ପୁରୀ,୨୨/୦୩ : ପୁଣି ମହାପ୍ରଭୁଙ୍କୁ ଅସମ୍ମାନ । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଇ-ଅଟୋରେ ବାନ୍ଧି ନିଆଯାଇଛି । ହରିରାଜପୁର ମେଳଣ ପଡ଼ିଆକୁ ନିଆଯାଉଥିବା କହିଛନ୍ତି ଅଟୋ ଚାଳକ । ଏଭଳି ଦୃଶ୍ୟ ଜାତୀୟ ରାଜପଥରେ  ଶହ ଶହ ବାଟୋଇଙ୍କ ଭାବାବେଗକୁ ଆଘାତ  ଦେଇଛି । 

ଗତ ୧୯ ତାରିଖ ଅପରାହ୍ନ  ସାଢ଼େ ୨ଟା । ରାଜପଥରେ ଯାଉଥିଲା  ଇ-ଅଟୋ(ଓଡି-୧୩ୟୁ-୧୧୪୯) । ଅଟୋର ଛାତ ଉପରେ କପଡ଼ା ଗୁଡ଼ାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଉପରକୁ ମୁହଁ କରି ବାନ୍ଧି ଦିଆଯାଇଥିଲା । ଅଟୋ ଭିତରେ ଦେବୀ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସାମ୍ନାକୁ ମୁହଁ କରି ସିଟ୍‌ ଉପରେ ବସାଇ ବନ୍ଧା ଯାଇଥିଲା । ସିଟ୍‌ର ତଳେ ବଡ଼ ଠାକୁରଙ୍କୁ ପଛକୁ ମୁହଁ  କରି ବସାଇ ବାନ୍ଧି ଦିଆଯାଇଥିଲା । ତିନି ଠାକୁରଙ୍କୁ ଏଭଳି  ଅବସ୍ଥାରେ ନେଇ ଦ୍ରୁତ ଗତରେ ଯାଉଥିଲା ଇ-ଅଟୋ ।  ବାଟରେ ଅନେକ ବାଟୋଇ ଏନେଇ ଚାଳକଙ୍କୁ ଗାଳି କରିବା  ସହ ଏଭଳି ନନେବା ପାଇଁ ନିବେଦନ କରିଥିଲେ । ହେଲେ  ଚାଳକ ଜଣକ କୌଣସି କଥା ନଶୁଣି ତିନି ଠାକୁରଙ୍କୁ ଏଭଳି  ଅବସ୍ଥାରେ ନେଇ ପଳାଇଥିଲେ। ବାଟୋଇଙ୍କ ପ୍ରଶ୍ନର ଉତ୍ତର  ରଖି ଚାଳକ ଜଣକ କହିଥିଲେ ହରିରାଜପୁର ମେଳଣକୁ  ଠାକୁରେ ଭୋଗ ଖାଇବାକୁ ଯାଉଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମହାପ୍ରଭୁଙ୍କୁ ଅନେକ ଥର ଏଭଳି ଅପମାନ ଜନକ  ଅବସ୍ଥାରେ ନିଆଯାଇଥିବା ଭିଡିଓ ଭାଇରାଲ୍‌ ହୋଇଛି ।