ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଇଚ୍ଛାରେ ଦିଲ୍ଲୀ-ମୁମ୍ୱାଇ ଏକ୍ସପ୍ରେସୱେରେ ରିଲ୍‌ କରୁଥିବା ଜଣେ ଯୁବକଙ୍କୁ ପଡ଼ିଛି ମହଙ୍ଗା। ହରିଆଣର ନୁଂହ ଜିଲ୍ଲାରେ ହୋଇଥିବା ଏକ ଦୁର୍ଘଟଣାରେ ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ରଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଦୁଇ ଜଣ ସାଥି ଗୁରୁତର ହୋଇଛନ୍ତି। ଘଟଣାର ଭୟଙ୍କର ଭଡ଼ିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

କୁହାଯାଉଛି ଯେ, ଯୁବକ ଜଣଙ୍କ ଏକ୍ସପ୍ରେସୱେରେ ରେଡବୁଲ ପିଉ ଥିବାର ରିଲ୍‌ ତିଆରି କରୁଥିଲେ। ଏହି ସମୟରେ ପଛରୁ ଦ୍ରୁତ ଗତିରେ କ୍ୟାଣ୍ଟର ଗାଡ଼ି ଆସୁଥିଲା ଏବଂ ତିନି ଜଣ ଯୁବକଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ତିନି ଜଣ ଯୁବକ ରାସ୍ତାରେ ଖସିପଡ଼ି ଗୁରୁତର ହୋଇ ଥିଲେ।

ସୂଚନା ଅନୁସାରେ , ଶନିବାର ଦ୍ୱାଦଶ ଶ୍ରେଣୀରେ ପଢୁଥିବା ମୋଇନ ନାମକ ଛାତ୍ର ,ନିବାସୀ ଶାହପୁର ନଗଲିରେ ନିଜର ଦୁଇ ଜଣ ସାଥିଙ୍କ ସହ ଦିଲ୍ଲୀ-ମୁମ୍ୱାଇ ଏକ୍ସପ୍ରେସୱେରେ ବୁଲିବାକୁ ଯାଇ ଥିଲେ। ତିନି ଜଣ ଯୁବକ ବାଇକ୍ ଯୋଗେ ଏକ୍ସପ୍ରେସୱେର ଚେମ୍ୱର ନମ୍ୱର -୫୯ ନିକଟରେ ପହଞ୍ଚି ଥିଲେ । ସେଠାରେ ସେ ନିଜର ବାଇକ୍‌ ଏକ୍ସପ୍ରେସୱେର ତଳେ ରାସ୍ତାରେ ଠିଆ କରାଇ ଥିଲେ ଏବଂ ଉପରେ ଏକ୍ସପ୍ରେସୱେକୁ ଚଢିଗଲେ।

ଏହାପରେ ତିନି ଜଣ ମୋବାଇଲରେ ରିଲ୍‌ କରିବା ଆରମ୍ଭ କରି ଦେଲେ। ମୋଇନ ହାତରେ ରେଡବୁଲ୍‌ ନେଇ ଏକ୍ସପ୍ରେସ୍‌ୱେର ରାସ୍ତାରେ ଚାଲୁ ଥିଲେ ଏବଂ ତାଙ୍କର ଜଣେ ବନ୍ଧୁ ତାଙ୍କ ସହ ଚାଲୁ ଥିଲେ, ୩ୟ ବନ୍ଧୁ ଜଣଙ୍କ ମୋବାଇଲରେ ତାଙ୍କର ଭିଡ଼ିଓ କରୁ ଥିଲେ। ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କ୍ୟାଣ୍ଟର ତିନି ଜଣଙ୍କୁ ଧକ୍କା ମାରି ଦେଇଥିଲା।