କୁନ୍ଦୁରା,୨୧/୧୦ : ସାପ କାମୁଡ଼ାରେ ଯୁବକର ମୃତ୍ୟୁ । ମୃତକ ହେଲେ କୁନ୍ଦୁରା ସଦରବାଲି ସାହିର ଯୁବକ ଆକାଶ ପ୍ରଧାନ (୨୪) । ସୂଚନା ଅନୁସାରେ, ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧ ଟାବେଳେ ଜୟପୁର ବ୍ଲକ ଫାମ୍ପୁଣୀ ଗାଁରେ ଜଣଙ୍କ ଘରେ ସାପ ପଶିଥିବା ଖବରପାଇ ସେଠାକୁ ଯାଇଥିଲେ l ସାପ ଧରି କୁନ୍ଦୁରା ଅଭିମୁଖେ ଆସିଥିଲେ I ଧରିଥିବା ବିଷାକ୍ତ ନାଗ ସାପକୁ କୁନ୍ଦୁରା ନିକଟସ୍ଥ ଏକ ଜଙ୍ଗଲ ଛାଡ଼ିବାବେଳେ ଅସାବଧାନତା ହେତୁ ତାଙ୍କ ବାମ ହାତରେ ଚୋଟ ମାରିଥିଲା l ତାଙ୍କୁ ସଙ୍ଗେସଙ୍ଗେ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ଅବସ୍ଥା ଗୁରୁତର ଥିବାରୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ଜୟପୁର ନେବା ବାଟରେ ତାଙ୍କ ମୃତ୍ଯ ହୋଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଗଣେଶ ପ୍ରସାଦ ଦାସଙ୍କ ସୂଚନା ଅନୁସାରେ ଦିନ ୩ଟା ପରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା l ବାମ ହାତରେ ଚୋଟ ବାଜିଥିଲା l ଗୁରୁତର ଥିବାରୁ ତାଙ୍କୁ ଜରୁରୀ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଜୟପୁରକୁ ସ୍ଥାନାନ୍ତର କରାଯାଇଥିଲା l
ସୂଚନା ଅନୁସାରେ, କୁନ୍ଦୁରା ଓ ଆଖ ଅଞ୍ଚଳରେ ଯେ, କୌଣସି ଗାଁରେ ସାପ ବାହାରିଲେ ଆକାଶର ଖୋଜା ପଡ଼ୁଥିଲା l ରାତି ହେଉ କି ଦିନ ସାପ ବାହରିବା ଖବର ଶୁଣିବା ମାତ୍ରେ ଆକାଶ ତୁରନ୍ତ ଯାଇ କୋଉ ଜାଗାରେ ସାପ ରହିଛି ତାକୁ ପ୍ରଥମେ ନିରକ୍ଷଣ କରି ନିଜେ ଶିଖିଥିବା କୌଶଳ ପ୍ରୟୋଗ କରି ସହଜରେ ସାପକୁ କାବୁ କରି ଧରି ପାଖ ଜଙ୍ଗଲରେ ନେଇ ଛାଡ଼ୁଥିଲେ l ସେ ପ୍ରାୟ ୩ ବର୍ଷ ପୂର୍ବେ ସାପ ଧରିବା କୌଶଳ ଶିଖିଥିଲେ l ଏହି ଘଟଣା ପରେ କୁନ୍ଦୁରା ସଦର ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ବ୍ୟବଚ୍ଛେଦ ହୋଇ ନ ଥିବାରୁ ଜୟପୁର ମେଡିକାଲରେ ମୃତଦେହ ରଖାଯାଇଛି I ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସମ୍ପର୍କୀୟଙ୍କ ପକ୍ଷରୁ ସୂଚନା ମିଳିଛି l