"ଅପରେସନ ସିନ୍ଦୂର'କୁ ନେଇ ଭାରତୀୟ ସେନାର ସଫଳତା ଏବଂ ଉତ୍କର୍ଷତା ଏବେ ଆନ୍ତର୍ଜାତିକ ମହଲରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିଲାବେଳେ, ଭାରତବିରୋଧୀ ମାନସିକତାକୁ ଆହୁରି ସଶକ୍ତ କରି ଚୀନ୍ ଏବେ ଭାରତର "ସିଲିଗୁଡ଼ି କରିଡର' ଉପରେ ଦୃଷ୍ଟି ରଖିଛି ନିବଦ୍ଧ । ବାଂଲାଦେଶର କାମଚଳା ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ଙ୍କ ସହ ହାତ ମିଳାଇ ଭାରତବିରୋଧୀ କାର୍ଯ୍ୟକଳାପ ଜୋରଦାର୍ କରିବାକୁ ଚଳାଇଛି ପ୍ରସ୍ତୁତି । ଭାରତର ଉତ୍ତର-ପୂର୍ବାଞ୍ଚଳକୁ ଦେଶର ମୁଖ୍ୟ ଭୂଖଣ୍ଡ ସହିତ ସଂଯୋଗ କରୁଥିବା ଏକମାତ୍ର ସ୍ଥଳପଥ ପଶ୍ଚିମବଙ୍ଗର ସିଲିଗୁଡ଼ି ସନ୍ନିକଟ "ସିଲିଗୁଡ଼ି-କରିଡର' (ସାମରିକ ଭାଷାରେ "ଚିକେନ୍ ନେକ୍' ଥକୁକୁଡ଼ା ବେକଧ ଭାବେ ନାମିତ) ଅଞ୍ଚଳ ରଣକୌଶଳାତ୍ମକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଦେଶ ବିଭାଜନ ସମୟରେ ରେଡ୍‌କ୍ଲିଫ୍ ଇଂରେଜ ସାହେବ ଟାଣିଥିବା ବିଭାଜନ ରେଖା ଭାରତ ଓ ପାକିସ୍ତାନକୁ ଦୁଇ ଭାଗ କରିଥିଲା । ସେଥିରେ ତତ୍କାଳୀନ ପୂର୍ବ-ପାକିସ୍ତାନ ତଥା ବର୍ତ୍ତମାନର ବାଂଲାଦେଶ ଓ ପଶ୍ଚିମବଙ୍ଗ ମଧ୍ୟରେ ଯେଉଁ ବିଭାଜନ ରେଖା ଟଣାଯାଇଥିଲା, ତାହା ଥିଲା ଅତ୍ୟନ୍ତ ଅବାସ୍ତବ ଏବଂ ଜଟିଳ । ନେପାଳ ଓ ବାଂଲାଦେଶ ମଝିରେ ପ୍ରାୟ ୨୨କି.ମି. ଚଉଡ଼ା ଓ ୬୦କି.ମି. ଲମ୍ବର ଯେଉଁ ଭୂମି ଭାରତର ରହିଛି ତାହା ପଶ୍ଚିମବଙ୍ଗ, ସିକ୍କିମ ଏବଂ ଉତ୍ତର-ପୂର୍ବାଞ୍ଚଳର ୭(ସାତ)ଟି ରାଜ୍ୟ ସହିତ ସ୍ଥଳଭାଗରେ ଯୋଗାଯୋଗର ଏକମାତ୍ର ମାଧ୍ୟମ । ଏହି ପଥଦେଇ ଉତ୍ତର-ପୂର୍ବାଞ୍ଚଳକୁ ରେଳ, ସଡ଼କ, ଗ୍ୟାସ, ଟେଲିକମ୍ ସଂଯୋଗ ଭାରତର ମୁଖ୍ୟ ଭୂଖଣ୍ଡରୁ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଚୀନ୍, ମିୟାଁମାର, ବାଂଲାଦେଶ ଓ ଭୁଟାନ ଦ୍ୱାରା ପରିବେଷ୍ଟିତ ଆମ ଉତ୍ତର-ପୂର୍ବାଞ୍ଚଳର ସୁରକ୍ଷା ପାଇଁ ସୈନ୍ୟ, ଯୁଦ୍ଧାସ୍ତ୍ର, ଯୁଦ୍ଧ ସରଞ୍ଜାମ ପ୍ରେରଣ ସହିତ ଅନ୍ୟ ଆବଶ୍ୟକ ସାମଗ୍ରୀ ସ୍ଥଳପଥରେ ପଠାଇବାରେ ଏହି ମାର୍ଗ ହିଁ ଗୁରୁତ୍ୱ ବହନ କରିଥାଏ । "ଚିକେନ୍-ନେକ୍'ର ପଶ୍ଚିମରେ ନେପାଳ, ପୂର୍ବରେ ବାଂଲାଦେଶ ରହିଥିଲାବେଳେ ଅନତି ଦୂରରେ ରହିଛି ଚୀନ୍ ଓ ଭୁଟାନର ସୀମା । ସୁତରାଂ ରଣକୌଶଳାତ୍ମକ ଦୃଷ୍ଟିରୁ ଏହି ଅଞ୍ଚଳର ସୁରକ୍ଷା ଓ ନିରାପତ୍ତା ଅତି ଗୁରୁତ୍ୱ ବହନ କରେ ।

ଚୀନ୍ ଆମ ପ୍ରତି ସର୍ବଦା ବୈରଭାବ ପ୍ରଦର୍ଶନ କରିଆସୁଛି । ଭାରତ ପାଇଁ ସ୍ୱାଧୀନତା ପାଇଥିବା ବାଂଲାଦେଶ ଆଜି ଭାରତକୁ ଭୁଲି ଚୀନ୍ ଓ ପାକିସ୍ତାନ ସହାୟତାରେ "ଚିକେନ୍-ନେକ୍'କୁ ଦଖଲ କରି ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଭାରତରୁ ବିଚ୍ଛିନ୍ନ କରିବା ସହ ବୃହତ୍ତର ବାଂଲାଦେଶ ଗଠନ କରିବାକୁ ସେଠାକାର ମୌଳବାଦୀ ତତ୍ତ୍ୱ ଦେଇଛନ୍ତି ଖୋଲା ଧମକ । ଚିକେନ୍-ନେକ୍ ବା ସିଲିଗୁଡ଼ି କରିଡର୍ ଏକ ସଙ୍କୁଚିତ ଭୂଖଣ୍ଡ ଯାହା ଭାରତକୁ ଉତ୍ତର-ପୂର୍ବ ରାଜ୍ୟ ସମୂହ ସଂଯୋଗ କରୁଥିବାରୁ ଚୀନ୍ ଏହାକୁ ଭାରତର ମୂଳ ଭୂଖଣ୍ଡରୁ ଅଲଗା କରିଦେବାକୁ ମସୁଧା କରି ବାଂଲାଦେଶର ବହୁ ପୁରୁଣା ଏୟାର୍ବେସ୍ "ଲାଲ ମୁନିରହାଟ୍'ର ପୁନଃନିର୍ମାଣ ପାଇଁ ଲାଗିପଡ଼ିଛି । ବାଂଲାଦେଶରେ ଥିବା ଏହି ପୁରୁଣା ଏୟାର୍ବେସ୍ ୧୯୩୮ ମସିହାରେ ଇଂରେଜ ଶାସନ କାଳରେ ପ୍ରତିଷ୍ଠା କରାଯାଇଥିଲା । ସ୍ୱାଧୀନତା ପରେ ତତ୍କାଳୀନ ପାକିସ୍ତାନ ଏହାକୁ ୧୯୫୮ ମସିହାରେ ବନ୍ଦ କରିଦେଇଥିଲା । ମାତ୍ର ବାଂଲାଦେଶର ସୃଷ୍ଟି ପରେ ଶେଖ୍ ହସିନା ତାଙ୍କର ପିତା ଶେଖ୍ ମୁଜିବର ରହମନ୍ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେଠାରେ ଏକ ନାଭିଗେସନ୍ ୟୁନିଭର୍ସିଟି ସ୍ଥାପନ କରିବାର ଯୋଜନା କରିଥିଲେ । ବାଂଲାଦେଶର କାମଚଳା ସରକାର ମୁଖ୍ୟ ୟୁନୁସ୍ ଏବେ ଏହାକୁ ଭାରତ ବିପକ୍ଷରେ ନିୟୋଜନ କରିବାକୁ ଚୀନ୍କୁ ପ୍ରଦାନ କରିଛନ୍ତି । ଭାରତୀୟ ସୀମାଠାରୁ ଏହି ଏୟାର୍ବେସ୍ର ଦୂରତ୍ୱ ମାତ୍ର ୧୫କି.ମି. ଏବଂ ସିଲିଗୁଡ଼ି କରିଡରଠାରୁ ମାତ୍ର ୧୩୫କି. ମି. ଦୂରରେ ଥିବାରୁ ସାମରିକ ଦୃଷ୍ଟିରୁ ଏହାର ଅବସ୍ଥିତି ଭାରତ ପାଇଁ ସୃଷ୍ଟି କରିଛି ଆହ୍ୱାନ । ଚୀନ୍କୁ ପ୍ରଦାନ କରି ବାଂଲାଦେଶର ସରକାର ତାଙ୍କ ଗୁପ୍ତ ମନସା ପୂରଣ କରିବାକୁ ରଖିଛନ୍ତି ଲକ୍ଷ୍ୟ ।

ବାଂଲାଦେଶ ଚିଟ୍ଟାଗଙ୍ଗ ବା ଚଟୋଗ୍ରାମରେ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସ୍.ଇ.ଜେଡ୍) ପାଇଁ ଭାରତକୁ ଦେଇଥିବା ଜମି ଆବଣ୍ଟନକୁ ପ୍ରତ୍ୟାହାର କରିନେଇ ସେହି ଜମିକୁ କାମଚଳା ସରକାର ମୁଖ୍ୟ ୟୁନୁସ୍ ଚୀନ୍କୁ ପ୍ରଦାନ କରିଛି । ଚୀନ୍ ସେଠାରେ ଡ୍ରୋନ୍ ନିର୍ମାଣ ପାଇଁ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ କରିବ । ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଂଲାଦେଶ ଗସ୍ତକାଳରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ଚୁକ୍ତି ହେବାପରେ ଚିଟ୍ଟାଗଙ୍ଗ ମୀରସରାଇ ଠାରେ ଭାରତୀୟ ନିବେଶକଙ୍କ ପାଇଁ ୮୫୦ ଏକର ଜମି ପ୍ରଦାନ କରାଯାଇଥିଲା । ଏଥିପାଇଁ ଭାରତ ବାଂଲାଦେଶକୁ ୧୧୫ ମିଲିଅନ ଡଲାର ସହାୟତା ରାଶି ପ୍ରଦାନ ମଧ୍ୟ କରିଥିବାର ଜଣାଯାଏ । ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ଓ ଭାରତୀୟ କମ୍ପାନୀଗୁଡ଼ିକୁ ବିଶେଷ ସୁବିଧା ପ୍ରଦାନ କରିବା ଏହି ପ୍ରକଳ୍ପର ଥିଲା ମୂଳ ଉଦ୍ଦେଶ୍ୟ । ୨୦୧୯ରେ ବି.ଇ.ଜେଡ୍.ଏ. ଓ ଆଦାନୀ ପୋର୍ଟସ୍ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ବାଂଲାଦେଶ ସରକାର ଏହାକୁ ଭ୍ରୂକ୍ଷେପ କରି ଚୀନ୍ ହାତକୁ ଟେକିଦେଇଛି ।

୮୫୦ ଏକର ପରିମିତ ଏହି ଜମିରେ ଚୀନ୍ ୨୦୧୬ ମସିହା ଶେଷ ସୁଦ୍ଧା ଡ୍ରୋନ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହ ବାଂଲାଦେଶକୁ ଡ୍ରୋନ୍-ଟେକନୋଲୋଜି ମଧ୍ୟ ହସ୍ତାନ୍ତର କରିବ । ଏଠାରେ ଚୀନ୍ ମିଡିୟମ୍ ରେଞ୍ଜ ଓ ଭର୍ଟିକାଲ୍ ଲିଫ୍ଟ ଡ୍ରୋନ୍ ନିର୍ମାଣ କରିବ ବୋଲି ଜଣାଯାଏ । ଭାରତୀୟ ସୀମାଠାରୁ ଏହି ଅଞ୍ଚଳ ପ୍ରାୟ ୧୦୦କି.ମି ଦୂରରେ ଅବସ୍ଥିତ ଥିବାରୁ ପରିବର୍ତ୍ତିତ ସ୍ଥିତି ଭାରତ ପାଇଁ ଚିନ୍ତା ସୃଷ୍ଟି କରିଛି । ଏଥିସହ ଚୀନ୍ ବାଂଲାଦେଶକୁ ୨୦ ସଂଖ୍ୟକ "ଜେ-୧୦ସି' ଫାଇଟର୍ କମ୍ବାଟ୍ ଏୟାରକ୍ରାଫ୍ଟ ଦେବାକୁ ଚୁକ୍ତି କରିସାରିଛି ଏବଂ ଏହାର ଯୋଗାଣ ୨୦୨୬ ମସିହା ଶେଷଭାଗରୁ ଆରମ୍ଭ ହେବାର ସୂଚନା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ବାଂଲାଦେଶର ନିଷ୍ପତ୍ତି ଭାରତ ପାଇଁ ଉଭୟ ରଣନୈତିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଶକ୍ତ ଧକ୍କା ବୋଲି ବିବେଚନା କରାଯାଉଛି । ବାଂଲାଦେଶ ଚୀନ୍ ସହ ସମ୍ପର୍କ ବଢ଼ାଇ ଚାଲିବା ସହ ପାକିସ୍ତାନ ସହ ସମ୍ପର୍କ ମଧ୍ୟ କ୍ରମାଗତ ଭାବେ ବଢ଼ାଇ ଚାଲିଛି । ଦୀର୍ଘ ୧୪ବର୍ଷ ପରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ୨୦୨୬ ଜାନୁଆରୀ ୨୯ ତାରିଖରେ ସିଧାସଳଖ ବିମାନସେବା ପୁଣି ଥରେ ଆରମ୍ଭ ହୋଇଛି ।

ବାଂଲାଦେଶ ଓ ଚୀନ୍‌ର ମନ୍ଦ ଉଦ୍ଦେଶ୍ୟକୁ ଆଖିଆଗରେ ରଖି ଭାରତ "ଚିକେନ୍ ନେକ୍'ର ସୁରକ୍ଷା ବ୍ୟବସ୍ଥା ପ୍ରତି ତତ୍ପରତା ପ୍ରଦର୍ଶନପୂର୍ବକ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା ମଧ୍ୟ କରିଛନ୍ତି। ସଂସଦରେ ବଜେଟ୍ ଆଗତ ହେବା ପରେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପୂର୍ବୋତ୍ତର ଭାରତକୁ ଅବଶିଷ୍ଟ ଭାରତ ସହ ଯୋଡ଼ିବାକୁ ଷ୍ଟ୍ରାଟେଜିକ୍ କରିଡର ଯୋଜନା କାର୍ଯ୍ୟକାରୀ କରାଯିବ । ଏବେ ସିଲିଗୁଡ଼ି କରିଡର ଦେଇ ୪୦କି.ମି. ଦୀର୍ଘ ଟନେଲ୍ ତିଆରି କରାଯିବ । ମାଟିତଳେ ରେଳ ଟ୍ରାକ୍ ବିଛାଯିବା ସହ ବର୍ତ୍ତମାନର ଭୂମି ଉପରେ ଥିବା ଚାରି ଲାଇନ୍ ବିଶିଷ୍ଟ କରିବାର କାର୍ଯ୍ୟ ଆରମ୍ଭ ହୋଇଛି । ଅଣ୍ଡରଗ୍ରାଉଣ୍ଡ ରେଳ ଟ୍ରାକ୍ ପଶ୍ଚିମବଙ୍ଗର ଟିନ୍-ମଡେଲ-ହାଟ୍‌ରୁ ରଙ୍ଗପାଣି ପର୍ଯ୍ୟନ୍ତ ବିଛାଯିବ । ଏହି ରେଳଲାଇନ ଭୂମିପୃଷ୍ଠରୁ ୨୦ରୁ ୨୪ ମିଟର ଗଭୀରତାରେ ବିଛାଯିବ । ଟିନ୍ ମଡେଲ ହାଟ୍ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ରହିଛି, ଯାହାକି ସିଲିଗୁଡ଼ିରୁ ପ୍ରାୟ ୧୦କି.ମି. ଦୂରରେ ବାଂଲାଦେଶ ସୀମା ନିକଟରେ ଅବସ୍ଥିତ । ଏଠାରୁ ବାଂଲାଦେଶର ପଞ୍ଚଗଡ଼ ଜିଲ୍ଲା ମାତ୍ର ୬୮କି.ମି. ।

ଏବେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ପ୍ରଦର୍ଶନ କରେ, ଏହି ଅଞ୍ଚଳକୁ ନେଇ ସରକାର କେତେ ଗମ୍ଭୀର । ଏଥିପାଇଁ ଆକାଶ ଓ ଭୂମି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯିବା ସହ ମାଟିତଳେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାକୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ସଂପୃକ୍ତ କରିଡର ପାର୍ବତ୍ୟାଞ୍ଚଳ ତଥା ଉପତ୍ୟକା ଦେଇ ଯାଇଛି, ଯାହାକି ଭୂମିକମ୍ପପ୍ରବଣ ଅଞ୍ଚଳ । ତେଣୁ ଭୂତଳ ରେଳପଥ ଓ ସଡ଼କ ଭିତ୍ତିଭୂମିର ବିକାଶ ନିଶ୍ଚୟ ଆହ୍ୱାନପୂର୍ଣ୍ଣ ତଥା ବ୍ୟୟବହୁଳ । ଭାରତ ପାଖରେ ଏଥିପାଇଁ ପ୍ରଯୁକ୍ତି ଓ ଅର୍ଥର ଅଭାବ ନାହିଁ । ଏହି ପ୍ରକଳ୍ପ ନିର୍ମାଣରେ ପ୍ରାୟ ସାତବର୍ଷ ସମୟ ଲାଗିପାରେ । ତଥାପି ନିରାପତ୍ତା ତଥା ପରିବର୍ତ୍ତିତ ବିଶ୍ୱ ରାଜନୀତି ପ୍ରେକ୍ଷାପଟ୍ଟ ରେ ଭାରତକୁ ଏହାର ଆଞ୍ଚଳିକ ଅଖଣ୍ଡତାର ସୁରକ୍ଷା ପାଇଁ ଏହା ଅବଶ୍ୟ ଜରୁରି । ଅଣ୍ଡରଗ୍ରାଉଣ୍ଡ ଟନେଲ୍ ପ୍ରତି ବିପଦ ଅପେକ୍ଷାକୃତ କମ୍ । ଶତ୍ରୁପକ୍ଷ ଏହାକୁ ଆକାଶମାର୍ଗରୁ ବୋମା, ମିସାଇଲ ଅଥବା ଡ୍ରୋନ୍ ଦ୍ୱାରା ଧ୍ୱଂସ କରିବାକୁ ପ୍ରଚେଷ୍ଟା କରିପାରେ ମାତ୍ର ଅଣ୍ଡରଗ୍ରାଉଣ୍ଡ ଇନ୍ଫ୍ରାଷ୍ଟ୍ରକ୍ଚର, ଭୂପୃଷ୍ଠରେ ଥିବା ଇନ୍ଫ୍ରାଷ୍ଟ୍ରକ୍ଚର ଠାରୁ ଅପେକ୍ଷାକୃତ ଅଧିକ ସୁରକ୍ଷିତ ହୋଇଥିବାରୁ ଶତ୍ରୁର ପଦକ୍ଷେପ ସମ୍ପୂର୍ଣ୍ଣ ସଫଳ ହେବା କଷ୍ଟସାଧ୍ୟ ତଥା ସମୟସାପେକ୍ଷ । ରେଳରେ ମାଲ ପରିବହନ ଟ୍ରକ ଦ୍ୱାରା ପରିବହନ ଠାରୁ ସହଜ । ଗୋଟିଏ ମାଲବାହୀ ଟ୍ରେନରେ ପ୍ରାୟ ତିନିଶହ ଟ୍ରକରେ ଯେତିକି ସାମଗ୍ରୀ ନିଆଯାଇପାରିବ, ପ୍ରାୟ ସେତିକି ପରିମାଣର ମାଲ ପରିବହନ କରାଯାଇପାରେ ।

ବାଂଲାଦେଶ ଓ ଚୀନ୍ ପଟୁ ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାରେ ଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ଏୟାରଷ୍ଟ୍ରିପ୍ଗୁଡ଼ିକୁ ଏବେ କାର୍ଯ୍ୟକ୍ଷମ କରିବା ଦିଗରେ ତତ୍ପର । ଭାରତର ୫ଟି ରାଜ୍ୟ ସହିତ ବାଂଲାଦେଶର ଆନ୍ତର୍ଜାତିକ ସୀମାନ୍ତ ରହିଛି ଯାହାକି ୪ହଜାର ୯୬କି. ମି. (୪୦୯୬) ଦୀର୍ଘ ଏବଂ କେବଳ ପଶ୍ଚିମବଙ୍ଗରେ ୨୨୧୭ (ଦୁଇହଜାର ଦୁଇଶହ ସତର) କି.ମି. ରହିଛି । ଭାରତ ସେହି ଉନ୍ମୁକ୍ତ ଅଞ୍ଚଳକୁ ନୂତନ ଡିଜାଇନ ବାଡ଼ ଦ୍ୱାରା ଘେରିବା ସହ ଶକ୍ତିଶାଳୀ ନିରୀକ୍ଷଣ କ୍ୟାମେରା ଏବଂ ଉନ୍ନତ କ୍ଷେତ୍ର-ଡୋମିନେସନ ସିଷ୍ଟମ୍ ସହିତ ସଜ୍ଜିତ ହେବାକୁ ଚଳାଇଛି ପ୍ରଚେଷ୍ଟା, ଯାହାଦ୍ୱାରା ସୀମାନ୍ତ ଉଲ୍ଲଙ୍ଘନ ସମୟରେ ବି.ଏସ୍.ଏଫ୍ ନଜରରେ ଆସିପାରିବ ।

ଆଜିର ଦୁନିଆ ନୈତିକତା ନୁହେଁ, ଶକ୍ତି ବଳରେ ଚାଲୁଛି । ରୁଷିଆ ୟୁକ୍ରେନ୍‌କୁ ତଳିତଳାନ୍ତ କରିଚାଲିଛି, ଇସ୍ରାଏଲ୍ ଗାଜାକୁ ଶ୍ମଶାନରେ ପରିଣତ କରୁଛି, ଆମେରିକା ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଉଠାଇ ନେଇ ବନ୍ଦୀ ଭାବେ ବନ୍ଦୀଶାଳାର କୋଠରିରେ ରଖିଛି । ବର୍ତ୍ତମାନ ନା ଅଛି ଆଇନ, ନା ଅଛି ନିୟମ, ନା ଅଛି ମାନବିକତା- କେବଳ ରହିଛି ଶକ୍ତିର ଭାଷା । ତେଣୁ ନିଜର ସାର୍ବଭୌମତ୍ୱ ବଜାୟ ରଖିବାକୁ ସଶକ୍ତ ହେବାକୁ ପଡ଼ିବ । ବର୍ତ୍ତମାନ ସ୍ଥିତିରେ ଭାରତ ଆଧୁନିକ କ୍ଷେପଣାସ୍ତ୍ର, କମ୍ବାଟ୍-ଏୟାରକ୍ରାଫ୍ଟ, ରକେଟ, ଆର୍ଟିଲାରୀ ଗନ୍, ଡ୍ରୋନ୍, ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରି ଚିକେନ୍ ନେକ୍ର ସୁରକ୍ଷା ପ୍ରତି ସଚେତନ ରହିବା ବର୍ତ୍ତମାନ ସମୟର ଆହ୍ୱାନ ।