ପଦ୍ମପୁର,୨୦।୬ : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଧାରୁଆ ଅସ୍ତ୍ରରେ ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତକ ହେଲେ ତୁର୍ଲା ଗ୍ରାମର ତ୍ରିନାଥ ନାଏକ (୪୯)। ହତ୍ୟା ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତୁର୍ଲା ଗ୍ରାମର ଯୋଗୀନ୍ଦ୍ର ଖର୍ସେଲ (୩୫), ସୁଗୀନ୍ଦ୍ର ଖର୍ସେଲ (୩୨) ଓ ବାସୁଦେବ ଖର୍ସେଲ (୬୦)।
ଅଭିଯୋଗ ଅନୁଯାୟୀ , ଜୁନ ୧୮ ତାରିଖ ରାତି ପ୍ରାୟ ୯ଟା ସମୟରେ ଯୋଗୀନ୍ଦ୍ର ଖର୍ସେଲ ତ୍ରିନାଥଙ୍କ ଘରକୁ ଆସି ପରିବାର ସଦସ୍ୟଙ୍କ ସହ ଝଗଡ଼ା କରିଥିଲେ। ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ୧୯ ତାରିଖ ରାତିରେ ତ୍ରିନାଥ ନାଏକ ଘର ପଛପଟେ ଶୋଇଥିବା ବେଳେ ତାଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ପରିବାର ଲୋକେ ସେଠାକୁ ଯାଇଥିଲେ। ସେଠାରେ ଯୋଗୀନ୍ଦ୍ର ଖର୍ସେଲଙ୍କ ସହ ଅନ୍ୟ ଦୁଇ ଜଣ ତ୍ରିନାଥଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଥିବା ଦେଖିବାକୁ ପାଇଥିଲେ।
ଘଟଣା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ପାଇବା ପରେ ଝାରବନ୍ଧ ଥାନା ପୋଲିସ ଟିମ ତୁର୍ଲା ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ତୁର୍ଲା ଗ୍ରାମର ଯୋଗୀନ୍ଦ୍ର ଖର୍ସେଲ (୩୫), ସୁଗୀନ୍ଦ୍ର ଖର୍ସେଲ (୩୨) ଓ ବାସୁଦେବ ଖର୍ସେଲ (୬୦)। ପୋଲିସ ସେମାନଙ୍କ ଠାରୁ ମାଂସ କାଟିବାରେ ବ୍ୟବହୃତ ଲୁହା କଟୁରି ଜବତ କରିଛି। ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ଏହି ସୂଚନା ଦେଇଛନ୍ତି।