ନୂଆଦିଲ୍ଲୀ: ଆନ୍ଦୋଳନ ବେଳେ ବେହୋସ ହେଲେ କୃଷକ ନେତା ଜଗଜୀତ ସିଂହ ଡ଼ଲ୍ଲେବାଲ। ଦିଲ୍ଲୀରେ ଚାଲୁଥିବା ଏହି କୃଷକ ଆନ୍ଦେଳନରେ ଦୀର୍ଘ ୨୪ ଦିନ ହେବ ଆମରଣ ଅନଶନରେ ବସିଥିଲେ ଜଗଜୀତ ସିଂହ। ବିଗତ ଦୁଇଦିନ ହେବ ସେ ଗୁରୁତର ଅସୁସ୍ଥ ଥିଲେ। ଏହି କାରଣରୁ ସେ ମଞ୍ଚରେ ନିଜ ଭାଷଣ ମଧ୍ୟ ରଖିପାରୁନଥିଲେ। ଏଥିପାଇଁ ତାଙ୍କୁ ତାଙ୍କ ତମ୍ବୁରେ ରଖି ଚିକିତ୍ସା କରାଯାଉଛି।
କୃଷକ ନେତା ଜଗଜୀତ ସିଂହ ଦୀର୍ଘ ୨୪ ଦିନ ହେବ ଆମରଣ ଅନଶନରେ ବସିଛନ୍ତି। ପ୍ରତିଦିନ ଚିକିତ୍ସକମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରୁଛନ୍ତି। ପ୍ରତିଦିନ ତାଙ୍କର ରକ୍ତଚାପ, ଶର୍କରା, ସ୍ପନ୍ଦନ ଆଦି ଯାଞ୍ଚ କରାଯାଉଛି। ତେବେ ଶରୀରର ତାପମାତ୍ରା ଠିକ ଥିବା ବେଳେ ଗୁରୁବାର ଦ୍ବିପ୍ରହର ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଧିରେଧିରେ ଗୁରୁତର ହୋଇଥିଲା। ସେ ଶୋଇଥିବା ଅବସ୍ଥାରେ ତିନି ଚାରୋଟି ବାନ୍ତି ମଧ୍ୟ କରିଥିଲେ। ଦୀର୍ଘଦୀନ ଧରି ଅନଶନରେ ବସିବା କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଛି ବୋଲି ଚିକିତ୍ସକ ମାନେ କହିଛନ୍ତି।
ଅନଶନରେ ବସିବା ପରେ ଗତ ଏକ ସପ୍ତାହ ମଧ୍ୟରେ ତାଙ୍କର ଓଜନ ୧୧ କିଲୋଗ୍ରାମ କମ ହୋଇଛି। ନିକଟରେ ଜଗଜୀତଙ୍କ ସ୍ୱାସ୍ଥ୍ୟକୁ ନେଇ ସୁପ୍ରିମ କୋର୍ଟ ଚିନ୍ତା ବ୍ୟକ୍ତ କରିଥିବା ବେଳେ ସେ ଏମଏସପି ବୃଦ୍ଧିକୁ ନେଇ ଧାରଣାରେ ବସିରହିଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ତରଫରୁ ଏକ କମିଟିର ଗଠନ କରାଯାଇଥିଲା। ୧୮ ଡିସେମ୍ବରରେ ଦିନ ଉକ୍ତ କମିଟି କୃଷକ ମାନଙ୍କ ସହ କଥା ହେବାକୁ ଧାରଣାସ୍ଥଳକୁ ଯାଇଥିଲେ। କିନ୍ତୁ କୃଷକ ସଂଗଠନ ଏଥିରେ ସାମିଲ ନହୋଇ ଧାରଣାରେ ବସି ରହିଥିଲେ।
ଧାରଣାରେ ଜଗଜୀତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାର ସୂଚନା ମିଳିବା ପରେ ପଞ୍ଜାବ ପଟୁ ଅଧିକ କୃଷକମାନେ ଆସି ଧାରଣାରେ ଯୋଗ ଦେଉଥିବା ସୁଚନା ମିଳିଛି। ଜଗଜୀତଙ୍କ ବାନ୍ତି ହେବା ପରେ ସେ ଦଶ ମିନିଟ ଧରି ବୋହୋସ ହୋଇଯାଇଥିଲେ। ଏହାପରେ ସେଠାରେ ଥିବା ଚିକିତ୍ସକ ମାନେ ତାଙ୍କ ଚିକିତ୍ସା କରିଥିଲେ। ଚିକିତ୍ସା ପରେ ତାଙ୍କ ହୋସ ଆସିବା ସହ ସ୍ୱସ୍ଥ୍ୟ ଅବସ୍ଥା ମଧ୍ୟ ସ୍ଥିର ରହିଛି।
୩ଟି ଦାବି ନେଇ କୃଷକମାନେ ଧାରଣାରେ ବସିଛନ୍ତି। ସରକାର ଏମଏସପିକୁ ନେଇ ଆଇନଗତ ଗ୍ୟରେଣ୍ଟି ଦେବା ପ୍ରଥମ ଦାବି ରହିଛି। ଦ୍ୱିତୀୟ ଦାବିରେ ଶ୍ରମିକ କୃଷକ ମାନଙ୍କ ଋଣ ଛାଡ ଓ ତୃତୀୟ ଦାବିରେ ଲକ୍ଷ୍ମୀପୁର ଖେରୀରେ ହୋଇଥିବା କୃଷକମୃତ୍ୟୁରେ ନ୍ୟାୟ ପ୍ରଦାନ ରହିଛି। ଯେଉଁଯାଏ କୃଷକ ମାନଙ୍କ ଏହି ତିନି ଦାବି ପୁରା ନହୋଇଛି ସେଯାଏ ଆନ୍ଦୋଳନ ଜାରି ରହିବ ବୋଲି ଅନ୍ୟ କୃଷକ ନେତା ମାନେ ଘୋଷଣା କରିଛନ୍ତି।