ନୂଆଦିଲ୍ଲୀ,୧୬।୬: ଅହମ୍ମଦାବାଦ ବିମାନ ଦୁର୍ଘଟଣା ଘଟଣା ସାରା ଦେଶକୁ ମର୍ମାହତ କରିଛି। ବର୍ତ୍ତମାନ ସୁଦ୍ଧା ୨୭୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ବିମାନ ଯାତ୍ରୀଙ୍କ ସହ ସାଧାରଣ ଲୋକ ଏହି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ଏଭଳି ଦୁଃଖକୁ ମାତ୍ର ୪ ଦିନ ବିତିନଥିବା ବେ ଳେ ଆଉ ଏକ ଅଘଟଣରୁ ଅଳ୍ପକେ ମିଳିଛି ମୁକ୍ତି। ଆଜି ଏୟାର ଇଣ୍ଡିଆର ଆଉ ଏକ ବିମାନରେ ଦେଖାଯାଇଛି ଯାନ୍ତ୍ରିକ ତ୍ରୁଟି। ହଂକଂରୁ ଦିଲ୍ଲୀ ଆସୁଥିବା ବୋଇଂ ୭୮୭-୮ ଡ୍ରୀମଲାଇନର ବିମାନରେ ଦେଖିବାକୁ ମିଳିଥିଲା ସମସ୍ୟା। ଏୟାର ଇଣ୍ଡିଆର ଉଡାଣ ଏଆଇ୩୧୫ ଗତ ରାତିରେ ୧୧ଟା ୫୯ ମିନିଟ୍ରେ ହଂକଂରୁ ବାହାରିଥିଲା। ରେକର୍ଡ ଅନୁସାରେ, ବିମାନ ତିନି ଘଣ୍ଟା ୯ ମିନିଟ ବିଳମ୍ବରେ ବାହାରିଥିଲା। ତେବେ ପାଇଲଟଙ୍କୁ କିଛି ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେଣୁ ବିମାନକୁ ସେ କିଛି ସମୟ ସମୁଦ୍ର ଉପରେ ଉଡାଇଥିଲେ। ଯେତେବେଳେ ସମସ୍ୟା ଦୂର ହୋଇନଥିଲା। ସେ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ୧ ଘଣ୍ଟା ୧୯ ମିନିଟ୍ ପରେ ହଂକଂ ଫେରିଯାଇଥିଲା ବିମାନ।
ସେପଟେ ଅମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରଥମ ପରେ ଏବେ ମିଳିଛି ବିମାନର ଦ୍ବିତୀୟ ବ୍ଲାକବକ୍ସ । ଏହାକୁ ଠାବ କରିଛନ୍ତି ତଦନ୍ତକାରୀ ଟିମ୍। କେବଳ ସେତିକି ନୁହେଁ କକପିଟ୍ର ଭଏସ୍ ରେକର୍ଡର ମଧ୍ୟ ମିଳିଛି। ଦ୍ବିତୀୟ ବ୍ଲାକବକ୍ସ ମିଳିଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପିକେ ମିଶ୍ରଙ୍କୁ ସୂଚନା ଦେଇଛନ୍ତି ତଦନ୍ତକାରୀ ଟିମ୍। ବ୍ଲାକବକ୍ସ ମିଳିଥିବା ନେଇ ତଦନ୍ତକାରୀ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପିକେ ମିଶ୍ରଙ୍କୁ ଅବଗତ କରାଇଛନ୍ତି । ଗତକାଲି ପିକେ ମିଶ୍ର ବିମାନ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏହା ସହିତ ହସ୍ପିଟାଲରେ ଆହତଙ୍କୁ ଭେଟିଥିଲେ । ପୂର୍ବରୁ ବିମାନ ଦୁର୍ଘଟଣାର ତଦନ୍ତକାରୀ ଟିମ୍ ବିମାନ ଡାଟା ରେକର୍ଡର ଜବତ କରିଥିଲା । ଏବେ କକପିଟ୍ ଭଏସ୍ ରେକର୍ଡର ଠାବ ହୋଇଛି । ଉଭୟ ବ୍ଲାକ ବକ୍ସ ଯଥା ଏଫଡିଆର ଏବଂ ସିଭିଆରକୁ ଠାବ କରିବା ସହିତ ସୁରକ୍ଷିତ ରଖାଯାଇଛି ।
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏଯାବତ ୮୦ଜଣଙ୍କ ଡିଏନଏ ନମୁନା ମିଶିଛି । ଅର୍ଥାତ ୮୦ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି । ଏପର୍ଯ୍ୟନ୍ତ ୪୨ ଜଣଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ବିମାନ ଦୁର୍ଘଟଣାରେ ମୋଟ ଡିଏନଏ ନମୁନା ସଂଖ୍ୟା ୯୯ ରେ ପହଞ୍ଚିଛି, ଯେଉଁଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ମଧ୍ୟ ଅନ୍ତର୍ଭୁକ୍ତ।