ନୂଆଦିଲ୍ଲୀ,୦୭/୧୧; ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ୧୮ ଜିଲ୍ଲାରେ ୧୨୧ ଆସନରେ ଇଭିଏମ୍ରେ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୬୪.୬୯% ଭୋଟିଂ ହୋଇଛି । ୧୯୫୧-୫୨ ପରଠାରୁ ଏହା ସର୍ବାଧିକ ମତଦାନ ହାର । ସବୁ ପିଛିଲା ରେକର୍ଡ ଭାଙ୍ଗିଛି । ଯେବେ ବି ବିହାରରେ ୫ ପ୍ରତିଶତ ମତଦାନ ବଢିଛି, ରାଜ୍ୟରେ ସରକାର ବଦଳିଛି । ଏଥର ପ୍ରଥମ ପର୍ଯ୍ୟାୟର ୮ ପ୍ରତିଶତ ରେକର୍ଡ ଭୋଟିଂ ହୋଇଛି । ଏହି ପ୍ରତିଶତ କାହା ପାଇଁ ଟେନ୍ସନ ହୋଇପାରେ ତାହା ଚର୍ଚ୍ଚାର ବିଷୟ ହୋଇଛି ।
ବିହାର ରାଜନୀତିରେ ଚଳିତବର୍ଷ ପ୍ରଥମ ପର୍ଯ୍ୟାୟ ଭୋଟକୁ ଅଦ୍ଭୂତପୂର୍ବ ବୋଲି ବିବେଚନା କରାଯାଉଛି । କାରଣ ରାଜ୍ୟ ଇତିହାସରେ ସର୍ବାଧିକ ଭୋଟରଙ୍କ ମତଦାନ ରେକର୍ଡ ହୋଇଛି । ୨୦୨୦ରେ ୭୧ ଆସନରେ ପ୍ରଥମ ପର୍ଯ୍ୟାୟରେ ୫୬.୧ ପ୍ରତିଶତ ମତଦାନ ହୋଇଥିଲା । ନିର୍ବାଚନ କମିଶନଙ୍କ ଅନୁଯାୟୀ, ୧୨୧ଟି ନିର୍ବାଚନମଣ୍ଡଳୀର ପ୍ରଥମ ଫେଜରେ ଭୋଟରଙ୍କ ସଂଖ୍ୟା ୬୪.୬୯ ପ୍ରତିଶତ ଥିଲା, ଯାହା ୨୦୨୦ ବିଧାନସଭା ନିର୍ବାଚନରେ ପ୍ରାୟ ୫୬ ପ୍ରତିଶତ ଥିଲା । ଏହି ମତଦାନ ଧାରାରେ ପୂର୍ବ ଭୋଟ ତୁଳନାରେ ପ୍ରାୟ ସାଢେ ୮ ପ୍ରତିଶତ ବୃଦ୍ଧି ହୋଇଛି । ଭୋଟରଙ୍କ ସଂଖ୍ୟା ବଢିବା ରାଜନୈତିକ ଦଳଗୁଡିକର ମନୋବଳ ବଢାଇଛି । କେଉଁଠି ନା କେଉଁଠି ସେମାନଙ୍କ ମଧ୍ୟରେ ଚିନ୍ତା ରହିଛି । କାରଣ ବିହାରରେ ଯେବେ ବି ୫ ପ୍ରତିଶତ ଭୋଟ ବଢିଛି ରାଜ୍ୟରେ ସରକାର ବଦଳିଛି ।
ବିହାରରେ ଭୋଟିଂ ଧାରା କ'ଣ ସୂଚାଉଛି ? ପ୍ରଥମ ଫେଜ୍ ଭୋଟିଂରେ ମୁଜାଫରପୁର ଏବଂ ସମସ୍ତିପୁର ଜିଲ୍ଲାରେ ସର୍ବାଧିକ ଭୋଟିଂ ହୋଇଛି । ପାଟନାରେ ସର୍ବନିମ୍ନ ମତଦାନ ହୋଇଛି । ମୁଜାଫାରପୁରରେ ୭୦.୯୬%, ସମସ୍ତିପୁରରେ ୭୦.୬୩%, ମାଧେପୁରାରେ ୬୭.୨୧% ଏବଂ ବୈଶାଳୀରେ ୬୭.୩୭% ମତଦାନ ହୋଇଥିଲା । ଏହିପରି ଭାବେ ପ୍ରଥମ ପର୍ଯ୍ୟାୟ ମତଦାନ ସବୁ ରେକର୍ଡ ଭାଙ୍ଗି ୬୪.୬୯% ଥିଲା । ପୂର୍ବ ରେକର୍ଡ ତୁଳନାରେ ଏହା ୮.୫ ପ୍ରତିଶତ ବଢିଛି । ରେକର୍ଡ ଭୋଟିଂକୁ ରାଜନୈତିକ ଦଳଗୁଡିକ ନିଜ ନିଜ ଉଦ୍ଦେଶ୍ୟରେ ଲାଭଦାୟକ ବୋଲି କହୁଛନ୍ତି । ପୂର୍ବରୁ ବିହାରରେ ୧୯୫୧-୫୨ରୁ ୨୦୨୦ ପର୍ଯ୍ୟନ୍ତ ୨୦୦୦ ବିଧାନସଭା ନିର୍ବାଚନରେ ସର୍ବାଧିକ ୬୨.୫୭ ପ୍ରତିଶତ ଭୋଟିଂ ଥିଲା । ୧୯୫୧-୧୯୫୨ରୁ ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ୧୯୯୮ରେ ରାଜ୍ୟରେ ସର୍ବାଧିକ ୬୪.୬୦ ପ୍ରତିଶତ ଭୋଟ ପଡିଥିଲା । ହେଲେ ଏଥର ପ୍ରଥମ ଫେଜ ଭୋଟ ଏହି ରେକର୍ଡ ପାର କରିଛି । ଭୋଟରଙ୍କ ମତଦାନରେ ପରିବର୍ତ୍ତନ ନିର୍ବାଚନ ଫଳାଫଳ ଉପରେ ସିଧାସଳଖ ପ୍ରଭାବ ପକାଏ । ଭାରତୀୟ ନିର୍ବାଚନ ଇତିହାସରେ ସାଧାରଣତଃ ଏହା ବିଶ୍ୱାସ କରାଯାଏ ଯେ ଯେବେ ଭୋଟରଙ୍କ ମତଦାନ ଅଧିକ ଥାଏ ଜନସାଧାରଣ ପରିବର୍ତ୍ତନ ଚାହାଁନ୍ତି । ହେଲେ ଏହା ସବୁବେଳେ ଠିକ ହୁଏ ନାହିଁ ।
ବିହାରରେ ୩ ଥର ଭୋଟିଂ ହାର ୬୦ ପ୍ରତିଶତରୁ ଅଧିକ ଥିଲା । କିନ୍ତୁ ଏଥର ସବୁ ରେକର୍ଡ ପାର କରିଛି । ଯଦି ପରବର୍ତ୍ତୀ ଫେଜ୍ ସମାନ ରୁହେ ତେବେ ବିହାର ଇତିହାସରେ ଏହା ରେକର୍ଡ ହେବ । ପୂର୍ବ ଧାରାକୁ ଦେଖିଲେ ୫ ପ୍ରତିଶତ ବୃଦ୍ଧି ପାଇଁ ୩ ଥର ସରକାର ବଦଳିଛି । ୧୯୬୭ରେ ପ୍ରଥମ ଥର ସରକାର ବଦଳିଥିଲା । ଭୋଟିଂ ହାର ୭ ପ୍ରତିଶତ ବୃଦ୍ଧି ପାଇଁ କଂଗ୍ରେସ କ୍ଷମତା ହରାଇଲା । ପ୍ରଥମ ଥର ରାଜ୍ୟରେ ଅଣ-କଂଗ୍ରେସ ଦଳ ସରକାର ଗଢିଥିଲେ । ୧୯୮୦ରେ ବି ସମାନ ହୋଇଥିଲା । ୬.୮ ପ୍ରତିଶତ ବୃଦ୍ଧି ଫଳରେ ଜନତା ଦଳ ହାରିଥିଲା କଂଗ୍ରେସ କ୍ଷମତା ଫେରିଥିଲା । ୧୯୯୦ରେ ମତଦାନ ୬୨ ପ୍ରତିଶତ ଥିଲା । ୫.୮ ପ୍ରତିଶତ ବୃଦ୍ଧି ପାଇଥିଲା ମତଦାନ ସରକାର ପରିବର୍ତ୍ତନ କରିଥିଲା । କଂଗ୍ରେସ କ୍ଷମତାରୁ ହଟିଥିଲା ଜନତା ଦଳ ୟୁନାଇଟେଡ ଫେରିଥିଲା ।
୧୨୧ ଆସନରେ ୧,୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ କଏଦ ହୋଇଯାଇଛି । ଏଥିରୁ ୧୦୪ ଆସନରେ ସିଧାସଳଖ ମୁକାବିଲା ହେଉଥିବା ବେଳେ ୧୭ଟିରେ ତ୍ରିକୋଣୀୟ ଲଢ଼େଇ ହେଉଛି । ଏହି ପର୍ଯ୍ୟାୟରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ, ୧୪ ମନ୍ତ୍ରୀ, ଆର୍ଜେଡି ନେତା ତେଜସ୍ୱୀ ଯାଦବ ଓ ତାଙ୍କ ଭାଇ ତଥା ଜନଶକ୍ତି ଜନତା ଦଳର ଅଧ୍ୟକ୍ଷ ତେଜପ୍ରତାପ ଯାଦବଙ୍କ ଭଳି ହେଭିୱେଟ୍ ଦୌଡ଼ରେ ଅଛନ୍ତି । ଆସନ୍ତା ନଭେମ୍ବର ୧୧ ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ୧୪ରେ ଫଳାଫଳ ପ୍ରକାଶ ପାଇବ ।