ଥମିଗଲା ହିଣ୍ଡେନବର୍ଗ ଝଡ! ଆଦାନୀ ଗ୍ରୁପ୍ ସେୟାର ମୂଲ୍ୟ ଆକାଶଛୁଆଁ

ନୂଆଦିଲ୍ଲୀ ୦୮/ ୦୩: ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଭୁଶୁଡି ପଡିଥିବା ଆଦାନୀ ଗ୍ରୁପ୍ ଧିରେଧିରେ ଟ୍ରାକକୁ ଫେରୁଛି । ଶିଳ୍ପପତି ଗୌତମ ଆଦାନୀଙ୍କ ମାଲିକାନାରେ ଥିବା କମ୍ପାନୀ ଗୁଡିକର ସେୟାର ମୂଲ୍ୟ ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ବୁଧବାର ମଧ୍ୟ ଭଲ କାରବାର କରିଥିଲା ଆଦାନୀ ଗ୍ରୁପ୍ ସେୟାର । ଗତ ୬ଟି କାରବାର ଦିନରେ ଆଦାନୀ ଏଣ୍ଟରପ୍ରାଇଜର୍ସ ସେୟାର ବୃଦ୍ଧିପାଇଛି । ଯାହା କି ଗୌତମ ଆଦାନୀଙ୍କ ପାଇଁ ବଡ ଆଶ୍ବସ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ପୂର୍ବରୁ ଆଦାନୀ ସମୂହ ପକ୍ଷରୁ କୁହାଯାଇଥିଲା କି, କମ୍ପାନୀ ୭୩୭୪ କୋଟି ଟଙ୍କାର ଋଣ ପରିଶୋଧ କରିଥିଲା । ଚଳିତ ମାସ ଶେଷ ସୁଦ୍ଧା ଆଉ କିଛି ଋଣ ମଧ୍ୟ ପରିଶୋଧ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା । ଆଦାନୀ ଗ୍ରୁପ୍ ପକ୍ଷରୁ ଏଭଳି ଘୋଷଣା କରାଯିବା ପରେ ସେୟାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ବୁଧବାର କାରବାର ଦିନରେ ଆଦାନୀ ଏଣ୍ଟରପ୍ରାଇଜର୍ସ ମୂଲ୍ୟ ୨.୮୬% ବୃଦ୍ଧି ପାଇ ୨୦୩୯.୬୫ ଟଙ୍କାରେ ପହଞ୍ଚିଯାଇଛି । ସେହିଭଳି ଆଦାନୀ ପୋର୍ଟସ୍ ସେୟାର ମୂଲ୍ୟ ଗୋଟିଏ ଦିନରେ ୩.୨୨% ବୃଦ୍ଧି ପାଇ ୭୧୨.୭୫ ଟଙ୍କାରେ ବନ୍ଦ ହୋଇଛି । ଆଦାନୀ ପାଓ୍ବାର ୧୮୬.୭୫ ଟଙ୍କା, ଆଦାନୀ ଟ୍ରାନ୍ସମିସନ ୮୧୯.୯୦ ଟଙ୍କା, ଆଦାନୀ ଗ୍ରୀନ୍ ଏନର୍ଜି ୬୧୯.୬୦ ଟଙ୍କା, ଆଦାନୀ ଟୋଟାଲ ଗ୍ୟାସ୍ ୮୬୧.୯୦ ଟଙ୍କା ଏବଂ ଆଦାନୀ ଓ୍ବିଲମାର୍ ୪୬୧.୧୫ ଟଙ୍କାରେ କାରବାର ଶେଷ କରିଛି।