କଟକ, ୧୧/୦୫ : ମୋ’ ଭଣଜାକୁ ବ୍ୟକ୍ତିଗତ କାମରେ ରାଜ୍ୟ ପୁଲିସର ଜଣେ ଏଡିଜି ବ୍ୟବହାର କରୁଥିଲେ । ଏଡିଜି ଜଣକ ତା ଦ୍ୱାରା ଗୋଡ଼ ମୋଡ଼ାଉଥିଲେ । ସକାଳେ ୩ ଘଣ୍ଟା ଓ ସନ୍ଧ୍ୟାରେ ୩ ଘଣ୍ଟା ଗୋଡ଼ ମୋଡ଼ିବାକୁ ତାଙ୍କ ଘରକୁ ଡାକୁଥିଲେ । ଗଲା ୨ ବର୍ଷ ହେବ ଏଡିଜି ଜଣକ ଏଭଳି ନିର୍ଯାତନା ଦେଉଥିଲେ। ଏଭଳି କିଛି ଚାଞ୍ଚଲ୍ୟକର କଥା କହିଛନ୍ତି ମୃତ ସୌମ୍ୟଙ୍କ ମାମୁ ।

ଉତ୍ତରପ୍ରଦେଶର ନୋଏଡାରେ ରହୁଥିବା ସୌମ୍ୟଙ୍କ ମାମୁ ଲମ୍ବୋଦର ଦାସ ଏକ ଭିଡିଓରେ ଏଭଳି କିଛି ଅଭିଯୋଗ ଆଣି ଉକ୍ତ ଏଡିଜିଙ୍କ ବିରୋଧରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଗତ ୧୫ ଦିନ ପୂର୍ବେ ସୌମ୍ୟ ତାଙ୍କ ନୋଏଡାସ୍ଥିତ ଘରକୁ ଯାଇଥିଲେ । ସେଠାରେ ତାର ଚାକିରି ବିଷୟରେ କହୁଥିଲା। ଦୁଇ ବର୍ଷ ହେବ ତାଙ୍କୁ ଏଡିଜି ନିର୍ଯାତନା ଦେଉଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଯାହାକୁ ସେ ଆଉ ସହ୍ୟ କରିପାରିନଥିଲେ । ଏପରିକି ଏଡିଜି ତାଙ୍କର ଜଣେ କ୍ଲାସ୍‌ ୱାନ୍‌ ଠିକାଦାର ସାଙ୍ଗ ପାଇଁ ଜିମ୍‌ କରିବାକୁ କହିଥିଲେ। ତାହା ମଧ୍ୟ ଭଣଜା ସୌମ୍ୟ କଲା। ମାତ୍ର ତାର ପଇସାପତ୍ର ଦେଲେ ନାହିଁ । ତେଣୁ ଗତ ମାସେ ହେଲା ସେ ଏଡିଜିଙ୍କ ଗୋଡ଼ ମୋଡ଼ା କାମ ଛାଡ଼ିଦେଇ ଜିଆର୍‌ପିରେ ଆସି କାମ କରୁଥିଲା । ଏଥିରେ ଏଡିଜି ପ୍ରତିଶୋଧ ପରାୟଣ ହୋଇ ରେଳବାଇ ଏସ୍‌ପିଙ୍କୁ କହି ସୌମ୍ୟର ଦରମା ବନ୍ଦ କରିଦେଲେ। ଏହା ରେଳବାଇ ଏସ୍‌ପି ଓ ଆର୍‌ଆଇ ଭଲ ଭାବେ ଜାଣନ୍ତି । ମାତ୍ର ସେ ଛୋଟ କର୍ମଚାରୀ ହୋଇଥିବାରୁ ସୌମ୍ୟଙ୍କୁ କିଛି ସହଯୋଗ କରିପାରିଲେ ନାହିଁ । ଦରମା ବନ୍ଦ ହେବାରୁ ସେ’ ମାନସିକ ସ୍ତରରେ ଅସ୍ଥିର ଥିଲା । ତେଣୁ ଉକ୍ତ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।  

ତେବେ ଗତ ୭ ତାରିଖରେ ଯେଉଁ ଘଟଣା ଘଟିଲା ଏକ ଅମାନୁଷିକ ଘଟଣା ବୋଲି ସୌମ୍ୟଙ୍କ ମାମୁ ଲମ୍ବୋଦର କହିଛନ୍ତି । ସେହି ଝିଅ ଦ୍ୱୟ ମିଛ କହୁଛନ୍ତି । ଯଦି ହଠାତ୍‌ କିଛି ଗୋଟେ ଅଘଟଣ ହେଲା ତାହେଲେ ତାର ପରବର୍ତ୍ତୀ ସମୟରେ ଝିଅ ଦ୍ୱୟ ବୁଝିପାରି ଉକ୍ତ ଭିଡ଼କୁ ରୋକିପାରିଥାନ୍ତେ । ମାତ୍ର ସେମାନେ ଚାହିଁଲେ ସୌମ୍ୟକୁ ମରଣାନ୍ତକ ଆକ୍ରମଣ ହେଉ । ସବୁଠୁ ବଡ଼ ଭୁଲ୍‌ ହେଉଛି ପୁଲିସର । ଯେଉଁ ପିସିଆର୍‌ କର୍ମଚାରୀ ସେଠାକୁ କଲ୍‌ ପାଇ ଗଲେ ସେମାନେ ବିଭାଗ ପାଇଁ ଗୋଟେ କଳଙ୍କ । ସ୍ଥିତି ବିଗୁଡ଼ୁଥିବା ଦେଖି ପୁଲିସ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ଡକାଇ ଭିଡ଼କୁ ହଟାଇ ପାରିଥାନ୍ତା । ମାତ୍ର ତାହା କରାଗଲାନି । ଅଯଥାରେ ମୋ’ ଭଣଜାର ଜୀବନ ଗଲା । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମାମୁ ଲମ୍ବୋଦର ଦାବି କରିଛନ୍ତି।

ଏହି ଖବରଟିକୁ ପଢନ୍ତୁବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ୪ ପୋଲିସ୍ ସସପେଣ୍ଡ