ନୂଆଦିଲ୍ଲୀ ୧୫/୦୪: ଦକ୍ଷିଣ ଆଫ୍ରିକାରୁ ଆବିଷ୍କୃତ ଏକ ଜୀବାଶ୍ମର ଅଧ୍ୟୟନରୁ ପ୍ରମାଣିତ ହୋଇଛି ଯେ ମଣିଷର ସ୍ତନ୍ୟପାୟୀ ସମ୍ପର୍କୀୟମାନେ ସୁଦୂର ଅତୀତରେ ଅଣ୍ଡାରୁ ଜନ୍ମ ନେଉଥିଲେ। ଜୀବାଶ୍ମ ପାଲଟିଥିବା ସେହି ସ୍ତନ୍ୟପାୟୀମାନଙ୍କର ଏକ ପୂର୍ବପୁରୁଷ। ଯଦିଓ ଆମର ପ୍ରାଗୈତିହାସିକ ପୁର୍ବପୁରୁଷଙ୍କ ଭିତରୁ କିଛି ଜାତି ଅଣ୍ଡା ଦେଉଥିଲେ ବୋଲି ଗବେଷକମାନେ କହିଆସୁଥିଲେ, ତାହାର ପ୍ରମାଣ ମିଳିନଥିଲା।
ଚିତ୍ରରେ ପ୍ରଦର୍ଶିତ ଅଣ୍ଡା ଜୀବାଶ୍ମଟି ୨୦୦୮ରେ ଆବିଷ୍କୃତ ହୋଇଥିଲା। ସେତେବେଳେ ଏହାର ଆଭ୍ୟନ୍ତରୀଣ ସଂରଚନା ଅଧ୍ୟୟନ କରିବାର ପ୍ରଯୁକ୍ତିବିଦ୍ୟା ଉପଲବ୍ଧ ନଥିଲା। ଏବେ ଅତ୍ୟାଧୁନିକ ଏକ୍ସ-ରେ ସିଟି ସ୍କାନରୁ ସ୍ପଷ୍ଟ ହୋଇଛି ଯେ ଏହା ହେଉଛି ଅଣ୍ଡାରୁ ଫୁଟିବା ପୂର୍ବରୁ ମୃତ୍ୟୁବରଣ କରିଥିବା ଏକ ଲିଷ୍ଟ୍ରୋସରୋସ୍ ଶାବକର ଜୀବାଶ୍ମ। ୨୫.୨ କୋଟି ବର୍ଷ ପୂର୍ବେ ଆଗ୍ନେୟ ଉଦ୍ଗିରଣ ଯୋଗୁଁ ପୃଥିବୀର ୯୦ ପ୍ରତିଶତ ଜୀବ ମୃତ୍ୟୁବରଣ କରିଥିଲେ। ତେବେ ଅଣ୍ଡା ଭିତରେ ଅପେକ୍ଷାକୃତ ସୁରକ୍ଷିତ ଭାବେ ବିକଶିତ ହୋଇପାରୁଥିବାରୁ ସେହି ବିନାଶ କାଳରେ ଏହି ସ୍ତନ୍ୟପାୟୀ ଜୀବମାନେ ତିଷ୍ଠି ରହି ପାରିଥିଲେ। ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ପୃଥିବୀର ମାତ୍ର ଦୁଇଟି ସ୍ତନ୍ୟପାୟୀ ଜୀବ ଅଣ୍ଡା ଦିଅନ୍ତି। ସେମାନେ ହେଲେ ପ୍ଲାଟିପସ୍ ଓ ଏକିଡ୍ନା।
ଆହୁରି ପଢ଼ନ୍ତୁ...ଭାରତରେ ଅଛନ୍ତି ଏମିତି ଜନଜାତି, ଯେଉଁମାନେ ଶବକୁ ଜଳାନ୍ତିନି କି କବର ବି ଦିଅନ୍ତିନି, ବରଂ ୧୦୮ ଖଣ୍ଡ କରି ଜଳାଶୟରେ ମାଛକୁ ଦିଅନ୍ତି ଖାଇବାକୁ...