ରାଜସ୍ଥାନ, ୧୬।୪: ରାଜସ୍ଥାନର କୋଟା ଜିଲ୍ଲାରେ ଜାତୀୟ ରାଜପଥ-୨୭ ଉପରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ ସ୍ଲିପର୍ କୋଚ୍ ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୫ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଚାଳକଙ୍କୁ ନିଦ ଆସିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ବସ୍ଟି ପ୍ରାୟ ୬୦ ଜଣ ଯାତ୍ରୀଙ୍କୁ ନେଇ ଗୁଜରାଟର ଅହମ୍ମଦାବାଦରୁ ମଧ୍ୟପ୍ରଦେଶର ଭିଣ୍ଡ୍ ଅଭିମୁଖେ ଯାଉଥିଲା । ରାତି ପ୍ରାୟ ୧୧ଟା ୧୫ ମିନିଟ୍ ସମୟରେ କୋଟା ବାଇପାସ୍ର ହରେ କୃଷ୍ଣ ମନ୍ଦିର ନିକଟରେ ଚାଳକ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ । ବସ୍ଟି ପ୍ରଥମେ ଡିଭାଇଡର୍ ଉପରେ ଚଢ଼ିଯାଇ ବିପରୀତ ଲେନ୍ରେ ଓଲଟି ପଡ଼ିଥିଲା । ସେହି ସମୟରେ ଅନ୍ୟ ପଟୁ ଏକ ଟ୍ରେଲର୍ ଆସୁଥିଲା । ଯଦିଓ ଟ୍ରେଲର୍ ଡ୍ରାଇଭର୍ ବ୍ରେକ୍ ମାରି ବସ୍ ସହ ଧକ୍କା ହେବାକୁ ରୋକି ଦେଇଥିଲେ, କିନ୍ତୁ ବସ୍ କାଚ ଭାଙ୍ଗିଯିବାରୁ ୩ ଜଣ ଯାତ୍ରୀ ରାସ୍ତାକୁ ଛିଟିକି ପଡ଼ି ଲର୍ ଚକ ତଳେ ଚାପି ହୋଇଯାଇଥିଲେ ।
ଏହା ବି ପଢ଼ନ୍ତୁ... Road Accident; ବୋଲେରୋ-ମିନି ଟ୍ରକ୍ ଧକ୍କା, ଚାଲିଗଲା ୮ ଜୀବନ, ୧୨ ଆହତ
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯାତ୍ରୀମାନେ ବସ୍ ଭିତରେ ଚାପି ହୋଇ ରହିଥିଲେ । ସୂଚନା ପାଇ ଏସ୍ପି ତେଜସ୍ୱିନୀ ଗୌତମଙ୍କ ସମେତ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗ୍ୟାସ୍ କଟର୍ ସାହାଯ୍ୟରେ ବସ୍ର ଲୁହା ବଡ଼ିକୁ କାଟି ଫସି ରହିଥିବା ଯାତ୍ରୀଙ୍କୁ ବାହାର କରାଯାଇଥିଲା । ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା, ଯେଉଁଥିରେ ନବୀନ ଓ ଧର୍ମେନ୍ଦ୍ର ନାମକ ଦୁଇ ଜଣ ଯୁବକଙ୍କୁ ଚିହ୍ନଟ କରାଯାଇଛି । ଆହତମାନଙ୍କୁ ତୁରନ୍ତ ମେଡିକାଲ କଲେଜର ନୂଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ମହିଳା, ଶିଶୁ ଓ ବୃଦ୍ଧ ରହିଛନ୍ତି । ବସ୍ ଚାଳକଙ୍କ ଅବସ୍ଥା ମଧ୍ୟ ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଏହି ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ ପ୍ରାୟ ୪-୫ ଘଣ୍ଟା ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା । ପରେ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବସ୍କୁ ରାସ୍ତାରୁ ହଟାଯାଇଥିଲା । ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
ଅନ୍ୟପଟେ ଗୁରୁବାର ସକାଳ ସମୟରେ ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ବୋଲେରୋକୁ ଏକ ଲରି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦-୧୨ ଜଣ ଆହତ ହୋଇଥିଲେ । ମୃତକମାନେ କର୍ଣ୍ଣାଟକ ଚିକ୍କାମାଗାଲୁରୁ ଅଞ୍ଚଳରେ ତୀର୍ଥଯାତ୍ରୀ ହୋଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ମୃତକମାନେ ସମସ୍ତେ କର୍ଣ୍ଣାଟକର ଚିକ୍କାବଲ୍ଲପୁରର ବାସିନ୍ଦା । ଦୁର୍ଘଟଣା ଘଟିବା ସମୟରେ ଶ୍ରଦ୍ଧାଳୁମାନ ଏକ ବୋଲେରୋ ଗାଡ଼ିରେ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବିପରୀତ ଦିଗରୁ ଆସୁଥିବା ସିମେଣ୍ଟ ଏବଂ ପଥର ବୋଝେଇ ଲରି କଲ୍ଲୁଦେଭାକୁଣ୍ଟା ନିକଟରେ ବୋଲେରୋ ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ ଅନ୍ୟ ଦୁଇଜଣ ପରେ ପରେ ଆଖି ବୁଜିଥିଲେ ।