ଭୁବନେଶ୍ୱର ୨୬/୦୫: ପଡ଼ୋଶୀ ପଶ୍ଚିମବଙ୍ଗ  ସମେତ ଦେଶର ୭ଟି ରାଜ୍ୟରେ ରହିଛି ନ୍ୟାସନାଲ  ଇନଷ୍ଟିଚ୍ୟୁଟ୍‌ ଅଫ ଫାର୍ମାସ୍ୟୁଟିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ  ବା ନାଇପର । କୋଭିଡ୍‌ ସମୟରେ ଅନ୍ୟ ସମସ୍ତ ଶିଳ୍ପ ଅବସ୍ଥା ମାନ୍ଦା ଥିବା ବେଳେ ଔଷଧ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ଘଟିଥିଲା ।  ସେବେଠୁ ଦିନକୁ ଦିନ ଔଷଧ ଓ ଔଷଧଜନିତ ଗବେଷଣା ବଢ଼ିଥିବା ବେଳେ ଓଡ଼ିଶାରେ କିନ୍ତୁ  ନାଇପର୍‌ ପ୍ରତିଷ୍ଠା ହୋଇପାରିନି । ତେବେ ଓଡ଼ିଶାରେ ନାଇପର୍‌ ପ୍ରତିଷ୍ଠା  ପାଇଁ କେନ୍ଦ୍ର ସରକାର ଚାହୁଁଥିବା ୨୦୧୨ ମେ ୨୧ରେ ତତ୍କାଳୀନ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ । ଏପରିକି ରାଜ୍ୟ ସରକାର ଜମି ଯୋଗାଇ  ଦେଲେ ତାହା ସମ୍ଭବ ହୋଇପାରିବ  ବୋଲି ଶ୍ରୀ ଜେନା ରାଜ୍ୟବାସୀଙ୍କୁ  ସ୍ୱପ୍ନ ଦେଖାଇଥିଲେ । ଏ ନେଇ  ସେ ଯୋଜନା ଆୟୋଗ ଓ ରାଜ୍ୟ  ସରକାରଙ୍କ ସହ ଆଲୋଚନା କରି  ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି  ମଧ୍ୟ ଦେଇଥିଲେ । ତେବେ ୧୩  ବର୍ଷ ପରେ ବି ରାଜ୍ୟରେ ପ୍ରତିଷ୍ଠା  ହୋଇପାରୁନି ନାଇପର୍‌ ।  

ଅପରପକ୍ଷେ ଗତ ଜାନୁଆରୀ ୧୩ ତାରିଖରେ କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ନାଇପର୍‌ ପ୍ରତିଷ୍ଠା କରିବାକୁ କେନ୍ଦ୍ର  ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ. ପି. ନଡ୍ଡାଙ୍କୁ ଚିଠି ଲେଖିଥିଲେ । ଭାରତ  ବାୟାଟେକ୍‌ ଓଡିଶାରେ ତାର ଟିକା ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା  କରୁଛି । ତେଣୁ ଓଡ଼ିଶାରେ ନାଇପର ହେଲେ ରାଜ୍ୟରେ ଫାର୍ମା  ଶିଳ୍ପ ପାଇଁ ତାଲିମପ୍ରାପ୍ତ ବ୍ୟକ୍ତି ବାହାରି ପାରିବେ ବୋଲି ଯୁକ୍ତି  ବାଢିଥିଲେ ଧର୍ମେନ୍ଦ୍ର । ରାଜ୍ୟରେ ଔଷଧ ଓ ଟିକା ସଂକ୍ରାନ୍ତରେ ଗବେଷଣା ବଢ଼ିବା ସହ ଛାତ୍ର ଓ ଗବେଷକଙ୍କ ସଂଖ୍ୟା ବଢିବ  ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ମଧ୍ୟ ଓଡିଶାରେ ନାଇପର୍‌ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ  ଶ୍ରୀ ନଡ଼ାଙ୍କୁ ଅନୁରୋଧ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୨୦୧୬ ଏପ୍ରିଲ  ୮ରେ ଏ ନେଇ କେନ୍ଦ୍ରକୁ ଚିଠି  ଲେଖିଥିଲେ । ଓଡ଼ିଶାରେ ନାଇପର୍‌ ପ୍ରତିଷ୍ଠା ପାଇଁ ସେ କେନ୍ଦ୍ର ସରକାରଙ୍କୁ  ଅନୁରୋଧ କରିଥିଲେ । ଏପରିକି  କ୍ୟାମ୍ପସ୍‌ ପ୍ରତିଷ୍ଠା ପାଇଁ ଜାଗା  ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ନୂଆ ଓଡ଼ିଶା ଫାର୍ମାସୀ ନୀତି ମଧ୍ୟ  ଆଣିଥିଲେ । ହେଲେ ଏ ପର୍ଯ୍ୟନ୍ତ  ନାଇପର ପ୍ରତିଷ୍ଠା ହୋଇପାରିନି ।  

ଅନ୍ୟପକ୍ଷରେ ନାଇପର୍‌  ପ୍ରତିଷ୍ଠାକୁ ନେଇ ରାଜ୍ୟର  ବିଭିନ୍ନ ସ୍ଥାନରୁ ଦାବି ଉଠିଲାଣି ।  ସମ୍ବଲପୁରରେ ପ୍ରତିଷ୍ଠା ହେଉ  ବୋଲି ସ୍ଥାନୀୟ ଜନସାଧାରଣ  ଓ ନେତା ଦାବି କରୁଥିବାବେଳେ  ବ୍ରହ୍ମପୁରରେ ଏହି ଦାବି ଅଧିକ ଜୋର ଧରିଛି । ‘ଏକତ୍ର  ବାଲେଶ୍ୱର’ ପକ୍ଷରୁ ସେଠାରେ ନାଇପର୍‌ ପ୍ରତିଷ୍ଠା ପାଇଁ  ଦାବି କରାଯାଇଛି । ବ୍ରହ୍ମପୁରରେ ଆଇଜର୍‌, ସମ୍ବଲପୁରରେ  ଆଇଆଇଏମ୍‌ ଓ ଜଟଣୀରେ ନାଇଜର୍‌ ଥିବାରୁ ବାଲେଶ୍ୱରକୁ  ନାଇପର୍‌ ଦିଆଯାଉ ବୋଲି ‘ଏକତ୍ର ବାଲେଶ୍ୱର’ର ଆବାହକ  ସରୋଜ ଦାଶ ଦାବି କରିଛନ୍ତି ।