ଏଲ୍ଓସିରେ ଭୟଙ୍କର ଗୋଳା ବର୍ଷଣ; ଭାରତର ତୋପ ମାଡ଼ରେ ପାକିସ୍ତାନରେ ୮ ମୃତ, ପିଓକେରେ ଶତାଧିକ ଆହତ, ହସ୍ପିଟାଲରେ ରକ୍ତ ଅଭାବ

ନୂଆଦିଲ୍ଲୀ,୧ ।୩(ଏଜେନ୍ସି):ପାକିସ୍ତାନ ଗୋଟିଏ ପଟରେ ଶାନ୍ତି ପାଇଁ ଆଗ୍ରହୀ ଥିବାର ପ୍ରକାଶ କରୁଥିଲାବେଳେ ଅନ୍ୟପଟରେ ଏଲଓସି ଏବଂ ଆନ୍ତର୍ଜାତିକ ସୀମା ନିକଟରେ ଭାରତୀୟ ଅଞ୍ଚଳଗୁଡିକ ଉପରେ ପ୍ରବଳ ଗୁଳିଗୋଳା ବର୍ଷଣ କରୁଛି । ଭାରତ ମଧ୍ୟ ଏହାର କଡା ଜବାବ ଦେଉଛି । ଉଭୟ ଦେଶ ଶକ୍ତିଶାଳୀ ତୋପ ବ୍ୟବହାର କରୁଛନ୍ତି । ପାକିସ୍ତାନ ୧୦୫ ଏମଏମ କ୍ଷମତା ବିଶିଷ୍ଟ ତୋପ ବ୍ୟବହାର କରୁଥିଲାବେଳେ ଭାରତ ୧୫୫ ଏମଏମ କ୍ଷମତା ବିଶିଷ୍ଟ ବୋଫର୍ସ ତୋପ ବ୍ୟବହାର କରୁଛି । ଏହାଯୋଗୁ ଶୁକ୍ରବାର ଭାରତରେ ତିନି ଜଣ ଓ ପାକିସ୍ତାନରେ ୮ ଜଣ ପ୍ରାଣ ହରାଇବା ସହିତ ଆହୁରି ଶତାଧିକ ବ୍ୟକ୍ତି ଆହତ ହୋଇଥିବାର ସୂଚନା ମିଳିଛି । ଶୁକ୍ରବାର ପାକିସ୍ତାନୀ ସେନା ପୁଞ୍ଚ ଜିଲାର କ୍ରିଷ୍ଣାଘାଟି ସେକ୍ଟର ଏବଂ ରାଜୌରି ଜିଲାର ନୌସେରା ସେକ୍ଟରରେ ପ୍ରବଳ ଗୁଳିଗୋଳା ମାଡ଼ କରିଛି । ଏହାଯୋଗୁ କେବଳ କ୍ରିଷ୍ଣାଘାଟି ସେକ୍ଟରରେ ଜଣେ ମହିଳା ଏବଂ ତାଙ୍କର ଦୁଇ ଜଣ ନାବାଳିକା ଝିଅଙ୍କର ମୃତ୍ୟୁ ହୋଇଛି । ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି କି ପାକ୍ ସେନା ମଧ୍ୟ ୧୦୫ଏମ୍ଏମ୍ କ୍ଷମତା ବିଶିଷ୍ଟ ହ୍ୱିଜର ଗନ୍ ବ୍ୟବହାର କରି ଭାରତ ଉପରେ ଆକ୍ରମଣ କରୁଛି । ଗତ ୮ ଦିନ ଧରି ପାକ୍ ସେନା ଜମ୍ମୁ-କାଶ୍ମୀର ସଂଲଗ୍ନ ସୀମାରେ ଏଭଳି ଆକ୍ରମଣ କରିଆସୁଛି । ବିଶେଷ କରି ରାତି ହେଲା ମାତ୍ରେ ପାକିସ୍ତାନୀ ସେନା ଏଭଳି ହରକତ ଆରମ୍ଭ କରିଦେଉଛି । ସିଏ କେବଳ ଭାରତୀୟ ସେନାର ପୋଷ୍ଟ ନୁହେଁ, ବରଂ ଭାରତର ବେସାମରିକ ଅଞ୍ଚଳଗୁଡିକୁ ବି ଟାର୍ଗେଟ କରୁଛି । ଗତକାଲି ପାକ୍ ସେନାର ଆକ୍ରମଣରେ ଜଣେ ସାଧାରଣ ମହିଳା ପ୍ରାଣ ହରାଇଥିଲାବେଳେ ଆଉ ଜଣେ ଯବାନ ଆହତ ହୋଇଥିଲେ । ଆଜି ପୁଣି ପାକ୍ ସେନାର ଗୁଳିଗୋଳା ମାଡ଼ରେ ପୁଣି ତିନି ଜଣ ଲୋକ ପ୍ରାଣ ହରାଇଛନ୍ତି । ଗତ ସପ୍ତାହକ ଭିତରେ ପାକ୍ ସେନା ଏହି ଅଞ୍ଚଳରେ ପ୍ରାୟ ୬୦ ଥରରୁ ଉଦ୍ଧ୍ୱର୍ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏସବୁ ଘଟଣାରେ ସମୁଦାୟ ୪ଜଣର ମୃତ୍ୟୁ ହୋଇଥିଲାବେଳେ ଆଉ ୯ ଜଣ ଆହତ ହୋଇଛନ୍ତି । ଭାରତୀୟ ସେନା ମଧ୍ୟ ପାକିସ୍ତାନକୁ ଏଭଳି ହରକତ ପାଇଁ ସମୁଚିତ ଜବାବ ଦେଉଥିବାର ସେ ପ୍ରକାଶ କରିଛନ୍ତି ।
ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ଭାରତୀୟ ସେନା ବୋଫର୍ସ ତୋପ ବ୍ୟବହାର କରୁଛି । ଏହାଯୋଗୁ ପାକିସ୍ତାନର ବିପୁଳ କ୍ଷତି ହୋଇଛି । ସେଠାରେ ସରକାରୀ ଭାବେ କୁହାଯାଇଛି ଯେ ଭାରତର ଆକ୍ରମଣରେ ପାକିସ୍ତାନର ଦୁଇ ଜଣ ସୈନିକ ଓ ୫ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଆହତ ବ୍ୟକ୍ତିଙ୍କ ସଂଖ୍ୟା ବି ପ୍ରତି ଘଣ୍ଟାରେ ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ ୧୦୦ରୁ ଊଦ୍ଧ୍ୱର୍ ବ୍ୟକ୍ତି ଆହତ ହୋଇଥିବାର କୁହାଯାଉଛି । ଏହାଯୋଗୁ ପାକ୍ ଅଧିକୃତ କାଶ୍ମୀରର କୋଟଲି ଏବଂ ଅନ୍ୟ ସ୍ଥାନରେ ଥିବା ହସ୍ପିଟାଲଗୁଡିକରେ ରକ୍ତର ଅଭାବ ଦେଖାଦେଇଛି । ତେଣୁ ସାଧାରଣ ଲୋକଙ୍କୁ ରକ୍ତ ଦାନ କରିବାକୁ ସେଠାକାର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।