିରେ ଉଠିବା ଆଜିକାଲିର ଖୁବ୍‌ ସାଧାରଣ କଥା ହୋଇପଡିଲାଣି । ଏହାର ପ୍ରମୁଖ କାରଣ ହେଉଛି ଖରାପ ଜୀବନଶୈଳୀ । ଜାଣନ୍ତି କି ଶରୀର ଉପରେ ଏହାର କି ପ୍ରଭାବ ପଡିଥାଏ? ବିଶେଷକରି ଡେରିରେ ଉଠିବା ଦ୍ୱାରା ଅନେକ ସମୟରେ ଓଜନ ବଢିଯାଇଥାଏ । ସକାଳେ ଡେରିରେ ଉଠିବା ଏକ ଟ୍ରେଣ୍ଡ୍‌ ହେଇପଡିଲାଣି । କାରଣ ଯାହା ହେଉନା କାହିଁକି ଏପରି କରିବା ଦ୍ୱାରା ଶରୀରର ରିଦମ୍‌ ବିଗିଡିପାରେ ଅର୍ଥାତ୍‌ ଶୋଇବା, ଉଠିବା ସମୟ, ପାଚନ କ୍ରିୟା ଓ ବାୱଲ୍‌ ମୁଭ୍‌ମେଣ୍ଟ୍‌ । ଡେରିରେ ଶୋଇବା ଦ୍ୱାରା ହର୍‌ମୋନାଲ୍‌ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଫଳରେ ଅନେକ ସମସ୍ୟାର ଶିକାର ହେବାକୁ ପଡେ । କେତେକ ଗବେଷଣାରୁ ଜଣାପଡିଛି ଯେ ଡେରିରେ ଉଠିବା ଦ୍ୱାରା ମୁଡ୍‌ ସୁଇଂ ଓ ଚିଡ୍‌ଚିଡାପଣ ସାଙ୍ଗ ହୋଇ ଆସିଥାନ୍ତି ।

ଡେରିରେ ଉଠିଲେ କାହିଁକି ବଢେ ଓଜନ?

ଅର୍ଥୋପେଡିକ୍‌ ଡାକ୍ତର ମିହିର୍‌ ଥାନବୀଙ୍କ ମତରେ ଡେରିରେ ଶୋଇବା ଓ ଡେରିରେ ଉଠିବା ଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଏହି ଅଭ୍ୟାସ ଶରୀରର ବାୟୋଲୋଜିକାଲ୍‌ ଘଡିକୁ ବିଗାଡି ଦେଇଥାଏ । ଫଳରେ ହର୍‌ମୋନ୍‌ ଅସନ୍ତୁଳନ ବିଶେଷକରି ଭୋକ ଓ ମେଟାବଲିଜିମ୍‌ ସମ୍ପର୍କୀୟ ହର୍‌ମୋନ୍‌ରେ ଅସନ୍ତୁଳନ ଦେଖିବାକୁ ମିଳିଥାଏ । ଏହି ଅସନ୍ତୁଳନ ଫଳରେ ଭୋକ ବଢିପାରେ, ଯାହାଦ୍ୱାରା ବ୍ୟକ୍ତି ଅଧିକ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଚାଲେ । ଶରୀରରେ କ୍ୟାଲୋରୀ ଇନ୍‌ଟାକ୍‌ ବଢିବା ଦ୍ୱାରା ଓଜନ ତୀବ୍ର ବେଗରେ ବଢିଥାଏ । କେବଳ ସେତିକି ନୁହେଁ, ଡେରିରେ ଉଠିବା ଦ୍ୱାରା ଦିନରେ ଗତିବିଧି କମିଥାଏ, ଫଳରେ କମ୍‌ କ୍ୟାଲୋରି ଖର୍ଚ୍ଚ ହେବା ସହ ଓଜନ ବଢିଥାଏ । ଏହାବ୍ୟତୀତ ଚିନ୍ତା ଓ ନିଦର ଅଭାବ କାରଣରୁ ମଧ୍ୟ ଓଜନ ବଢିଥାଏ ।

ଡେରିରେ ଉଠିବା ଦ୍ୱାରା ଅନେକ କ୍ଷତି ହୋଇଥାଏ ଯେପରିକି ବାଉଲ୍‌ ମୁଭମେଣ୍ଟ୍‌ ଖରାପ ହେବା ଦ୍ୱାରା କବ୍ଚ ସମସ୍ୟା ଆସିଥାଏ । ଦୀର୍ଘଦିନ କବ୍ଚ ରହିବା ଦ୍ୱାରା ଶରୀର ଡିଟକ୍ସିଫାଏ ହୋଇପାରେନା । ଫଳରେ ଶରୀରର ବିଷାକ୍ତ ପଦାର୍ଥ ରକ୍ତରେ ମିଶିଥାଏ । ଏହାର ପ୍ରଭାବ ତ୍ୱଚାରେ ଦେଖିବାକୁ ମିଳେ । ଏହାବ୍ୟତୀତ ଡେରିରେ ଉଠିବା ଦ୍ୱାରା ଶରୀରରେ କୋଲେଷ୍ଟେରଲ୍‌ ଜମା ହୋଇଚାଲେ, ଯାହା ହୃଦୟ ସମ୍ବନ୍ଧୀୟ ରୋଗକୁ ବଢାଏ । ସେହିପରି ହର୍‌ମୋନଲ୍‌ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହେବା ଦ୍ୱାରା ଆଙ୍ଗ୍‌ଜାଇଟି, ମୁଡ୍‌ ସୁଇଂ, ଚିନ୍ତା ଓ ମାଇଗ୍ରେନ୍‌ ପରି ସମସ୍ୟା ଉପୁଜିଥାଏ । ଏସବୁରୁ ରକ୍ଷା ପାଇବା ପାଇଁ ନିୟମିତ ଶୋଇବା ଓ ଉଠିବା ସମୟକୁ ସ୍ଥିର ରଖିବାକୁ ପ୍ରୟାସ କରନ୍ତୁ । ସକାଳେ ଶୀଘ୍ର ଉଠିବା ଦ୍ୱାରା ଶରୀର ସକ୍ରିୟ ରହିବା ଦ୍ୱାରା ଓଜନ ନିୟନ୍ତ୍ରିତ ରହିବା ସହ ସାମଗ୍ରିକ ଶରୀର ସୁସ୍ଥ ରହିଥାଏ ।