ବରଗଡ, ୨୩।୬ : ବରପାଲି ଥାନା ଅନ୍ତର୍ଗତ ରେଶମ ମୁଖ୍ୟ କେନାଲ ପୋଲ ନିକଟରେ ମିଳିଥିବା ଜଣେ ମହିଳାଙ୍କ ମୃତଦେହ ଘଟଣାର ପର୍ଦ୍ଦାଫାସ କରିଛି ବରଗଡ଼ ପୁଲିସ । ଏହି ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଲ ଗାଁର ରମାକାନ୍ତ ପୁଝାରି ବୋଲି ବରଗଡ଼ ଏସପି ରବୀନ୍ଦ୍ରନାଥ ଶତପଥୀ ସୂଚନା ଦେଇଛନ୍ତି ।

ଗତ ୨୧ ତାରିଖରେ ରେଶମ ମୁଖ୍ୟ କେନାଲ ପୋଲ ନିକଟରେ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଥିଲା। ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ରାଘବ ନାଏକଙ୍କ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶରେ ଏସ୍ଡିପିଓ, ବରପାଲି ଥାନା ଓ ସାଇବର ସେଲକୁ ନେଇ ତିନୋଟି ଟିମ୍ ଗଠନ କରାଯାଇଥିଲା। ସୋସିଆଲ ମିଡିଆ, ସ୍ଥାନୀୟ ସୂଚନା ଓ ସାଇବର ତଦନ୍ତ ଆଧାରରେ ମୃତ ମହିଳାଙ୍କ ପରିଚୟ ମିଳିଥିଲା। ସେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ସାହାଜବାହାଲ ଗ୍ରାମର ମମତା ହୋତା (୫୭) ବୋଲି ଜଣାପଡ଼ିଥିଲା। ତଦନ୍ତ ପରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲ ଗ୍ରାମର ରମାକାନ୍ତ ପୂଜାରୀ (୫୬)ଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି। ପୁଲିସ ଅଭିଯୁକ୍ତଙ୍କ ଠାରୁ ଘଟଣାରେ ବ୍ୟବହୃତ ଟାଙ୍ଗିଆ, ଏକ ଟିଭିଏସ୍ ଗାଡ଼ି, ମୃତକଙ୍କ ମୋବାଇଲ ଫୋନ୍, ପୋଷାକ ଓ ଚପଲ ଜବତ କରିଛି। ପ୍ରାରମ୍ଭିକ ତଦନ୍ତରୁ ଟଙ୍କା କାରବାରକୁ କେନ୍ଦ୍ର କରି ପୂର୍ବ ଶତ୍ରୁତା ହତ୍ୟାର ମୂଳ କାରଣ ବୋଲି ପୁଲିସ ସୂଚନା ଦେଇଛି। ବରପାଲି ଥାନାରେ ଏ ନେଇ ମାମଲା ରୁଜୁ ହେବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବରଗଡ଼ ଏସପି ରବୀନ୍ଦ୍ର ନାଥ ଶତପଥୀ ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ : ରଥଯାତ୍ରା ପୂର୍ବରୁ ସବୁ ବିଭାଗ ନିଜ କାମ ସାରିବାକୁ ଆଇନମନ୍ତ୍ରୀଙ୍କ ନିର୍ଦ୍ଦେଶ