“ଶ୍ଳୋକାଧ୍ୟେନ ପ୍ରବକ୍ଷାମି ଯଯୁକ୍ତଂ ଗ୍ରନ୍ଥ କୋଟିଭିଃ,

ବ୍ରହ୍ମ ସତ୍ୟ ଜଗନ୍ମିଥ୍ୟା ଜୀବୋ ବ୍ରହ୍ମୈବ ନା ପରଃ” ।

“I will explain in half of an aphorism what has been said yhouand of volumes”. “Brahma alone is truth and world in unreal. The individual self is no other than Brahma it self.”

ବ୍ରହ୍ମ ହିଁ ଏକ ଏବଂ ସତ୍ୟ । ଜୀବ ବ୍ରହ୍ମଠାରୁ ପୃଥକ ନୁହେଁ । ଏହାର ପ୍ରାମାଣିକତା ପାଇଁ ହଜାର ହଜାର ଗ୍ରନ୍ଥ ଲେଖାଯାଇଛି କରାଯାଇଛି । ବାସ୍ତବରେ ଉପରୋକ୍ତ ମର୍ମସ୍ପର୍ଶୀ ବିଷୟକୁ ଶାସ୍ତ୍ରୀୟ ବିଧାନରେ ଆଲୋଚନା, ପର୍ଯ୍ୟାଲୋଚନା କଲେ ଏହାର ଗଭୀରତାର ଶେଷ ସୀମାରେ ଆମ୍ଭେମାନେ ପହଞ୍ଚି ପାରୁନାହୁଁ । ଉପନିଷଦ, ପୁରାଣ ଶାସ୍ତ୍ରମାନଙ୍କରେ ବିଶଦ ଭାବରେ ବର୍ଣ୍ଣିତ ଅଛି ଯେ ବ୍ରହ୍ମ ଏପରି ଏକ ଶବ୍ଦ, ଏପରି ଏକ ବସ୍ତୁ, ଏପରି ଏକ ଭାବନା ଉତ୍ସର କେନ୍ଦ୍ରବିନ୍ଦୁ, ଏପରି ଏକ ମନ୍ତବ୍ୟର ଅନନ୍ତ ସୀମା, ଏପରି ଏକ ନିର୍ଣ୍ଣୟର ଚୂଡ଼ାନ୍ତ ପ୍ରକ୍ରିୟା ଯାହା ସମ୍ବନ୍ଧରେ କୌଣସି ସିଦ୍ଧାନ୍ତ ଗ୍ରହଣ କରାଯାଇପାରେ ନାହିଁ । ବ୍ରହ୍ମ ହେଉଛନ୍ତି ଅବ୍ୟକ୍ତ, ଅଚିନ୍ତ୍ୟ, ନିର୍ଗୁଣ, ଅଚ୍ୟୁତ, ଅନନ୍ତ, ଅରୂପ, ନିରଞ୍ଜନ, ଅସୀମ, ଅତୀନ୍ଦ୍ରିୟ, ଅବାଙ୍ମାନସଗୋଚର, ଦ୍ୱନ୍ଦାତୀତ, ଯାହାକି ଏ ସମସ୍ତ ଚେତନାର ଊଦ୍ଧ୍ୱର୍ରେ । ପୁନଃ ସେହି ବ୍ରହ୍ମକୁ ଚେତନାର ପରିସରକୁ ଆଣିବାର ଯୌଗିକ ପ୍ରକ୍ରିୟା ଆଗମ ପ୍ରକ୍ରିୟା ଏବଂ ଉକ୍ତ ପ୍ରକ୍ରିୟାରେ କୁହାଯାଇଛି ବ୍ରହ୍ମ, ଆତ୍ମା ଭଗବାନ ବ୍ରହ୍ମ ହେଲେ ସଗୁଣ, ସାକାର, ନିତ୍ୟ, ଶାଶ୍ୱତ ସତ୍ୟ, ଶୁଦ୍ଧ ବୁଦ୍ଧ ମୁକ୍ତ ଜ୍ଞାନ ବୋଲି ଭଗବତପାଦ ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ କୃତବ୍ରହ୍ମସୁତ୍ର ଶଙ୍କରଭାଷ୍ୟରେ ବଳିଷ୍ଠ ପ୍ରମାଣ ସହ ଅକାଟ୍ୟ ଯୁକ୍ତିର ସତ୍ୟତା ପ୍ରତିପାଦନ କରିଛନ୍ତି । ଉପରୋକ୍ତ ଶ୍ଳୋକରୁ ଆଦିଶଙ୍କରାଚାର୍ଯ୍ୟଙ୍କର ପ୍ରଚଣ୍ଡ ବାଗ୍ମୀତା ଜ୍ଞାନର ଅପୂର୍ବ ସମାହାର ଏହା ବିଦ୍ୱତ ସମାଜକୁ ଚକିତ କରିପକାଏ ।

ଯେଉଁ ଧର୍ମର ଅପ୍ରତିହତ ଶକ୍ତିବଳରେ ସମଗ୍ର ବିଶ୍ୱର ସୃଷ୍ଟି, ସ୍ଥିତି ଓ ସଂହାର ପ୍ରକ୍ରିୟା ସୁଚାରୁ ରୂପେ ଚକ୍ରବତ୍ ସମ୍ପାଦିତ ହୋଇଆସୁଛି ସେହି ଧର୍ମ ହିଁ ସନାତନ ଧର୍ମ । ଧର୍ମ ରକ୍ଷତି ରକ୍ଷିତମ୍ । ଅର୍ଥାତ୍, ଧର୍ମକୁ ପାଳନ କରୁଥିବା ଧାର୍ମିକକୁ ଧର୍ମ ସର୍ବଦା ରକ୍ଷା କରିଥାଏ । ସନାତନ ଧର୍ମକୁ ଯଦି ରୂପ ଦିଆଯାଏ ତେବେ ତାହା ହେଉଛି ଭାରତ ବର୍ଷ ।

ଭାରତ ହିଁ ସାକ୍ଷାତ ସନାତନ ଧର୍ମର ପାର୍ôଥବ ଶରୀର ଅଟେ । ଭାରତକୁ ଧର୍ମର ଦେଶ, ଜ୍ଞାନର ଦେଶ, ସତ୍ୟତାର ଦେଶ, ତ୍ୟାଗ ଓ ତପସ୍ୟାର ଦେଶ ଓ ସେବାର ଦେଶ ବୋଲି ଶାସ୍ତ୍ରରେ କୁହାଯାଏ । ସେହି ଭାରତରେ କେବଳ ଧର୍ମ ତଥା ସତ୍ୟରକ୍ଷା ପାଇଁ ପୁରାଣ ପ୍ରସିଦ୍ଧ ପୁଣ୍ୟଶ୍ଳୋକ ନରେଶମାନେ, ତପସ୍ୱୀମାନେ ତାଙ୍କର ତନ, ମନ, ଧନ ଏବଂ ପ୍ରାଣସର୍ବସ୍ୱ ଜଳାଞ୍ଜଳି ଦେଇଛନ୍ତି । ଯଥା– ହରିଶ୍ଚନ୍ଦ୍ର, ନଳ, ଶିବି, ପୁରୁ, କୁରୁ, ଜନକ, ଦଶରଥ, ଋଷି ଜମଦଗ୍ନି, ନଚିକେତା, ବଶିଷ୍ଠ, ବିଶ୍ୱାମିତ୍ର, ଯାଜ୍ଞବଳ୍କ୍ୟ ଭରଦ୍ୱାଜ, ଶ୍ରବଣ କୁମାର ଇତ୍ୟାଦି ଚିରଅମର ଓ ଯଶସ୍ୱୀ । ସେହି ଦେବଭୂମି ଭାରତବର୍ଷରେ ଯେତେବେଳେ ଅଧର୍ମ, ଗ୍ଳାନି, ଭ୍ରଷ୍ଟାଚାର, ହିଂସା, ସୁସଂସ୍କାର, ଅନ୍ଧବିଶ୍ୱାସର ପାପାଗ୍ନିରେ ଅର୍ଦ୍ଧଦଗ୍ଧ ହୋଇ ମରଣାନ୍ତକ ଜ୍ୱାଳାରେ ବ୍ୟଥିତ ସମଗ୍ର ଜୀବକୁଳ ତ୍ରାହିମାଂ, ତ୍ରାହିମାଂ ଚିତ୍କାର କରନ୍ତି । ସେହି କରୁଣା ଆର୍ତ୍ତନାଦରୁ ମହାଶକ୍ତି ସୃଷ୍ଟି ହୋଇ ଅବତାର ରୂପ ପରିଗ୍ରହ କରି ଭାରତ ଭୂମିରୁ ଅଧର୍ମକୁ ଦୂରୀଭୂତ କରି ମ୍ଳେଚ୍ଛ, ଦୁଷ୍ଟ, ପାଷାଣ୍ଡ, ସାମ୍ପ୍ରଦାୟବାଦୀ ଦୁରାଚରୀ ନାସ୍ତିକମାନଙ୍କୁ ଶାସ୍ତ୍ରଜ୍ଞାନରେ ପରାଭୂତ କରି ଭାରତରେ ଏକ ବିରାଟ ସାମାଜିକ, ରାଜନୈତିକ, ଆର୍ôଥକ, ଧାର୍ମିକ ମହାସଂସ୍କାର ଆଣି ପୁନଃ ରାମରାଜ୍ୟ ସ୍ଥାପନ କରାନ୍ତି ।

ଠିକ୍ ଆଜିକୁ ୨୫୩୫ ବର୍ଷ ପୂର୍ବେ ଭାରତରେ ଦେଖାଦେଇଥିବା ଘନ ଘୋର ଘଡ଼ିସନ୍ଧି ମୁହୂର୍ତ୍ତରେ ମାନବ ସମାଜକୁ ସମସ୍ତ କ୍ଷେତ୍ରରେ ଉଦ୍ଧାର କରିବା ପାଇଁ ଭଗବାନ ଶିବ ଅବତାର ଗ୍ରହଣ କରିଥିଲେ । ମହର୍ଷି ବ୍ୟାସଦେବଙ୍କ ଦ୍ୱାରା ଲିଖିତ ଭବିଷ୍ୟୋତ୍ତର ପୁରାଣରେ ବର୍ଣ୍ଣିତ ଅଛି “କଳୋରୁଦ୍ରୋ ମହାଦେବୋ ଲୋକନାମୀଶ୍ୱର ପରଃ । କରିଷ୍ୟତ୍ୟବତାରଂ ସ୍ୱଂ ଶଙ୍କରୋନୀଳ ଲୋହିତଃ” (ଭବିଷ୍ୟୋତର ପୁରାଣ) ।

କଳିଯୁଗରେ ଭଗବାନ ଶିବ ମାନବ କଲ୍ୟାଣ, ଜଗତକଲ୍ୟାଣ ଓ ଜୀବୋଦ୍ଧାର ନିମନ୍ତେ ଶଙ୍କରାଚର୍ଯ୍ୟ ରୂପେ ଅବତାର ଗ୍ରହଣ କରିବେ । ଏହି ଶାସ୍ତ୍ରୀୟ ଉକ୍ତିର ସତ୍ୟତା ପ୍ରତିପାଦନ କରିବା ପାଇଁ ଭାରତର ଦାକ୍ଷିଣାତ୍ୟ ଅଞ୍ଚଳ କେରଳ ପ୍ରଦେଶରେ କାଲାଡି ନାମକ ଗ୍ରାମରେ ନମ୍ବୁତରୀ ସମ୍ପ୍ରଦାୟର ବ୍ରାହ୍ମଣ ପରିବାରରେ ପରମ ନିଷ୍ଠାବାନ ଶିବଭକ୍ତ ଶିବଗୁରୁ ଓ ମାତା ଆର୍ଯ୍ୟାତ୍ମାଙ୍କ କୋଳମଣ୍ଡନ କରି ଯୁଧିଷ୍ଠିର ସକ ସମ୍ବତ ୨୬୩୧ (ଖ୍ରୀଷ୍ଟାବ୍ଦ ୫୦୯) ବୈଶାଖ ଶୁକ୍ଳ ପଞ୍ଚମୀ ତିଥିରେ ଦିବା ୧୨ଘଟିକା ସମୟରେ ଏକ ପୁତ୍ରସନ୍ତାନ ଜନ୍ମଗ୍ରହଣ କରିଥିଲା । ପିତାମାତାଙ୍କର ପୂର୍ବସ୍ୱପ୍ନ ବୃତ୍ତାନ୍ତନୁସାରେ ପୁତ୍ରର ଜନ୍ମ ହୋଇଥିବାରୁ ବାଳକଟିର ନାମକରଣ ଶଙ୍କର ଦିଆଯାଇଥିଲା । ବାଳକ ଶଙ୍କର ଜନ୍ମରୁ ହିଁ ଅଲୌକିକ ପ୍ରତିଭାସମ୍ପନ୍ନ ଥିଲେ । ଜନ୍ମକୁଣ୍ଡଳୀରେ ତାଙ୍କର ଅବତାର ଯୋଗ ଥିଲା । ବାଳକଟିର ଦେବ ଐଶ୍ୱର୍ଯ୍ୟ ରୂପଲାବଣ୍ୟ, ତେଜୋଦୀପ୍ତ ଶରୀର ଏବଂ ପ୍ରଚଣ୍ଡ ମେଧାଶକ୍ତିର ପ୍ରଭାବ ଫଳରେ ସମସ୍ତ ପରିଜନଙ୍କର ଆଦରର ପାତ୍ର ଥିଲେ । କିନ୍ତୁ ପିଲାଟି ଦିନରୁ ତାଙ୍କର ପିତୃ ବିୟୋଗ ଘଟିଥିଲା । ଏଣୁ ବୃଦ୍ଧା ମାତା ଆର୍ଯ୍ୟାତ୍ମାଙ୍କର ସେ ଏକୋଇର ବଳା ବିଶିକେଶନ ଥିଲେ । ବାଳକ ଶଙ୍କର ଯେପରି ପିତୃ ବିୟୋଗର ଦାରୁଣ ଦୁଃଖ ଅନୁଭବ କରିନପାରିବେ ସେଥିନିମନ୍ତେ ଆର୍ଯ୍ୟାତ୍ମା ତାଙ୍କର ସମସ୍ତ ବାତ୍ସଲ୍ୟ ମମତା ବାଳକ ଶଙ୍କରଙ୍କ ଉପରେ ଢାଳି ଦେଇଥିଲେ । ବାଳକ ଶଙ୍କର ୫ବର୍ଷ ବୟସରେ ବିଦ୍ୟାଶିକ୍ଷା ଅର୍ଜନ କଲେ ।

୭ବର୍ଷ ବୟସରେ ଉପନୟନ ସଂସ୍କାର ହେଲେ । ୮ବର୍ଷ ବୟସରେ ସମସ୍ତ ବେଦ ବେଦାନ୍ତ ଶାସ୍ତ୍ର ଅଧ୍ୟୟନପୂର୍ବକ ସର୍ବଶାସ୍ତ୍ର ବିଶାରଦ ହୋଇଥିଲେ । ଗୁରୁ ଗୃହରେ ବିଦ୍ୟାଶିକ୍ଷା କରିବା ସମୟରେ ସେ ଗୁରୁଙ୍କ ମୁଖରୁ ଶୁଣିଥିଲେ ଯେ, ମହାନ ଯୋଗୀ ପତଞ୍ଜଳି ଗୋବିନ୍ଦପାଦ ନାମରେ ନର୍ମଦା ତୀରସ୍ଥ କୌଣସି ଗୁମ୍ଫାରେ ବହୁକାଳରୁ ସମାଧିସ୍ଥ ଅଛନ୍ତି । ଏହା ଶୁଣି ବାଳକ ଶଙ୍କର ତାହାଙ୍କୁ ମନେମନେ ଗୁରୁ ରୂପେ ବରଣ କରିନେଇଥିଲେ । ବାଳକ ଶଙ୍କରଙ୍କ ସନ୍ନ୍ୟାସ ନେବା ଇଚ୍ଛା ପ୍ରବଳତର ହେବାରୁ ମାତା ଆର୍ଯ୍ୟାତ୍ମାଙ୍କଠାରୁ ସ୍ନାନ କରିବା ସମୟରେ କୁମ୍ଭୀର ଆକ୍ରମଣ କରିବାର ଲୀଳା ରଚନା କରି ଶେଷରେ ସନ୍ନ୍ୟାସ ଗ୍ରହଣର ଅନୁମତି ପ୍ରାପ୍ତପୂର୍ବକ ଗୃହତ୍ୟାଗ କରି ଗୁରୁ ଅନ୍ୱେଷଣରେ ନର୍ମଦା ଅଭିମୁଖେ ଗମନ କଲେ । ନର୍ମଦା ତୀରସ୍ଥ ଏକ ଗୁମ୍ଫାରେ ଗୁରୁ ଗୋବିନ୍ଦପାଦଙ୍କ ଦର୍ଶନପୂର୍ବକ ନିଜର ଅଚଳା ଗୁରୁଭକ୍ତିରେ ଗୋବିନ୍ଦପାଦଙ୍କୁ ଅତ୍ୟନ୍ତ ସନ୍ତୋଷ କରି ତାଙ୍କଠାରୁ ସନ୍ନ୍ୟାସ ଗ୍ରହଣ କଲେ । ସେଠାରେ ଅଷ୍ଟାଙ୍ଗ ଯୋଗ ସାଧନ କରି ବ୍ରହ୍ମତତ୍ତ୍ୱର ନିଗୂଢ଼ ରହସ୍ୟକୁ ହୃଦୟଙ୍ଗମ କରି ବ୍ରହ୍ମ ସାକ୍ଷାତକାର ହୋଇ ବ୍ରହ୍ମବିତ ହେଲେ । ଗୁରୁ ଗୋବିନ୍ଦପାଦଙ୍କ ଆଦେଶାନୁସାରେ ରାଷ୍ଟ୍ରର କଲ୍ୟାଣ ପାଇଁ ସ୍ୱୟଂ ବ୍ରହ୍ମଜ୍ଞାନର ଅମୋଘ ଶକ୍ତି ବଳରେ ସମଗ୍ର ଭାରତର ସମସ୍ତ କ୍ଷେତ୍ରକୁ ପଦଯାତ୍ରା କରି ସମସ୍ତ ସମ୍ପ୍ରଦାୟର ବିଦ୍ୱାନ, ପଣ୍ଡିତ, ନୀରିଶ୍ୱରବାଦୀ, ନାସ୍ତିକବାଦୀ ବୌଦ୍ଧ, ଜୈନ, କାପାଳିକ ତାନ୍ତ୍ରିକବାଦୀମାନଙ୍କୁ ଅଦ୍ୱୈତଜ୍ଞାନ ରୂପକ ଖଡ୍ଗରେ ତଥା ସମସ୍ତ ସମ୍ପ୍ରଦାୟକୁ ପରାଭୂତ କରି ନୂତନ ଅଦ୍ୱୈତବାଦର ଅଭ୍ୟୁଦୟ କଲେ ।

ଅଦ୍ୱୈତବାଦରେ ବ୍ରହ୍ମ ବିବେକ ତତ୍ର ପ୍ରତିପାଦିତ ହୋଇଛି । ବ୍ରହ୍ମ ସତ୍ୟ ଏବଂ ଜଗତର ସର୍ବ ବସ୍ତୁ ମିଥ୍ୟା । ଯେତେବେଳ ପର୍ଯ୍ୟନ୍ତ ବ୍ରହ୍ମଜ୍ଞାନର ଉଦୟ ହୋଇନାହିଁ ସେତେବେଳ ପର୍ଯ୍ୟନ୍ତ ଜୀବଜଗତ ସତ୍ୟ ରୂପେ ପରିଦୃଶ୍ୟ ହୋଇଥାନ୍ତି । ଦ୍ୱୈତଜ୍ଞାନ ହିଁ ଅବିଦ୍ୟା ଏବଂ ପ୍ରପଞ୍ଚପୂର୍ଣ୍ଣ । ଆଚାର୍ଯ୍ୟପାଦ ଶଙ୍କରଙ୍କର ପ୍ରସ୍ଥାନ ତ୍ରୟୀ ଏକାନ୍ତ ପ୍ରଣିଧାନଯୋଗ୍ୟ ଅଟେ । ବ୍ରହ୍ମସୂତ୍ର, ଉପନିଷଦ, ଗୀତା, (୧) ଶ୍ରୁତି ପ୍ରସ୍ଥାନ, (୨) ସ୍ମୃତି ପ୍ରସ୍ଥାନ, (୩) ନ୍ୟାୟ ପ୍ରସ୍ଥାନ । ଭାଗବତ ଗୀତା ହେଉଛି ସ୍ମୃତି । ବେଦ- ଅପୈରୁଷେୟ, ବେଦରେ କୈଣସି ପୁରୁଷ ପ୍ରକୃତି ପ୍ରଯୁକ୍ତ ବୁଦ୍ଧି ନାହିଁ । ଏଣୁ ବେଦ ହେଉଛି ଶ୍ରୁତି । ବେଦ ଅନନ୍ତ ଶାଖା ଯୁକ୍ତ ଅଟେ । ଏହା ସତ୍ୟ ଓ ଶାଶ୍ୱତ ଅଟେ । ବେଦ ୪ ଭାଗରେ ବିଭକ୍ତ ଯଥା– ୧) ସଂହିତା, ୨) ବ୍ରହ୍ମଣ, ୩) ଆରଣ୍ୟକ, ୪) ଉପନିଷଦ । ସଂହିତା ଦୁଇଭାଗରେ ବିଭକ୍ତ ଯଥା- ସ୍ତୋତ୍ରଭାଗ, ମନ୍ତ୍ରଭାଗ³ ବ୍ରହ୍ମଣ- କର୍ମକାଣ୍ଡ ବ୍ୟାଖ୍ୟା, ଆରଣ୍ୟକ- ବିଭିନ୍ନ ପ୍ରକାରର ଭକ୍ତି ଓ ଉପାସନା କାଣ୍ଡ ଇତ୍ୟାଦି, ଉପନିଷଦ- ଆତ୍ମଜ୍ଞାନ ପ୍ରଦାନର ତତ୍ତ୍ୱ ।

ଭଗବଦପାଦ ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟ ମହାଭାଗ ଯୁଧିଷ୍ଠିର ସକ ସମ୍ବତ ୨୬୫୦ ବୈଶାଖ ଶୁକ୍ଳ ତ୍ରୟୋଦଶୀରେ ଦିଗବିଜୟ ଯାତ୍ରା ଆରମ୍ଭ କରି ପଦବ୍ରଜରେ ଭାରତର ସମସ୍ତ ପ୍ରାଚୀନ ପୀଠ, ତୀର୍ଥ ମନ୍ଦିର ଆଦି ଭ୍ରମଣ କରି ସନାତନ ଧର୍ମ ପ୍ରଚାର ପ୍ରସାର ଓ ସୁରକ୍ଷା କାର୍ଯ୍ୟକୁ ତ୍ୱରାନ୍ୱିତ କଲେ। ବ୍ରହ୍ମ ଉପଦେଷ୍ଟା ଆଚାର୍ଯ୍ୟପାଦ ଶଙ୍କର ଜ୍ଞାନର ମହିମା ପ୍ରଚାର କରି ଜଗତରେ ଅକ୍ଷୟ କୀର୍ତ୍ତି ସ୍ଥାପନ କରିଛନ୍ତି । ତତ୍କାଳୀନ ମୁର୍ଦ୍ଧନ୍ୟ ବୌଦ୍ଧ ପଣ୍ଡିତ ମଣ୍ଡନ ମିଶ୍ର ଯାହାଙ୍କୁ ବ୍ରହ୍ମାଙ୍କ ଅବତାର ବୋଲି ଗ୍ରହଣ କରାଯାଏ ତାଙ୍କୁ ଶାସ୍ତ୍ରଜ୍ଞାନରେ ପରାସ୍ତ କରି ସମଗ୍ର ଭାରତରେ ସନାତନ ହିନ୍ଦୁଧର୍ମକୁ ପୁନଃ ସ୍ଥାପନ କରିଥିଲେ । ଜ୍ଞାନର ଚାରି ଆଲୋକ ସ୍ତମ୍ଭ ସଦୃଶ ଭାବରେ ଚତୁର୍ଧାମରେ ଚାରି ପୀଠ ସ୍ଥାପନ କରି ରାଷ୍ଟ୍ରର ଅଖଣ୍ଡତା ଓ ଏକତା ଆଣିପାରିଥିଲେ । ସମସ୍ତ ତୀର୍ଥାଟନ କରି ସେଠାରେ ହିନ୍ଦୁଧର୍ମାନୁସାରେ ପୂଜାପଦ୍ଧତିର ନିତ୍ୟ ପ୍ରଚଳନର ବ୍ୟବସ୍ଥା କରିଥିଲେ, ଯାହାକି ଆଜିବି ମଧ୍ୟ ପ୍ରଚଳନ ହେଉଛି । ଭଗବତପାଦ ଆଦି ଶଙ୍କରଙ୍କ ଠାରେ ବିଶେଷ ଲକ୍ଷଣ ଦେଖାଯାଇଥିଲା । ସେ ଏକେଶ୍ୱରବାଦର ମହାନ ପ୍ରବକ୍ତା ଥିଲେ ମଧ୍ୟ ଭକ୍ତିସୂତ୍ରରେ ମୂର୍ତ୍ତିପୂଜାର ପ୍ରଚଣ୍ଡ ଉପାସକ ଥିଲେ । ଆଦି ଶଙ୍କରାଚାର୍ଯ୍ୟ ଭାରତରେ ଏକ ବିରାଟ ବୈଦିକ ପରିବର୍ତ୍ତନ ବା ସଂସ୍କାର ଆଣିଥିଲେ । ସେ ଜ୍ଞାନବାଦ, ଏକେଶ୍ୱରବାଦ, ଅଦ୍ୱୈତବାଦକୁ ପରବର୍ତ୍ତୀ ସମୟରେ ଅନନ୍ୟ ଭକ୍ତିବାଦରେ ମିଶ୍ରଣ କରି ସମାଜରୁ ସମସ୍ତ ବର୍ଣ୍ଣର ଲୋକଙ୍କୁ ଏକୀଭୂତ କରିପାରିଥିଲେ । ବୌଦ୍ଧମାନଙ୍କର ଶୂନ୍ୟବାଦ ତତ୍ତ୍ୱର ଉଦାହରଣ ସ୍ୱରୂପ ।

ଏକ ଜଳୁଥିବା ଦୀପ ଲିଭିଗଲା, ବୌଦ୍ଧ ଦାର୍ଶନିକ ଭାଷାରେ ପ୍ରଜ୍ଜ୍ୱଳିତ ଦୀପ ଅଗ୍ନିର ନିର୍ବାଣ ପ୍ରାପ୍ତ ହେଲା ବା ଶୂନ୍ୟରେ ମିଳିଗଲା ଆଉ ଆମେ ଏହାକୁ ପାଇବା ନାହିଁ । କିନ୍ତୁ ଶଙ୍କରାଚାର୍ଯ୍ୟଙ୍କର ଅଦ୍ୱୈତବାଦ ହେଉଛି ପୂର୍ଣ୍ଣବାଦ । ଅର୍ଥାତ୍, ନଦୀର ଜଳ ସାଗରରେ ମିଶିଗଲା କିନ୍ତୁ ଆମେ କହିପାରିବା ନାହିଁ ଯେ ନଦୀଜଳ ସାଗରରେ ନାହିଁ, ଏହା ହେଉଛି ପୂର୍ଣ୍ଣବାଦ । ନଦୀର ଜଳ ସାଗରରେ ମିଶି ଏହାର ପରିପୂର୍ଣ୍ଣତା ପ୍ରାପ୍ତହେଲା ଶୂନ୍ୟତା ନୁହେଁ ।

ଭଗବତପାଦ ଜଗଦଗୁରୁ ଶଙ୍କରାଚର୍ଯ୍ୟ ସମସ୍ତ ଜ୍ଞାନର ଘନ ବିଗ୍ରହ ମୂର୍ତ୍ତି କହିଲେ କୌଣସି ଅତ୍ୟୁକ୍ତି ହେବନାହିଁ । ବ୍ରହ୍ମବିତ୍, ବ୍ରହ୍ମଙ୍କ, ବ୍ରହ୍ମ ଉପଦେଷ୍ଟା ଆଚାର୍ଯ୍ୟାପଦ ଶଙ୍କର ଅଦ୍ୱୈତ ଜ୍ଞାନର ମହିମା ପ୍ରଚାର କରି ଜଗତରେ ଅକ୍ଷୟ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି । ଯାହା ସାଧାରଣ ମନୁଷ୍ୟ ପକ୍ଷରେ ଏପରି ବିରାଟ ଧାର୍ମିକ, ସାମାଜିକ, ସାଂସ୍କୃତିକ, ଦାର୍ଶନିକ ଏବଂ ରାଜନୈତିକ ପରିବର୍ତ୍ତନ କରିବା ସମ୍ପୂର୍ଣ୍ଣ ଅସମ୍ଭବ । ଜ୍ଞାନକୁ ସେ ସର୍ବଶ୍ରେଷ୍ଠ ବୋଲି ସର୍ବତ୍ର ପ୍ରତିପାଦ୍ୟ କରିଛନ୍ତି ଏବଂ ଯାହାକି ନିଜର ଅଲୌକିକ ପୂର୍ଣ୍ଣ ଜୀବନରେ ଭୁରି ଭୁରି ପ୍ରମାଣ ଦର୍ଶାଇ ଯାଇଛନ୍ତି । ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନଙ୍କୁ କହୁଛନ୍ତି “ତେଷାଜ୍ଞାନୀ ନିତ୍ୟଯୁକ୍ତ ଏକ ଭକ୍ତ ବଶିଷ୍ୟତେ, ପ୍ରିୟୋଦୀ ଜ୍ଞାନୀନୋ ତ୍ୟର୍ଥ ମହଂ ସ ଚ ମମ ପ୍ରିୟ” (ଶ୍ରୀମଦ୍ ଭାଗବତ ଗୀତା)– ହେ ଅର୍ଜୁନ ସର୍ବଦା ମୋ ପ୍ରତି ନିଷ୍ଠାବାନ ଓ ଅନନ୍ୟ ଭକ୍ତ ଜ୍ଞାନୀ ହେଉଛି ଶ୍ରେଷ୍ଠ "ମୁଁ ଜ୍ଞାନୀର ଅତିଶୟ ପ୍ରିୟ ଏବଂ ସେ ମୋର ଅତି ପ୍ରିୟ' ।

ଭଗବତପାଦ ଆଚାର୍ଯ୍ୟ ଶଙ୍କର ମହାମୁନି ବ୍ୟାସଦେବଙ୍କ କୃତ ବେଦାନ୍ତର ଭାଷ୍ୟ ବ୍ରହ୍ମସୂତ୍ର ଶଙ୍କର ଭାଷ୍ୟ ରଚନା କରିବା ସମୟରେ ଏହାର ନିର୍ଭୁଲତା ନିମନ୍ତେ ସାକ୍ଷାତ ବ୍ୟାସଦେବ ଆସି ପରୀକ୍ଷା କରି ସ୍ୱୀକୃତି ପ୍ରଦାନ କରିଥିଲେ । ଏହି ଅଦ୍ୱୈତ ଜ୍ଞାନର ପ୍ରସାର ପାଇଁ ଆଚାର୍ଯ୍ୟ ଶଙ୍କର ପଦବ୍ରଜରେ ଭାରତର ହିମାଳୟ କ୍ଷେତ୍ର କାଶ୍ମୀର ପ୍ରଦେଶରେ ପହଞ୍ଚି ସେଠାରେ ଅବସ୍ଥିତ ଭଗବତୀ ମାତା ସରସ୍ୱତୀଙ୍କର ସାରଦା ପୀଠ, ଯାହା ସର୍ବଜ୍ଞ ପୀଠ ଭାବେ ଶାସ୍ତ୍ରବିଦିତ ଅଟେ । ସେଠାରେ ସୁରମ୍ୟ ପ୍ରାଚୀନ ଚାରି ଦ୍ୱାରବିଶିଷ୍ଟ ମନ୍ଦିର ଅବସ୍ଥିତ । ଏହି ଚାରି ଦ୍ୱାରରେ ଭାରତର ଚାରି ଦିଗର ଅଧିବାସୀଙ୍କର ପ୍ରବେଶପୂର୍ବକ ଦର୍ଶନ କରିବାର ପୂର୍ବ ବ୍ୟବସ୍ଥା ରହିଛି, କିନ୍ତୁ ଦକ୍ଷିଣ ଦ୍ୱାର ସର୍ବଦା ବନ୍ଦ ରହୁଥିଲା । କାରଣ ଦାକ୍ଷିଣ୍ୟାତରେ କୌଣସି ବିଦ୍ୱାନ ନଥିଲେ । ଏହା ଶଙ୍କରଙ୍କ ମନରେ ଗଭୀର ଆଘାତ ଦେଲା, ସେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବା ମାତ୍ରେ ସମସ୍ତ ପଣ୍ଡିତ ଓ ବିଦ୍ୱାନମାନେ ତାହାଙ୍କୁ ବାରଣପୂର୍ବକ ସନ୍ତୋଷଜନକ ଶାସ୍ତ୍ରାଲୋଚନାର ଉତ୍ତର ନଦେଇ ପ୍ରବେଶ କରିପାରିବେନାହିଁ । ଆଚାର୍ଯ୍ୟ ଶଙ୍କର ଖୁବ୍ ସହଜରେ ସମସ୍ତ ପ୍ରଶ୍ନର ଉତ୍ତର ସନ୍ତୋଷଜନକ ଭାବରେ ପ୍ରଦାନ କରି ଗର୍ଭଗୃହ ମଧ୍ୟରେ ଥିବା ସର୍ବଜ୍ଞ ପୀଠରେ ଉପବେଶନ ପୂର୍ବକ ମା’ ସାରଦାଙ୍କ ଦର୍ଶନ ସହିତ ଶାସ୍ତ୍ରାଲୋଚନ କରି ସର୍ବଜ୍ଞ ଉପାଧି ଲାଭ କରିଥିଲେ । ଉଗବତପାଦ ଆଚାର୍ଯ୍ୟ ଶଙ୍କରଙ୍କ ଲିଖିତ ଭଗବତପାଦ ଆଚାର୍ଯ୍ୟ ଶଙ୍କର ଶତାଧିକ ଅମୂଲ୍ୟ ଗ୍ରନ୍ଥ ରଚନା କରି ଭାରତର ସନାତନ ଧର୍ମର ସାରସ୍ୱତ କ୍ଷେତ୍ରକୁ ସମୃଦ୍ଧ କରି ଚିର ଯଶସ୍ୱୀ ହୋଇଛନ୍ତି ।

ପରିଶେଷରେ ଭଗବତପାଦ ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟ ନିଜର ଅଦ୍ଭୁତ ଓ ଅଲୌକିକ ଅଦ୍ୱୈତ୍ୱ ବ୍ରହ୍ମଜ୍ଞାନର ଅମୋଘ ଶକ୍ତି ବଳରେ ଆର୍ଯ୍ୟ ଭୂଖଣ୍ଡ ଭାରତବର୍ଷରେ ସନାତନ ହିନ୍ଦୁ ଧର୍ମର ପୁନଃସ୍ଥାପନ କରି ଯୁଧିଷ୍ଠିର ସକ ସମ୍ବତ ୨୬୬୩ (ଖ୍ରୀପୂର୍ବ ୪୭୭) ୩୨ବର୍ଷ ଆୟୁରେ କାର୍ତ୍ତିକ ଶୁକ୍ଳ ପଞ୍ଚଦଶୀ ତିଥିରେ ଯୋଗର ମହାସମାଧି ପ୍ରାପ୍ତପୂର୍ବକ ଶିବଲୋକ ଗମନ କରିଥିଲେ । ନମଃ ପାର୍ବତୀପତୟେ ହର ହର ମହାଦେବ ।