ଅନୁଗୁଳ, ୨୨।୧୨: ଚିକେନ ଓ ପାଳଙ୍ଗ ଶାଗ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା ଇଟାପ ଗାଁରେ ଏଭଳି ଘଟଣା ସାମନାକୁ ଆସିଛି । ରାତିରେ ଚିକେନ ଓ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ସକାଳୁ କବାଟ ନ ଖୋଲିବାରୁ ପଡ଼ୋଶୀ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ପରିବାରର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।
ମୃତକମାନେ ଇଟାପ ଗାଁର ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ଓ ଉଭୟଙ୍କ ଦୁଇ ପୁଅ ପିଣ୍ଟୁ ସାହୁ ଓ ଲିଣ୍ଟୁ ସାହୁ । ବର୍ତ୍ତମାନ ମା’ ଓ ଦୁଇ ପୁଅଙ୍କ ମୃତଦେହ ଅନୁଗୁଳ ମେଡିକାଲ ଶବଦାହ ଗୃହରେ ରଖାଯାଇଛି । ତେବେ ସମସ୍ତଙ୍କ ମୃତ୍ୟୁ ଫୁଡ୍ ପଏଜନ୍ କିମ୍ୱା ଅନ୍ୟ କୌଣସି କେଉଁ କାରଣରୁ ହୋଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ । ଅନୁଗୁଳ ଏବଂ କଣ୍ଟାବଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।