PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଯୁବଙ୍କ ବେକ କାଟି କେନାଲ୍‌ ରୋଡ୍‌ରେ ଫିଙ୍ଗି ଦେଲେ ଦୁର୍ବୃତ୍ତ

କଟକ,୨୪/୦୭(ବ୍ୟୁରୋ): ରାଣୀହାଟ ଅଞ୍ଚଳରେ ଆଜି ଏକ ବୀଭତ୍ସ ହତ୍ୟାକାଣ୍ଡ ଆଲୋଡନ କରିଛନ୍ତି । କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ବେକ କାଟି ହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଉଳପୁର ଗ୍ରାମର ନାଥ ରାଉତଙ୍କ ପୁଅ କୋଦଣ୍ଡ ରାଉତ(୫୫) । ସେ ଦୀର୍ଘ ବର୍ଷ ହେବ କଟକରେ ରହି ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ରାତିରେ କେହି ତାଙ୍କୁ ହତ୍ୟା କରିବା ପରେ ତାଳଦଣ୍ଡା କେନାଲ୍‌ ରୋଡ୍‌ରେ ଫିଙ୍ଗି ଚାଲିଯାଇଥିବା ପୁଲିସ କହିଛି । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ, ରାଣୀହାଟ ଦୁର୍ଗାମଣ୍ଡପ ନିକଟ କେନାଲ ରୋଡରେ ଥିବା ଚା’ ଦୋକାନ ପାଖରେ ଏକ ମୃତଦେହ ପଡିଥିବା ଆଜି ସକାଳେ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ପରେ ଏନେଇ ପୁଲିସକୁ ସୂଚନା ଦିଆଯାଇଥିଲା । ଖବର ପାଇ ମଙ୍ଗଳାବାଗ ଥାନା ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବିକୁ ପଠାଇଥିଲା । ତେବେ ମୃତକଙ୍କ ପରିଚୟ କେହି ଜାଣିନଥିବାରୁ ତାଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ପ୍ରାଥମିକ ଭାବେ ଅସୁବିଧା ହୋଇଥିଲା । ପରେ ପାଖ ଅଞ୍ଚଳର ଜଣେ ବ୍ୟକ୍ତି ମୃତକଙ୍କ ଗାଁ ନାଁ କହିବାରୁ ପୁଲିସ ଢେଙ୍କାନାଳ ସଦର ଥାନା ସହିତ ଯୋଗଯୋଗ କରି ମୃତକଙ୍କ ପରିବାରକୁ ହତ୍ୟାକାଣ୍ଡ ବିଷୟରେ ଜଣାଇଥିଲା । ପରେ ମୃତକଙ୍କ ପୁଅ କଟକ ଆସି ଏସ୍‌ସିବିରୁ ମୃତଦେହ ନେଇଥିଲେ । ମୃତ କୋଦଣ୍ଡଙ୍କ ଶେଷକୃତ୍ୟ ଖାନ୍‌ନଗର ଶ୍ମଶାନରେ ଶେଷ ହୋଇଛି ।

ପୁଲିସର କହିବାନୁସାରେ, କୋଦଣ୍ଡ ରାଉତ ଗତ ୨୦ ବର୍ଷ ତଳେ ଗାଁ ଛାଡ଼ି କଟକ ପଳାଇ ଆସିଥିଲେ । ସେବେଠାରୁ ସେ ସହରର ବିଭିନ୍ନ ସ୍ଥାନରେ ବୁଲି ଦିନ ମଜୁରିଆ ଭାବେ କାମ କରନ୍ତି । ରାତି ହେଲେ ବିଭିନ୍ନ ଦୋକାନ ସମ୍ମୁଖରେ ଶୋଇ ପଡ଼ନ୍ତି । ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସ୍ଥାନୀୟ ଅଞ୍ଚଳର କିଛ ଦୋକାନୀ କୋଦଣ୍ଡଙ୍କୁ ଦେଖିଥିଲେ । ମାତ୍ର ଆଜି ସକାଳୁ ତାଙ୍କ ମୃତଦେହ ଜବତ ହୋଇଛି । କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ କୋଦଣ୍ଡଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଛନ୍ତି । ପ୍ରଚୁର ରକ୍ତସ୍ରାବ ହେବା ମୃତ୍ୟୁର କାରଣ ବୋଲି ପୁଲିସ ପ୍ରାଥମିକ ଭାବେ ଜାଣିବାକୁ ପାଇଛି ।

ମାତ୍ର ଘଟଣା ସ୍ଥଳରୁ କୌଣସି ପ୍ରକାର ଜିନିଷପତ୍ର ବା ହତ୍ୟାରେ ବ୍ୟବହୃତ ଅସ୍ତ୍ର ମିଳିନାହିଁ । ଅନ୍ୟପଟେ ଜଣେ ଦିନ ମଜୁରିଆଙ୍କୁ କିଏ ଓ କାହିଁକି ହତ୍ୟା କରିବ ସେନେଇ ପୁଲିସ ଚିନ୍ତାରେ ପଡ଼ିଛି । ହତ୍ୟାକାଣ୍ଡ ହୋଇଥିବା ଆଖାପାଖ ଅଞ୍ଚଳରେ ମଧ୍ୟ କୌଣସି ସିସିଟିଭି ନାହିଁ । ତେଣୁ ପୁଲିସ ଏବେ ଅନ୍ଧାରରେ ବାଡ଼ି ବୁଲାଉଛି । କୌଣସି ଏକ ଛୋଟ କାରଣକୁ ନେଇ ହଠାତ୍‌ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଅନୁମାନ କରୁଛି । ଏନେଇ ମଙ୍ଗଳାବାଗ ଥାନାରେ କେସ ନଂ ୧୭୧/୧୯, ଆଇପିସି ୩୦୨ ଧାରାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଖୁବଶୀଘ୍ର ହତ୍ୟାକାଣ୍ଡରେ ଅଭିଯୁକ୍ତ ଗିରଫ ହେବେ ବୋଲି ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି ।