ଲାଞ୍ଜିଗଡ଼,୧୪/୫ :କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ଏସ୍‌ବିଆଇ ଏଟିଏମ୍ ଭାଙ୍ଗି ଚୋରି ଉଦ୍ଯମ ହୋଇଥିଲା ପୋଲିସ ତଦନ୍ତ ପରେ ଅଭିଯୁକ୍ତ ଯୁବକ ଶଙ୍କର ହରିଜନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ,ଶୁକ୍ରବାର ବିଳମ୍ବିତ ରାତିରେ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ପରିସରରେ ଥିବା ଏସ୍‌ବିଆଇ ଶାଖାର ଏଟିଏମ୍ କୌଣସି ଚୋର ପ୍ରଥମେ ସଟର ଭାଙ୍ଗି ସେଥିରେ ସଫଳ ନ ହେବାରୁ ଉପରେ ଥିବା କାଚ କବାଟ ଭାଙ୍ଗି ଭିତରେ ପଶିବା ସହ ଏଟିଏମ୍ ତାଡ଼ି ଚୋରି ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

ଚୋର ଜଣଙ୍କ ରେନକୋର୍ଟ ଓ ମୁହଁରେ ମାସ୍କ ଚୋରି ଉଦ୍ୟମ କରିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ଏ ସମ୍ପର୍କରେ ଖବରପାଇ ଶନିବାର ଭୋରରୁ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ, ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲ ପହଞ୍ଚି ସିସିଟିଭି ଯାଞ୍ଚ ସହ ତଦନ୍ତ ଆରମ୍ଭ କରିଥିଲେ। ଏସବିଆଇ ଲାଞ୍ଜିଗଡ଼ ଶାଖା ପରିଚାଳକ ସତୀଶ ମହାକୁଡ଼ ଓ ବ୍ୟାଙ୍କର ସମସ୍ତ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏ ନେଇ ଶନିବାର ବ୍ୟାଙ୍କ ପକ୍ଷରୁ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ସିସିଟିଭି ଆଧାରରେ ଲାଞ୍ଜିଗଡ଼ ଥାନା ଜଗନ୍ନାଥପୁର ପଞ୍ଚାୟତ ଘଡେଇତୋଟାର ଅଭିଯୁକ୍ତ ଶଙ୍କର ହରିଜନ(୨୭)କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ଲାଞ୍ଜିଗଡ଼ ଏସଆଇ ଡୋଳାମଣି ବିଶି ପ୍ରକାଶ କରିଛନ୍ତି।