ନୂଆଦିଲ୍ଲୀ,୧୭/୧୧: ଭାରତର ମଧ୍ୟବିତ୍ତ ବର୍ଗଙ୍କ ଚାକିରି ପ୍ରତି ବିପଦ ମାଡ଼ିଆସିଲାଣି । ୨ କୋଟି ଭାରତୀୟଙ୍କ ଚାକିରି ବିପଦରେ । ଏହା ମାନ୍ଦାବସ୍ଥା ପାଇଁ ନୁହେଁ ବରଂ ଅନ୍ୟ କେତେକ କାରଣ ପାଇଁ ହେବ । ମାର୍ସଲସ୍ ଇନ୍‌ଭେଷ୍ଟମେଣ୍ଟ୍ ମ୍ୟାନେଜର୍ସର ପ୍ରତିଷ୍ଠାତା ସୌରଭ ମୁଖାର୍ଜୀ ଚେତାବନୀ ଦେଇଛନ୍ତି ଯେ,ଯଦି ନୀତି ନିର୍ମାତାମାନେ ତୁରନ୍ତ ପଦକ୍ଷେପ ନ ନିଅନ୍ତି ତେବେ ଏହାର ପରିଣାମ ବିନାଶକାରୀ ହୋଇପାରେ ।

ତାଙ୍କ କହିବାନୁସାରେ, ମାନ୍ଦାବସ୍ଥା ପାଇଁ ନୁହେଁ ବରଂ କମ୍ପାନିଗୁଡ଼ିକର କାରବାର, ଏଆଇ ଏବଂ ବିଶ୍ୱ ବ୍ୟାପାରରେ ଦେଖାଦେଇଥିବା ଅସ୍ଥିରତା କାରଣରୁ ଚାକିରି ଯାଇପାରେ । ନିକଟରେ ଏକ ପଡ୍କାଷ୍ଟରେ ମୁଖାର୍ଜୀ ଭାରତର ହ୍ୱାଇଟ୍କୋଲାର ନିଯୁକ୍ତି ବଜାରରେ ଚାଲିଥିବା ଅସ୍ଥିରତାର ଏକ ଛବି ଉପସ୍ଥାପନ କରିଛନ୍ତି । ସେ କହିଲେ ଯେ, ଆମ ନିଯୁକ୍ତି ବଜାରରେ ଅନିଶ୍ଚିତତା ଦେଖିବାକୁ ମିଳୁଛି । ଆଇଟି, ବ୍ୟାଙ୍କିଙ୍ଗ୍ ଏବଂ ମିଡିଆ ଭଳି ମାନକ ମଧ୍ୟବିତ୍ତ ବର୍ଗ ଚାକିରିର ସ୍ଥାନ ଗିଗ୍ ଜବ୍ ନେଇଯିବ ।

ତାଙ୍କ ଅନୁମାନ ମୁତାବକ, ଭାରତକୁ ଏହାର ସମ୍ପୂର୍ଣ୍ଣ ପ୍ରଭାବ ସହିବା ପାଇଁ ଦୁଇରୁ ତିନି ବର୍ଷ ଲାଗିବ । ଏ ସମୟରେ ବେତନଭୋଗୀ ନିଯୁକ୍ତିର ଏକ ବଡ଼ ଅଂଶ ଉଭାନ ହୋଇଯାଇପାରେ । ସେତେବେଳେ ଭାରତ ଏକ ବଡ଼ ଗିଗ୍ ଅର୍ଥନୀତି ପାଲଟିବ । ଏହା କେବଳ ରାଇଡ୍ସେୟାର ଏବଂ ଫୁଡ୍ ଡେଲିଭରୀ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ । ସେ ଆହୁରି କହିଲେ ଯେ, ଆର୍ଥିକ ମାନ୍ଦାବସ୍ଥା କାରଣରୁ ଏହା ହେବ ନାହିଁ ବରଂ ଉକ୍ତ କମ୍ପାନିଗୁଡ଼ିକ ଯୋଗୁ ଏସବୁ ଚାକିରି ଚାଲିଯିବ, ଯେଉଁମାନେ କମ୍ ଖର୍ଚ୍ଚରେ ଦକ୍ଷତା ବଢ଼ାଇବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇକୁ ଆପଣାଉଛନ୍ତି ।

ମୁଖାର୍ଜୀ କହିଲେ ଯେ, ପ୍ରତ୍ୟେକ କମ୍ପାନି ଏବେ ଲୋକଙ୍କ ସ୍ଥାନରେ ଏଆଇକୁ ଆପଣାଉଛନ୍ତି । ସେ ବ୍ୟାଙ୍କ ହୁଅନ୍ତୁ କିମ୍ବା ମିଡିଆ ପ୍ରତିଷ୍ଠାନ କିମ୍ବା ଆଇଟି ସେବା ପ୍ରଦାନକାରୀ । ବିଜ୍ଞାପନ ବି ଏଆଇଭିତ୍ତିକ ହୋଇଗଲାଣି । ଏପରିକି ବିଜ୍ଞାପନରେ ଦେଖାଯାଉଥିବା ମଡେଲ ବି ଏଆଇ । ବିଜ୍ଞାପନରେ ଦେଖାଯାଉଥିବା ଶୁଆ ବି ଏଆଇ । ଏଭଳି କ୍ଷେତ୍ରରେ ଲୋକଙ୍କ ଆବଶ୍ୟକତା କମିଯିବ ଏବଂ ସେମାନଙ୍କ ସ୍ଥାନ ଏଆଇ ନେବ । ଫଳରେ ବିପୁଳ ସଂଖ୍ୟାରେ ଚାକିରି ଚାଲିଯାଇପାରେ । ମୁଖାର୍ଜୀ ବାହ୍ୟ ରିସ୍କ ବିଶେଷ କରି ଆମେରିକା ସହ ବାଣିଜ୍ୟିକ ମତଭେଦକୁ ନେଇ ବି ଚିନ୍ତା ପ୍ରକଟ କରିଛନ୍ତି । ଏସବୁ ମଧ୍ୟ ଛଟେଇର ପ୍ରମୁଖ କାରଣ । ଯଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍‌କୁ  ପ୍ରତ୍ୟାହାର ନ କରନ୍ତି ତେବେ ଖ୍ରୀଷ୍ଟମାସ ସୁଦ୍ଧା ୨ କୋଟି ଭାରତୀୟଙ୍କ ଚାକିରି ଚାଲିଯାଇପାରେ ବୋଲି ମୁଖାର୍ଜୀ ପ୍ରକାଶ କରିଛନ୍ତି।