ନୂଆଦିଲ୍ଲୀ: ଆଇପିଏଲର ୨୦୨୬ର ଫାଇନାଲ ମୁକାବିଲା ପୂର୍ବରୁ ଲକ୍ଷ୍ନୌ ସୁପରଜାଏଣ୍ଟ୍ସର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଋଷଭ ପନ୍ତ । ଫ୍ରାଞ୍ଚାଇଜ୍ ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛି । ଚଳିତ ସିଜିନରେ ପନ୍ତଙ୍କ ସହ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଯାହାକୁ ନେଇ ଦୀର୍ଘଦିନ ଚର୍ଚ୍ଚା ପରେ ଶେଷରେ ପଦ ଛାଡ଼ିଛନ୍ତି ପନ୍ତ । ତେବେ ପରବର୍ତ୍ତୀ ଅଧିନାୟକ ଭାବେ ଦଳ କାହାକୁ ଦାୟିତ୍ବ ଦେବ ? ଏମିତି ଏକ ଚର୍ଚ୍ଚା ହେଉଥିବାବେଳେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା ତିନଜଣଙ୍କ ନାଁ ସଜେସନ୍ କରିଛନ୍ତି । ସେ ନିଜର ଏକ୍ସ ଆକାଉଣ୍ଟରେ ଏ ସମ୍ପର୍କରେ ଏକ ପୋଷ୍ଟ କରିଛନ୍ତି ।

ଲକ୍ଷ୍ନୌ ପରବର୍ତ୍ତୀ ସିଜିନରେ କାହାକୁ ଅଧିନାୟକ କରିବ ଏନେଇ ଆକାଶ ଚୋପ୍ରା ବିଦେଶୀ ଖେଳାଳିଙ୍କ ନାଁ ନେଇଛନ୍ତି । ସେ ୩ ଜଣ ବିଦେଶୀ ଖେଳାଳିଙ୍କ ନାମ ଦେଇଛନ୍ତି । ଏହି ତିନି ଜଣ ହେଲେ ମିଚେଲ ମାର୍ଶ, ଇଡେନ୍ ମାକ୍ରମ ଏବଂ ଜଶ ଇଂଲିସ୍ । ମିଚେଲ ମାର୍ଶ ଶାକ୍ତିଶାଳି ଅଷ୍ଟେ୍ରଲିଆର ଅଧିନାୟକ ଟି-୨୦ରେ ରହିଛନ୍ତି । ଅଭିଜ୍ଞତା ରହିଥିବାବେଳେ ତାଙ୍କୁ ଦାୟିତ୍ବ ଦେଲେ ଭଲ ହେବ ବୋଲି କହିଛନ୍ତି । ଏହାସହ ମାକ୍ରମଙ୍କ ନାମ ମଧ୍ୟ ନେଇଛନ୍ତି । ପୂର୍ବରୁ ହାଇଦ୍ରାବାଦ ପାଇଁ ଅଧିନାୟକ ପଦ ସମ୍ଭାଳିଥିବାବେଳେ ଦକ୍ଷିଣଆଫ୍ରିକା ଦଳର ଅଧିନାୟକ ପଦ ମଧ୍ୟ ସମ୍ଭାଳିଛନ୍ତି । ସେପଟେ ଇଂଲିଂସଙ୍କୁ ମଧ୍ୟ ବିକଳ୍ପ ଭାବେ ନେଇପାରିବ ବୋଲି ସୂଚନା ଦେଇଛନ୍ତି ।

କହି ରଖୁଛୁ କି, ୨୦୨୫ ମେଗା ଅକ୍ସନରେ ପନ୍ତ ଲକ୍ଷ୍ନୌରେ ସାମିଲ ହୋଇଥିଲେ । ୨୭ କୋଟି ଟଙ୍କାରେ ଦଳ ତାଙ୍କୁ ସାମିଲ କରିଥିଲା । ମାତ୍ର ୨ଟି ସିଜିନରେ ଖରାପ ପ୍ରଦର୍ଶନ କରିବା ସହ ଦଳ ମଧ୍ୟ ପଏଣ୍ଟ ଟେବୁଲର ତଳେ ରହିଛି । ଚଳିତ ସିଜିନରେ ଦଳ ୧୦ ନମ୍ବର ସ୍ଥାନରେ ରହିଥିଲା । ଏତେ ଟଙ୍କାରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲେ ସୁଦ୍ଧା ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଯାହାକୁ ନେଇ ପନ୍ତଙ୍କୁ ସମାଲୋଚନା ମଧ୍ୟ କରାଯାଇଛି । ଚଳିତ ସିଜିନରେ ପନ୍ତ ୧୪ ପାଳିରୁ ୩୧୨ ରନ କରିବାରେ ସକ୍ଷମ ହୋଇଥିଲେ । ଚାପରେ ରହୁଥିବା ପନ୍ତ ଶେଷରେ ଦଳର ଅଧିନାୟକ ପଦ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହାସହ ପଢ଼ନ୍ତୁ : ବୁଲେଇବାକୁ ନେଇ ମହିଳା ବନ୍ଧୁଙ୍କ ସହ ମିଶି ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ବାମୀ