ନୂଆଦିଲ୍ଲୀ, ୧୮।୭: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍‌ଶୀଘ୍ର ଦେଶରେ ପ୍ଲାଷ୍ଟିକ୍‌ ଅର୍ଥାତ ପଲିମରରୁ ପ୍ରସ୍ତୁତ ନୋଟ୍‌ର ପାଇଲଟ୍‌ ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛି । ଏକ ଗଣାମାଧ୍ୟମ ରିପୋର୍ଟରୁ ଏହା ଜଣାପଡ଼ିଛି । ଏହା ଦେଶରେ ନୂତନ ପିଢ଼ିର କରେନ୍ସି ଆଣିବା ଦିଗରେ ଆର୍‌ବିଆଇର ଯୋଜନାର ଅଂଶବିଶେଷ । ପ୍ରାରମ୍ଭିକ ସ୍ତରରେ କ୍ଷୁଦ୍ର ମୂଲ୍ୟ ନୋଟ୍‌ ଉପରେ ଏହାର ପରୀକ୍ଷଣ କରିବ ଆର୍‌ବିଆଇ । ଅଧିକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରଥମ ପାଇଲଟ ପରୀକ୍ଷଣ ୧୦ ଟଙ୍କା ଏବଂ ୨୦ ଟଙ୍କିଆ ନୋଟ ସହିତ ଆରମ୍ଭ ହୋଇପାରେ । ଏହି ପରୀକ୍ଷଣର ଫଳାଫଳ ଏବଂ ଅନୁଭୂତି ଆଧାରରେ ଆର୍‌ବିଆଇ ପରବର୍ତ୍ତୀ ନିଷ୍ପତ୍ତି ନେବ । 

ଯଦି ପରୀକ୍ଷଣ ସମ୍ପୂର୍ଣ୍ଣ ରୂପେ ସଫଳ ହୁଏ, ତେବେ ଆର୍‌ବିଆଇ ବର୍ଷ ୨୦୨୭ରୁ ଦେଶରେ ପୂର୍ଣ୍ଣ ସ୍କେଲରେ ଏହି ପଲିମର ନୋଟ୍‌ଗୁଡ଼ିକର ଲଞ୍ଚିଂ ଆରମ୍ଭ କରିପାରେ । ଭାରତ ବଜାରରେ ପଲିମର ନୋଟ୍‌ ଆସିବାର ଅର୍ଥ ନୁହେଁ ଯେ, ବର୍ତ୍ତମାନର କାଗଜ ନୋଟ୍‌ର ପ୍ରଚଳନ ତୁରନ୍ତ ବନ୍ଦ ହୋଇଯିବ । ଆର୍‌ବିଆଇ ସ୍ପଷ୍ଟ କରିଛି ଯେ, ନୂଆ ନୋଟ୍‌ ପୁରୁଣା ପେପର୍‌ ନୋଟ୍‌ର ସ୍ଥାନ ନେବ ନାହିଁ । ବଜାରରେ ପଲିମର ଏବଂ ପେପର ନୋଟ୍‌ ଉଭୟ ଏକସଙ୍ଗେ ଚାଲିବ । ପର୍ଯ୍ୟାୟକ୍ରମେ ଏହି ପରିବର୍ତ୍ତନ କରାଯିବ । ଯେ ପର୍ଯ୍ୟନ୍ତ ନୂଆ ନୋଟ୍‌ ସମ୍ପୂର୍ଣ୍ଣ ରୂପେ ସ୍ଥାପିତ ହୋଇନାହିଁ ସେ ପର୍ଯ୍ୟନ୍ତ କାଗଜ ନୋଟ୍‌ର ସର୍କୁଲେସନ ଜାରି ରହିବ । ପ୍ରକାଶଯୋଗ୍ୟ, ଆର୍‌ବିଆଇର ନୋଟ୍‌ ପ୍ରିଣ୍ଟ୍ରିଂ ୟୁନିଟ୍‌ ବିଶ୍ୱ ସ୍ତରରେ ‘ଏକ୍ସପ୍ରେସନ ଅଫ୍‌ ଇଣ୍ଟ୍ରେଷ୍ଟ(ଇଓଆଇ)’ ଜାରି କରିଛି । ଏହି ଟେଣ୍ଡର ବିଶେଷ ପ୍ରକାର ‘ପଲିମର ସବ୍‌ଷ୍ଟ୍ରେଟ୍‌ ଶିଟ୍‌’ର ଉତ୍ପାଦନ ଏବଂ ଯୋଗାଣ ପାଇଁ ଆହ୍ୱାନ ଦିଆଯାଇଛି, ଯାହାର ବ୍ୟବହାର ଏହି ନୋଟ୍‌ଗୁଡ଼ିକୁ ଛାପିବା ପାଇଁ କରାଯାଇଥାଏ । 

ଏହା ବି ପଢ଼ନ୍ତୁ... India's First Hydrogen Train: ଡିଜେଲ ଯୁଗକୁ ବିଦାୟ ! ଆଜି ଭାରତରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

ଆର୍‌ବିଆଇ ଦସ୍ତାବିଜ ଅନୁସାରେ, ବିଶ୍ୱବ୍ୟାପୀ ଉତ୍ପାଦନକାରୀମାନଙ୍କୁ ଅତ୍ୟାଧୁନିକ ସୁରକ୍ଷା ବୈଶିଷ୍ଟ୍ୟ ଥିବା ପଲିମର ସବ୍‌ଷ୍ଟ୍ରେଟ୍‌ର ଯୋଗାଣ ପାଇଁ ଆହ୍ୱାନ କରାଯାଇଛି । ଏହି ଟେଣ୍ଡର ଅଧୀନରେ ବିଡ୍‌ ଦାଖଲ କରିବାର ଅନ୍ତିମ ତାରିଖ ଅଗଷ୍ଟ ୧୮ ଧାର୍ଯ୍ୟ କରାଯାଇଛି । ପଲିମରରେ ପ୍ରସ୍ତୁତ ବ୍ୟାଙ୍କ୍‌ନୋଟ୍‌ ପାରମ୍ପରିକ କାଗଜ ନୋଟ୍‌ ତୁଳନାରେ ଦୀର୍ଘସ୍ଥାୟୀ । ଏହି ନୋଟ୍‌ ପାଣି ଏବଂ ଧୂଳିରେ ବି ସୁରକ୍ଷିତ । ଏହାବ୍ୟତୀତ ଏହା ସହଜରେ ଫାଟିବ ନାହିଁ । ଉକ୍ତ କାରଣରୁ ଏ ନୋଟ୍‌ ବଜାରରେ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ । ପଲିମର ସିଟ୍‌ର ସବୁଠୁ ବଡ଼ ଫାଇଦା ହେଉଛି ଏଥିରେ ଅତ୍ୟାଧୁନିକ ସୁରକ୍ଷା ବୈଶିଷ୍ଟ୍ୟକୁ ସହଜରେ ଯୋଡ଼ାଯାଇପାରିବ । ଫଳରେ ନକଲି ନୋଟ୍‌ ପ୍ରସ୍ତୁତ କରୁଥିବା ଲୋକଙ୍କ ପାଇଁ ଏହାର ନକଲ କରିବା କଠିନ ।