ନୂଆଦିଲ୍ଲୀ ୨୨/୦୨: ଜାପାନର ଓସାକାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି । ଏଠାରେ ଜଣେ ବ୍ୟକ୍ତି ନିଜ ପରିଚୟ ଲୁଚାଇ ସହରର ପୁରୁଣା ଜୀର୍ଣ୍ଣ ପାଣି ବ୍ୟବସ୍ଥାକୁ ସୁଧାରିବା ଲାଗି ୨୧ କିଲୋ ସୁନା ଇଟା ଦାନ କରିଛନ୍ତି । ବ୍ରିଟିଶ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ସୁନାର ମୂଲ୍ୟ ପ୍ରାୟ ୩୬ ଲକ୍ଷ ଡଲାର ଆକଳନ କରାଯାଇଛି । ଗତ ବର୍ଷ ନଭେମ୍ବରରେ ଏହି ସୁନା ଦାନ କରାଯାଇଥିଲା । କିନ୍ତୁ ଓସାକାର ମେୟର ନିକଟରେ ଏକ ପ୍ରେସ୍ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇଛନ୍ତି । ସେ ଏହାକୁ ଅବିଶ୍ୱସନୀୟ ଯୋଗଦାନ କହିଛନ୍ତି ।
ଓସାକା ଜାପାନର ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କେନ୍ଦ୍ର, ଯେଉଁଠି ପ୍ରାୟ ୩୦ ଲକ୍ଷ ଲୋକ ବାସ କରନ୍ତି । ପୁରୁଣା ପାଣି ଓ ସ୍ୱେରେଜ ପ୍ରଣାଳୀକୁ ନେଇ ସହର ଦୀର୍ଘ ସମୟ ଧରି ସମସ୍ୟାର ସମ୍ମୁଖୀନ ହେଉଥିଲା । ଏହି ସମସ୍ୟା କେବଳ ଓସାକାର ନୁହେଁ, ବରଂ ଦେଶର ଅନେକ ସହରରେ ଚିନ୍ତାର ବିଷୟ ହୋଇଥିଲା । ମେୟର କହିଲେ, ଜୀର୍ଣ୍ଣ ପାଇପ୍ଲାଇନ୍କୁ ସଜାଡ଼ିବା ଓ ବଦଳାଇବା ଅତ୍ୟନ୍ତ ମହଙ୍ଗା କାମ । ଏହି ସ୍ଥିତିରେ ଏତେ ବଡ଼ ଧନରାଶି ଦାନରେ ମିଳିବା ଅବିଶ୍ୱସନୀୟ । ଏଥିପାଇଁ ସେ ବଦାନ୍ୟ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ବ୍ୟକ୍ତି ଜଣକ ଏହା ପୂର୍ବରୁ ୫ ଲକ୍ଷ ୟେନ୍ ନଗଦ ରାଶି ମଧ୍ୟ ଜଳ ବ୍ୟବସ୍ଥାରେ ସୁଧାର ଲାଗି ଦେଇଛନ୍ତି । ଏହି ଯୋଗଦାନ କେବଳ ଏକ ସହାୟତା ରାଶି ନୁହେଁ, ବରଂ ସହରର ଆବଶ୍ୟକତା ପ୍ରତି ଏକ ସମ୍ବେଦନଶୀଳ ପ୍ରୟାସ । ସହର ଜଳ ବିଭାଗ ଅନୁସାରେ, ଦାନ ସୁନାକୁ ବିକ୍ରି କରି ସେହି ଟଙ୍କାରେ ଭଙ୍ଗା, ପୁରୁଣା ଓ ଦୁର୍ବଳ ହୋଇଥିବା ପାଇପ୍ଲାଇନ୍କୁ ମରାମତି ଓ ଅପ୍ଗ୍ରେଡ୍ କରାଯିବ ।
ଆହୁରି ପଢ଼ନ୍ତୁ...ବୈଜ୍ଞାନିକଙ୍କ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର, ମିଳିଲା ୭ କୋଟି ବର୍ଷ ତଳର ଡାଇନୋସର ଅଣ୍ଡା