ନୂଆଦିଲ୍ଲୀ ୨୨/୦୨: ଦକ୍ଷିଣ ଆମେରିକାରେ ଏକ ଜୀବାଶ୍ମୀକୃତ ଡାଇନୋସର ଅଣ୍ଡା ମିଳିଛି । ବୈଜ୍ଞାନିକମାନେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ବୋଲି କହିଛନ୍ତି । ଅଣ୍ଡାଟି ପ୍ରାୟ ୭ କୋଟି ବର୍ଷ ତଳର ବୋଲି ଆକଳନ କରିଛନ୍ତି । ଆଶ୍ଚର୍ଯ୍ୟଜନକ ଭାବେ ଏହା ଭଲ ସ୍ଥିତିରେ ଅଛି । ଆର୍ଜେଣ୍ଟାଇନ ମ୍ୟୁଜିୟମ୍ ଅଫ୍ ନାଚୁରାଲ ସାଇନ୍ସେସ୍ରେ ଲାବୋରେଟୋରୀ ଅଫ୍ କମ୍ପେୟାରେଟିଭ୍ ଆନାଟୋମି ଆଣ୍ଡ ଇଭୋଲ୍ୟୁସନ୍ ଅଫ୍ ଭର୍ଟିବ୍ରେଟ୍ସ (ଏଲ୍ଏସିଇଭି) ଦ୍ୱାରା ଏହି ଅଣ୍ଡା ଆବିଷ୍କୃତ ହୋଇଛି । ଜୀବାଶ୍ମବିଜ୍ଞାନୀ ଫେଡେରିକୋ ଆଗ୍ନୋଲିନ୍ ଓ ତାଙ୍କ ସାଥୀ ମାଟିଆସ୍ ମୋଟ୍ଟାଙ୍କ ଅନୁସାରେ, ଦକ୍ଷିଣ ଆମେରିକାରେ ଅଦ୍ୟାବଧି ମିଳିଥିବା କୌଣସି ମାଂସାଶୀ ଡାଇନୋସର୍ର ଏହା ପ୍ରଥମ ପୂର୍ଣ୍ଣ ଅଣ୍ଡା ହୋଇପାରେ ।
ଡିସ୍କଭର୍ ମ୍ୟାଗାଜିନ୍ର ରିପୋର୍ଟ ଅନୁସାରେ, ଏକ ସିଧାପ୍ରସାରଣ ସମୟରେ ଏହି ଅଣ୍ଡା ଆବିଷ୍କୃତ ହୋଇଥିଲା, ଯାହା ଦ୍ୱାରା ଜୀବାଶ୍ମବିଜ୍ଞାନୀ ଓ ସର୍ବସାଧାରଣ ଏକସଙ୍ଗେ ଏହାକୁ ଦେଖିବାର ସୁଯୋଗ ପାଇଲେ । ମାଂସାଶୀ ଡାଇନୋସରଙ୍କ ଜୀବାଶ୍ମୀକୃତ ଅଣ୍ଡା ମିଳିବା ଅତ୍ୟନ୍ତ ବିରଳ ହୋଇଥିବାରୁ ଏହି ଆବିଷ୍କାର ବୈଜ୍ଞାନିକଙ୍କ ପାଇଁ ଅତି ରୋଚକ ହୋଇଛି । ଅଣ୍ଡାଟି ଗୋଲାକାର ନୁହେଁ, ବରଂ ଆଧୁନିକ ପକ୍ଷୀର ଅଣ୍ଡା ଭଳି । ଖୋଳପା ଲମ୍ବା ବେକଯୁକ୍ତ ସରୋପଡ୍ର ଅଣ୍ଡା ଭଳି ମୋଟା । ଏହାର ଆକାର ସମେତ ଖୋଳପାରେ ଅସ୍ୱାଭାବିକ ଚିହ୍ନରୁ ଜଣାପଡୁଛି, ଏହି ପ୍ରଜାତିକୁ ବୈଜ୍ଞାନିକମାନେ ପୂର୍ବରୁ ଦେଖିନଥିଲେ । ଏହା ବୋନାପାର୍ଟେନିକସ୍ର ଅଣ୍ଡା ହୋଇପାରେ ବୋଲି ବୈଜ୍ଞାନିକ ଟିମ୍ ପ୍ରଥମେ ଅନୁମାନ କରୁଥିଲେ, କିନ୍ତୁ ପରେ ଓହରିଗଲେ ।
ଆଗ୍ନୋଲିନ୍ ଓ ତାଙ୍କ ସାଥୀଙ୍କ ଅନୁସାରେ, ଏହା ବୋଧହୁଏ ଏକ ଭିନ୍ନ ଧରଣର ମାଂସାଶୀ ଡାଇନୋସର । ବର୍ଷ ଶେଷ ସୁଦ୍ଧା ମାଇକ୍ରୋ-ସିଟିରେ ଅଣ୍ଡାକୁ ସ୍କାନ୍ କରିବାକୁ ସେମାନେ ଯୋଜନା କରୁଛନ୍ତି । ଅଣ୍ଡା ଭିତରେ ଭ୍ରୂଣର କଙ୍କାଳ ଅଛି କି ନାହିଁ, ଏଥିରୁ ଜଣାପଡ଼ିବ । ଭ୍ରୂଣ ପୂର୍ଣ୍ଣ ହୋଇନଥିଲେ ମଧ୍ୟ ତା’ର ମୁଦ୍ରା, ବୃଦ୍ଧି ଏବଂ ଶ୍ୱାସ ପ୍ରଣାଳୀ କିଭଳି କାମ କରୁଥିଲା, ସେ ବିଷୟରେ ଜଣାପଡ଼ିବ ।
ଆହୁରି ପଢ଼ନ୍ତୁ...ରୁଷ ମିସାଇଲ ଫ୍ୟାକ୍ଟ୍ରିରେ ୟୁକ୍ରେନର ଡ୍ରୋନ ଆକ୍ରମଣ,ବ୍ୟାପକ କ୍ଷୟକ୍ଷତି
ଡାଇନୋସର ଭ୍ରୂଣ ବିଶ୍ୱରେ ଅତ୍ୟନ୍ତ ବିରଳ । ଆର୍ଜେଣ୍ଟିନାରେ କେବଳ ସରୋପଡ୍ର ଭ୍ରୂଣ ପୂର୍ବରୁ ମିଳିଛି । ଏହି ଅଣ୍ଡା ଭିତରେ ଥିବା ଭ୍ରୂଣ ଯଦି ମାଂସାଶୀ ଡାଇନୋସର୍ର ହୋଇଥାଏ, ଏମାନଙ୍କ ବିଷୟରେ ଅଧିକ ଜାଣିବାର ଏହା ବଡ଼ ସୁଯୋଗ ହେବ । ଅଣ୍ଡା ନିକଟରେ ଗବେଷକମାନେ ରୋକାସରସ୍ ମୁନିଓଜିର ଜୀବାଶ୍ମ ମଧ୍ୟ ଆବିଷ୍କାର କଲେ । ଏହା ଏକ ଟିଟାନୋସର୍ ଯାହା ଆଧୁନିକ ପକ୍ଷୀଙ୍କ ଭଳି ଥିଲା । ଅଣ୍ଡାର ଅତିରିକ୍ତ ଖଣ୍ଡ ଓ ଭଙ୍ଗା ଖୋଳପା ସେଠାରେ ବସାର ସୂଚନା ଦେଉଛି, ଯାହା ମାଂସାଶୀ ଡାଇନୋସର୍ଙ୍କ ପ୍ରଜନନ ବ୍ୟବହାର ସମ୍ପର୍କରେ ସୂଚନା ଦେଇପାରେ । ଦକ୍ଷିଣ ଆମେରିକାରେ ଅଦ୍ୟାବଧି କୌଣସି ମାଂସାଶୀ ଡାଇନୋସର ବସା ବିଷୟରେ ତଥ୍ୟ ନାହିଁ । ଡାଇନୋସରଙ୍କ ବସାରେ ରହିବାର ଧାରା କେମିତି ବିକଶିତ ହେଲା, ସଦ୍ୟ ଆବିଷ୍କାରରୁ ତାହା ଜଣାପଡ଼ିବ । କେବଳ ଅଣ୍ଡା ଦେଉଥିବା ସରୀସୃପ ଏବଂ ବସା ବାନ୍ଧି ଅଣ୍ଡା ଦେଉଥିବା ଓ ଛୁଆଙ୍କର ଯତ୍ନ ନେଉଥିବା ଆଧୁନିକ ପକ୍ଷୀଙ୍କ ମଧ୍ୟରେ ଥିବା ତାରତମ୍ୟକୁ ଏହି ଅଧ୍ୟୟନ ଦୂର କରିଛି ।