ନୂଆଦିଲ୍ଲୀ, ୧।୩: ପାକିସ୍ତାନୀ ଯୁଦ୍ଧ ବିମାନ ଉପରକୁ ଆଫଗାନିସ୍ତାନର ଗୁଳିମାଡ଼ । ପଶ୍ଚିମ ଏସିଆରେ ଇରାନ-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଏବେ ଦକ୍ଷିଣ ଏସିଆରେ ଆରମ୍ଭ ହୋଇଛି ‘ଖୋଲା ଯୁଦ୍ଧ’ । ରବିବାର ଭୋର ସମୟରେ ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ପାକିସ୍ତାନୀ ଯୁଦ୍ଧ ବିମାନ ଉଡ଼ୁଥିବା ଦେଖିବାକୁ ମିଳିଛି । ଏହାର ଜବାବରେ ତାଲିବାନ ସରକାରର ବାୟୁସେନା ପକ୍ଷରୁ ପ୍ରବଳ ଗୁଳିମାଡ଼ କରାଯାଇଛି । ସୂଚନା ଅନୁଯାୟୀ, ଆଜି ସୂର୍ଯ୍ୟୋଦୟ ପୂର୍ବରୁ କାବୁଲର ଆକାଶ ବିସ୍ଫୋରଣ ଓ ଗୁଳି ଶବ୍ଦରେ ଥରି ଉଠିଥିଲା । ତାଲିବାନ ପ୍ରଶାସନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହାକୁ ସ୍ପଷ୍ଟ କରି କହିଛନ୍ତି ଯେ, "କାବୁଲ ଆକାଶରେ ପାକିସ୍ତାନୀ ବିମାନକୁ ଟାର୍ଗେଟ୍ କରି ଆମର ଏୟାର ଡିଫେନ୍ସ ସିଷ୍ଟମ ଆକ୍ରମଣ କରିଛି । ସହରବାସୀ ଭୟଭୀତ ହେବାର ଆବଶ୍ୟକତା ନାହିଁ ।" ତେବେ ଏହି ଘଟଣାରେ କେତେଜଣ ମୃତାହତ ହୋଇଛନ୍ତି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଏହା ବି ପଢ଼ନ୍ତୁ... ଖାମେନେଇଙ୍କ ମୃତ୍ୟୁ ପରେ କାଶ୍ମୀରରେ ଜଳୁଛି ଅସନ୍ତୋଷର ନିଆଁ, ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ସିଆ ମୁସଲିମ୍
‘ଅପରେସନ ଗଜବ-ଲିଲ୍-ହକ୍’ ବନାମ ପାଲଟା ଆକ୍ରମଣ:
ପାକିସ୍ତାନ ସେନା ପକ୍ଷରୁ ଆଫଗାନିସ୍ତାନ ସୀମା ଭିତରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ପାଇଁ ‘ଅପରେସନ ଗଜବ-ଲିଲ୍-ହକ୍’ ରହିଛି । ପାକିସ୍ତାନର ଅଭିଯୋଗ ଯେ, ଆଫଗାନିସ୍ତାନ ମାଟିରେ ଟିଟିପି ଆତଙ୍କବାଦୀମାନେ ଆଶ୍ରୟ ନେଉଛନ୍ତି । ଅନ୍ୟପଟେ ତାଲିବାନ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନକୁ ଏକ "ଖୋଲା ଯୁଦ୍ଧ" ବୋଲି ଅଭିହିତ କରିଛି । ଆଫଗାନିସ୍ତାନର ଅନେକ ସେନା ପୋଷ୍ଟ ଓ କ୍ୟାମ୍ପକୁ ସେମାନେ ଧ୍ୱଂସ କରିଛନ୍ତି ବୋଲି ପାକିସ୍ତାନ ଦାବି କରିଛି । ଆଫଗାନିସ୍ତାନର ଗୃହମନ୍ତ୍ରୀ ସିରାଜୁଦ୍ଦିନ ହକାନୀ କହିଛନ୍ତି ଯେ, ଏହି ଯୁଦ୍ଧ ପାକିସ୍ତାନ ପାଇଁ ବହୁତ ମହଙ୍ଗା ପଡ଼ିବ । ବର୍ତ୍ତମାନ କେବଳ ସୀମାରେ ଥିବା ସୈନ୍ୟମାନେ ଲଢ଼ୁଛନ୍ତି, ପୂରା ସେନା ମଇଦାନକୁ ଓହ୍ଲାଇ ନାହିଁ । ସାଉଦି ଆରବ, କତାର, ଚୀନ୍ ଏବଂ ରୁଷ ପକ୍ଷରୁ ଉଭୟ ଦେଶକୁ ସଂଯମତା ରକ୍ଷା କରିବାକୁ ଅପିଲ୍ କରାଯାଇଛି । ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦ ଉଗ୍ର ରୂପ ନେବା ଦକ୍ଷିଣ ଏସିଆର ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିଛି ।