ସମ୍ବଲପୁର ୦୯/୦୭: ବାଜିରା ସାଇରନ୍ । ଖୋଲିଲା ହୀରାକୁଦ ୭ ନମ୍ବର ସ୍ଲୁଇସ୍ ଗେଟ୍। ମହାନଦୀକୁ ଛଡ଼ାଗଲା ବର୍ଷ ପ୍ରଥମ ବନ୍ୟାଜଳ। ପରମ୍ପରା ଅନୁସାରେ ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ପରେ ପ୍ରର୍ଯ୍ୟାୟକ୍ରମେ ବାମ ପାର୍ଶ୍ବରୁ ଆଉ ୩ଟି ଗେଟ୍ ଖୋଲା ଯାଇଛି । ପରେ ସ୍ଥିତିକୁ ଦେଖି ଗେଟ୍ ଖୋଲିବା ସଂଖ୍ୟା ବୃଦ୍ଧି କରାଯିବ। ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ପ୍ରାୟ ୬୧୪.୬୫ ଫୁଟ୍ ରହିଛି ।
ସୂଚନା ଅନୁଯାୟୀ, ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାରୁ ଗୁରୁବାର ହୀରାକୁଦ ନଦୀବନ୍ଧରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲିଛି। ପର୍ଯ୍ୟାୟକ୍ରମେ ସ୍ପିଲ୍ୱେର ଆଉ ୩ଟି ସ୍ଲୁଇସ୍ ଗେଟ୍ ଜଳ ନିଷ୍କାସନ କରାଯାଉଛି। ମହାନଦୀ ଓ ଏହାର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବ । ତେଣୁ ନଦୀ ଅବବାହିକା ଓ ତଳମୁଣ୍ଡରେ ଥିବା ଲୋକଙ୍କୁ ମହାନଦୀରେ ପ୍ରବେଶ ନକରିବା ସହ ସତର୍କ ରହିବାକୁ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଇଛି ।
ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ଛାଡ଼ିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ହୀରାକୁଦ ମୁଖ୍ୟ ବନ୍ଧ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ଅଧିସୂଚିତ ଅଞ୍ଚଳରେ ଡ୍ରୋନ୍, ମାଇକ୍ରୋଲାଇଟ୍ ବିମାନ ଏବଂ ଅନ୍ୟାନ୍ୟ ସମସ୍ତ ମାନବହୀନ କିମ୍ବା ମାନବଚାଳିତ ଆକାଶ ଉପକରଣର ପରିଚାଳନା ସମ୍ପୂର୍ଣ୍ଣ ନିଷେଧ। ସମସ୍ତେ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ଏବଂ ସୁରକ୍ଷା ସୁନିଶ୍ଚିତ କରିବାରେ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ହେଉଛି।