ଶ୍ରୀନଗର, ୧।୩: ଇରାନ ସୁପ୍ରିମ୍ ଲିଡର ଖାମେନେଇଙ୍କ ମୃତ୍ୟୁ ପରେ ଜଳୁଛି ଅସନ୍ତୋଷର ନିଆଁ । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧର ପ୍ରଭାବ ଏବେ ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ଦେଖିବାକୁ ମିଳିଛି । ଆମେରିକା ଓ ଇସ୍ରାଏଲର ମିଳିତ ଏୟାର ଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ କାଶ୍ମୀର ଉପତ୍ୟକାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ରବିବାର ଶ୍ରୀନଗରର ଐତିହାସିକ ଘଣ୍ଟାଘର ସମେତ ବୁଡଗାମ୍ ଏବଂ ଉପତ୍ୟକାର ଅନ୍ୟ ସିଆ ବହୁଳ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ସିଆ ମୁସଲିମ୍ ଶୋଭାଯାତ୍ରା କରିଥିଲେ । ହାତରେ ଖାମେନେଇଙ୍କ ପୋଷ୍ଟର, ଇରାନର ପତାକା ଏବଂ କଳା-ନାଲି ରଙ୍ଗର ବ୍ୟାନର ଧରି ପ୍ରଦର୍ଶନକାରୀମାନେ ଆମେରିକା ଓ ଇସ୍ରାଏଲ ବିରୋଧରେ ଗର୍ଜନ କରିଥିଲେ । ବିକ୍ଷୋଭକାରୀଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ମଧ୍ୟ ସାମିଲ ଥିଲେ ।

ଏହା ବି ପଢ଼ନ୍ତୁ... ​​​​​​​​​​​​​​ବଦଳିଗଲା ସମୟ, ବଦଳିଗଲା ସମ୍ପର୍କ: କେମିତି ପରସ୍ପରର ପରମ ଶତ୍ରୁ ପାଲଟିଲେ ଇରାନ ଓ ଇସ୍ରାଏଲ ?

ଖାମେନେଇଙ୍କ ସହ କଶ୍ମୀରର ସମ୍ପର୍କ:

ସୂଚନାନୁସାରେ, ୧୯୮୦ ଦଶକରେ ଆୟାତୁଲ୍ଲା ଖାମେନେଇ ଶ୍ରୀନଗର ଗସ୍ତ କରିଥିଲେ । ସେବେଠାରୁ କାଶ୍ମୀରର ଶିଆ ସମ୍ପ୍ରଦାୟ ମଧ୍ୟରେ ସେ ପୂଜନୀୟ ଥିଲେ । ଖାମନେଇଙ୍କ ସମେତ ତାଙ୍କ ଝିଅ, ଜ୍ୱାଇଁ ଏବଂ ନାତିନାତୁଣୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 'ଅଲ୍ ଜେଏଣ୍ଡକେ ଶିଆ ଆସୋସିଏସନ' ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛି । ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଘଟଣାରେ ଗଭୀର ଚିନ୍ତା ପ୍ରକାଶ କରିବା ସହ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । ଶୋକାକୁଳ ପରିବେଶରେ ପୁଲିସକୁ ସଂଯମତା ଅବଲମ୍ବନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଇରାନରେ ଥିବା ଭାରତୀୟ ଛାତ୍ର ଓ ବାସିନ୍ଦାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗରେ ଥିବା ସେ କହିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଏହି ଆକ୍ରମଣକୁ "ଇତିହାସର ଏକ ଲଜ୍ଜାଜନକ ଅଧ୍ୟାୟ" ବୋଲି ବର୍ଣ୍ଣନା କରିଛନ୍ତି । ମୁସଲିମ୍ ଦେଶମାନଙ୍କର ନୀରବତାକୁ ସମାଲୋଚନା କରି ସେ ଇରାନବାସୀଙ୍କୁ ସମର୍ଥନ ଜଣାଇଛନ୍ତି । ଏହି ଯୁଦ୍ଧ ପରିସ୍ଥିତି ସତ୍ତ୍ୱେ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଦେଶର ତୈଳ ଏବଂ ଗ୍ୟାସ୍ ଯୋଗାଣ ସୁରକ୍ଷିତ ଅଛି । ଷ୍ଟ୍ରେଟ୍ ଅଫ୍ ହରମୁଜ୍ ଅଞ୍ଚଳରେ ଉତ୍ତେଜନା ଥିଲେ ମଧ୍ୟ ଭାରତର ଶକ୍ତି ସୁରକ୍ଷା ବାଧାପ୍ରାପ୍ତ ହୋଇନାହିଁ ।