ନୂଆଦିଲ୍ଲୀ ୨୪/୧୨: ଆଇଆଇଟି ଦିଲ୍ଲୀ ବିଶ୍ୱର ପ୍ରଥମ ଉନ୍ନତ ଏଆଇ ଏଜେଣ୍ଟ୍ ପ୍ରସ୍ତୁତ କରିଛି, ଯାହା ଅଧ୍ୟୟନର ଦିଗ ଓ ବେଗକୁ ବଦଳାଇବ । ଏହାର ନାଁ ଏଆଇଏଲ୍‌ଏ, ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲାବୋରେଟୋରୀ ଆସିଷ୍ଟାଣ୍ଟ୍ । ଏହା କୌଣସି ସାଧାରଣ ଏଆଇ ଟୁଲ୍ ନୁହେଁ । ପ୍ରୟୋଗଶାଳାରେ ନିଜେ ଅନେକ ପରୀକ୍ଷଣ କରିବାରେ ସକ୍ଷମ । ଏହାର ପ୍ରସ୍ତୁତିରେ ପ୍ରାୟ ୧ ବର୍ଷ ସମୟ ଲାଗିଛି ।

ଏହାର ପ୍ରସ୍ତୁତି ଟିମ୍‌ର ସଦସ୍ୟ ପ୍ରଫେସର ଏନ୍ ଏମ୍ ଅନୂପ କୃଷ୍ଣନ୍ କହିଛନ୍ତି, ଏହି ପ୍ରୋଜେକ୍ଟରେ ଭାରତୀୟ ଅଧ୍ୟୟନକର୍ତ୍ତାଙ୍କ ସମେତ ଜର୍ମାନୀର ଦୁଇଜଣ ଅଧ୍ୟୟନକର୍ତ୍ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଆଇଏଲ୍‌ଏ ଅଧ୍ୟୟନକର୍ତ୍ତାଙ୍କ ସହଯୋଗୀ ଭାବେ କାମ କରେ । ଯେଉଁ କାମରେ ଅଧ୍ୟୟନକର୍ତ୍ତାଙ୍କୁ ସବୁଠୁ ଅଧିକ ସମୟ ଲାଗେ, ଏଆଇଏଲ୍‌ଏ ତାକୁ ଖୁବ୍‌ଶୀଘ୍ର ଶେଷ କରିପାରେ । ଯେଉଁଠି ଜଣେ ଅଧ୍ୟୟନକର୍ତ୍ତାଙ୍କୁ ଗୋଟିଏ କାମ ଶେଷ କରିବାକୁ ୭-୮ ଘଣ୍ଟା ସମୟ ଲାଗେ, ଏଆଇଏଲ୍‌ଏ ତାକୁ ମାତ୍ର ୭ ମିନିଟ୍‌ରେ ଶେଷ କରିବ । ଏଆଇଏଲ୍‌ଏକୁ ମଧ୍ୟ ଚାଟ୍‌ଜିପିଟି ଭଳି ପ୍ରମ୍ପ୍ଟ ଦିଆଯାଏ, କିନ୍ତୁ ଫଳାଫଳରେ ଫରକ ଦେଖିବାକୁ ମିଳିଛି । ଚାଟ୍‌ଜିପିଟି କେବଳ ପ୍ରଶ୍ନର ଉତ୍ତର ଦିଏ । ଏଆଇଏଲ୍‌ଏ ପରୀକ୍ଷଣ ପାଇଁ କୋଡିଂ କରେ ଏବଂ କୌଣସି ମାନବୀୟ ସାହାଯ୍ୟ ବିନା ତାକୁ ନିଜେ ପ୍ରଦର୍ଶନ ମଧ୍ୟ କରେ ।

ଏଆଇଏଲ୍‌ଏ ଉପରେ ଅଦ୍ୟାବଧି ୧୦୦ ପରୀକ୍ଷଣ କରାଯାଇଛି, ଯେଉଁଥିରେ ତା’ର ସଠିକତା ହାର ପ୍ରାୟ ୮୦ ପ୍ରତିଶତ ରେକର୍ଡ ହୋଇଛି । ଏଆଇଏଲ୍‌ଏ ସ୍ୱାସ୍ଥ୍ୟ, ପରିବେଶ, ଉର୍ଜ୍ଜା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଅଧ୍ୟୟନ ଓ ପରୀକ୍ଷଣର ବେଗକୁ ଅନେକ ଗୁଣ ବଢ଼ାଇପାରେ । ତେବେ ଏତେସବୁ ଗୁଣ ସତ୍ତେ୍ୱ ଏଆଇଏଲ୍‌ଏର ପ୍ରସ୍ତୁତକର୍ତ୍ତା ସ୍ପଷ୍ଟ କରିଛନ୍ତି, ଏହି ଟେକ୍ନୋଲୋଜି କାହାର ଚାକିରି ଛଡ଼ାଇବା ପାଇଁ ନୁହେଁ । ଏହାର ଲକ୍ଷ୍ୟ, ମାନବ ଅଧ୍ୟୟନକୁ ଆହୁରି ଉଚ୍ଚକୁ ନେବା, ଯଦ୍ଦ୍ୱାରା ମଣିଷ ଓ ମେସିନ୍ ମିଳିତ ଭାବେ ବିଜ୍ଞାନକୁ ନୂଆ ଶିଖରକୁ ନେଇପାରିବେ ।