ଭୟ , ଶଙ୍କା ଆଉ ଆଶଙ୍କା । ଭୂତ ଭଳି ଗୋଡ଼ାଉଛି । ଝୁଲୁଛି ଚାକିରିରୁ ଛଟେଇର ଖଣ୍ଡା । ଏଆଇ ଫାଶ ପେସାଦାରମାନଙ୍କ ଚାକିରି ଖାଇଲାଣ । ଆଗକୁ ଅଧିକ ଛଟେଇ ହେବ। ହେଲାଣ ଏମିତି ଭବିଷ୍ୟବାଣୀ । ଯୁବପଢ଼ି ଏବେ ଚିନ୍ତାରେ। ଏଆଇ ସପକ୍ଷରେ ବି ଓକିଲାତି କମ୍ ନୁହେଁ । ଏ ପ୍ରଯୁକ୍ତବିଦ୍ୟା କାଳେ ଦକ୍ଷତା ଓ ସୃଜନଶୀଳତାକୁ ଶୀର୍ଷକୁ ନେବ । ଏଆଇର ବିକାଶ ଯେ ଦୁନିଆରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ତାହା କିନ୍ତୁ ଜଳଜଳ ।
ରାତିରେ ସୁନେଲି ସ୍ୱପ୍ନ । ସକାଳ ପାଇଲା ବେଳକୁ ଅନ୍ତର୍ଦାହ ଆଉ ଛଟପଟ । ନିଦ ଭାଙ୍ଗିଲା ବେଳକୁ ମୋବାଇଲରେ ଦୁଇଟି ମେସେଜ୍ । ‘ଆପଣଙ୍କ ଚାକିରି ସରିଯାଇଛି । ମେଲ୍ ଚେକ୍ କରନ୍ତୁ’ । ମେଲ୍ ଦେଖିଲା ବେଳକୁ ଚାକିରି ନାହିଁ । ଇ-କମର୍ସ କମ୍ପାନି ଆମାଜନ ଏମିତି ଶକ୍ତ ଝଟ୍କା ଦେଇଛି ନିଜ କର୍ମଚାରୀଙ୍କୁ । ଜଣେ କି ଦି’ ଜଣ ନୁହଁ, ୧୪ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି ଆମାଜନ । ଏହା ପଛର କାରଣ କାଳେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) । ଡେମୋକ୍ଲିସ୍ର ଖଣ୍ଡା ଭଳି ଏବେ ଏଆଇର କୋକୁଆଭୟ । ନାୟକ ସାଜିଛି ଖଳନାୟକ । ମଣିଷ ସମାଜ ପାଇଁ ଏଆଇ ଆଶୀର୍ବାଦ ନା ଅଭିଶାପ? ଏହା ଏବେ ‘ମିଲିୟନ ଡଲାର୍’ର ପ୍ରଶ୍ନ ଭାବେ ଉଭା ହୋଇଛି । କିଏ କହୁଛି ଏହା ହେଉଛି ପରିବର୍ତ୍ତନର ବାହକ । ଆଉ କାହାର ଯୁକ୍ତି ଚାକିରି ତ ଗିଳିଦେବ, ବୁଦ୍ଧିଆ ଏଆଇ ମଣିଷକୁ କରିବ ଉଠବସ୍ । ବିବାଦ ଆଉ ବିତର୍କରେ ପଡ଼ୁନି ପୂର୍ଣ୍ଣଚ୍ଛେଦ ।
ଅଦ୍ଭୁତ, ବିଚକ୍ଷଣ
ଅକଳ୍ପନୀୟ, ଅଦ୍ଭୁତ । ଅବିଶ୍ୱସନୀୟ ଆଉ ବିଚକ୍ଷଣ । ଅନୁମାନଠୁ ଅଧିକ କାମ କରୁଛି ଏଆଇ । ମଣିଷର ମସ୍ତିଷ୍କରୁ ଜନ୍ମ ନେଇଥିବା ଏଆଇ ଏବେ ମଣିଷକୁ ଟପିଯିବାକୁ ବସିଛି । କ’ଣ ଏଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ? କେଉଁ କାରଣରୁ ଏହା ଏବେ ବଡ଼ ଖବର ପାଲଟିଛି? କୃତ୍ରିମ ବୁଦ୍ଧିମତା ହେଉଛି ଏପରି ଏକ ବ୍ୟବସ୍ଥା, ଯାହା କମ୍ପ୍ୟୁଟର ମାଧ୍ୟମରେ ତଥ୍ୟର ଅନୁଶୀଳନ ଓ ବିଶ୍ଲେଷଣ କରି ମଣିଷର ଆବଶ୍ୟକତା ପୂରଣରେ ସକ୍ଷମ ହେଉଛି । ତାହା ପୁଣି ଖୁବ୍ଶୀଘ୍ର। ଇଣ୍ଟରନେଟ୍ରେ ଥିବା ଲକ୍ଷ ଲକ୍ଷ ୱେବ୍ସାଇଟରୁ କମ୍ ସମୟରେ ତଥ୍ୟ ସଂଗ୍ରହ କରି ସାରାଂଶକୁ ଆମ ଆଗରେ ରଖେ । ଆମ ଜୀବନକୁ ବହୁଳ ଭାବେ ପ୍ରଭାବିତ କରୁଥିବା ପ୍ରାୟ ସବୁକ୍ଷେତ୍ରକୁ ଏଆଇ କଲାଣି ଅବାଧ ପ୍ରବେଶ । କ୍ୟାନ୍ସର ଭଳି ରୋଗ ପାଇଁ ଔଷଧ ତିଆରି କରିପାରୁଛି ଏଆଇ । ଇ-କମର୍ସ, ଗେମିଂ, ଗ୍ରାହକ ସେବା, ପରିବେଶ ଅନୁଧ୍ୟାନ, ତଥ୍ୟ ସଂଗ୍ରହ ଓ ଅନୁଶୀଳନ, ପ୍ରଶାସନିକ ଦକ୍ଷତା ବୃଦ୍ଧିରେ ଏଆଇ କମାଲ କରୁଛି । ଭାରତରେ ଷ୍ଟାର୍ଟଅପ୍ ଉଦ୍ୟୋଗ ସହ କୃଷି, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା କ୍ଷେତ୍ରରେ ଏଆଇ ସାଜିଛି ମାଇଲଖୁଣ୍ଟ ।ମଣିଷକୁ ଅମର ରଖିବା ଛଡ଼ା ପ୍ରାୟ ଅନ୍ୟ ସବୁ କ୍ଷେତ୍ରରେ ଏଆଇ ଆସ୍ଥାନ ଜମାଇ ସାରିଲାଣି ।
ଏହି କୃତ୍ରିମ ବୁଦ୍ଧିମତ୍ତାକୁ ଆଧାର କରି ତିଆରି ଚାଟ୍ ବଟ୍ ବା ଚାଟ୍ ଜିପିଟି ଏତେ ତ୍ୱରିତ ବେଗରେ କାମ କରୁଛି ଯେ ଏହା ଜୀବିକା ପାଇଁ ଛିଡ଼ା କଲାଣି ସଙ୍କଟ । ସଫ୍ଟୱେର, ଇ-କମର୍ସ କମ୍ପାନିଗୁଡ଼ିକ ଏଆଇ ସହଯୋଗ ନେଉଛନ୍ତି । ଛଟେଇ ହେଉଛନ୍ତି ମାନବ ସମ୍ବଳ । ଆକ୍ସେଞ୍ଚର, ଟିସିଏସ୍, ଆମାଜନ ଭଳି କମ୍ପାନି କର୍ମଚାରୀଙ୍କୁ ବିଦା କରି ଖର୍ଚ୍ଚକାଟ କରୁଛନ୍ତି । ଅନ୍ୟ ପ୍ରତିଷ୍ଠିତ କମ୍ପାନି ମଧ୍ୟ ଏହି ରାସ୍ତା ବାଛିବାକୁ ପ୍ରସ୍ତୁତ ହେଉଛନ୍ତି ।
ଜୀବିକା ଗିଳୁଛି ଏଆଇ
କାୟା ମେଲାଇ ଚାଲିଛି କୃତ୍ରିମ ବୁଦ୍ଧିମତ୍ତା । ଏଆଇର ବ୍ୟାପକ ବଜାର ପ୍ରବେଶ ଚାକିରି ଛଡ଼ାଇ ନେଉଛି । ହଜାର ହଜାର ସଂଖ୍ୟାରେ ଯୁବପିଢ଼ି ଜୀବିକା ହରାଉଛନ୍ତି । ନିବେଶ ଫାର୍ମ ଗୋଲ୍ଡମ୍ୟାନ୍ ସାଚ୍ ରିପୋର୍ଟ କହୁଛି, ଚାକିରି ବଜାରକୁ କବ୍ଜା କରିନେବ ଏଆଇ । ସାରା ବିଶ୍ୱରେ ପ୍ରାୟ ୩୦ କୋଟି ଚାକିରିକୁ ପ୍ରଭାବିତ କରିବ । ମଣିଷର କାମକୁ ହଡ଼ପ କରିନେବ କୃତ୍ରିମ ବୁଦ୍ଧିମତ୍ତା ବିଶିଷ୍ଟ ଆପ୍ ଅବା ସଫ୍ଟୱେର । ବହୁ ରାଷ୍ଟ୍ରୀୟ କମ୍ପାନିଗୁଡ଼ିକ ମଧ୍ୟ ମଣିଷର ବିକଳ୍ପ ଭାବେ ଏଆଇକୁ କରୁଛନ୍ତି ରେଡ କାର୍ପେଟ୍ ସ୍ୱାଗତ । ସାରା ପୃଥିବୀର ପେସାଦାର ମାନବ ସମ୍ବଳ ଏବେ ଶଙ୍କା ଓ ଆଶଙ୍କାରେ ଛଟପଟ । ମନରୁ ଚାକିରି ହରାଇବାର ଭୟ ଛାଡ଼ୁନି । ଚାକିରି ଯିବାର ଭୟ ଜୀବନକୁ ଯନ୍ତ୍ରଣା ଦେଲାଣି । ଆଇଟି କ୍ଷେତ୍ରରେ କାମ କରୁଥିବା ଲୋକମାନେ ଏକ ରକମ ଅନିଶ୍ଚିତତାରେ ଦିନ କାଟୁଛନ୍ତି ।
ଆମାଜନ ମାନବ ସମ୍ବଳ ମୁଖ୍ୟ ବେଥ ଗାଲେଟି ସ୍ପଷ୍ଟ ଭାବେ କହିଛନ୍ତି ଆମାଜନର ଏହି ପଦକ୍ଷେପ କେବଳ ଖର୍ଚ୍ଚ କାଟ ପାଇଁ ନୁହଁ । ଏହାର ବଡ଼ କାରଣ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏହା ଦର୍ଶାଉଛି, ଏଆଇ ଏବେ କେମିତି ଚାକିରି ଗ୍ରାସ କରିବାକୁ ବସିଛି । ଆଗାମୀ ଦିନରେ ଏହା ଯେ ସାରା ଦୁନିଆକୁ କବଳିତ କରିବ, ନିଯୁକ୍ତି କ୍ଷେତ୍ର ସଂକୁଚିତ ହେବ ଏମିତି ଆଶଙ୍କା ଛିଡ଼ା କଲାଣି । ଏଆଇର ‘ଗଡ୍ଫାଦର’ ଜେଫ୍ରି ହିଣ୍ଟନ୍ ସତର୍କବାଣୀ କଲେଣି, ଆଗକୁ ଆଉ ଖୋଜା ପଡ଼ିବନି ମଣିଷ । ଆଦର ପାଇବ ଏଆଇ । ବିପଦମୁଖୀ ହେବ ମାନବ ସମାଜ । ଏକଦା ଏଆଇ ବିକଶିତ କରି ହିଣ୍ଟନ ଏବେ ଶଙ୍କାଗ୍ରସ୍ତ । ତାଙ୍କ ମତ ହେଉଛି, ଏଆଇ ମାନବତା ପାଇଁ ଶତ୍ରୁ ସାଜିଲାଣି । ଏଆଇ ଏବେ ଆମଠୁ କାହିଁ କେତେଗୁଣା ବୁଦ୍ଧିମାନ ହେଲାଣି ।
ଟେସଲା ମୁଖିଆ ଏଲନ୍ ମସ୍କ ଏଆଇକୁ ବନ୍ଦ କରିବା ପାଇଁ ଅନେକ ଥର ଦାବି ରଖିଛନ୍ତି । ଯଦିଓ ସେ ମଧ୍ୟ ଏଆଇକୁ ଧରି ବାଟ ଚାଲୁଛନ୍ତି । କେବଳ ମସ୍କ ନୁହଁ, ବହୁ ବୁଦ୍ଧିଜୀବୀ ମଧ୍ୟ ଏଆଇକୁ ଭବିଷ୍ୟତ ପାଇଁ ବିପଦ ବୋଲି ଯୁକ୍ତି କରୁଛନ୍ତି । ଏଆଇ ଆଲାଇନ୍ମେଣ୍ଟ ଷ୍ଟାର୍ଟଅପ୍ ‘ସଫ୍ଟମାକ୍ସ’ର ସିଇଓ ଇମେଟ୍ ଶିୟର ମତ ରଖନ୍ତି, ଆଜିକାର ଏଆଇ ତୁଳନାତ୍ମକ ଭାବେ ଦୁର୍ବଳ । କିନ୍ତୁ ସେମାନେ ଦ୍ରୁତ ଗତିରେ ଶକ୍ତିଶାଳୀ ହେବାରେ ଲାଗିଛନ୍ତି । ଏଆଇ ବ୍ୟବସ୍ଥାରେ ମାନବିକ ମୂଲ୍ୟବୋଧ ସାମିଲ କଲେ ସୁଫଳ ମିଳିବନି । ଭଲ ହେବ ମଣିଷ ଏବଂ ଏଆଇ ମଧ୍ୟରେ ଏକ ସହଯୋଗାତ୍ମକ ସମ୍ପର୍କ ସ୍ଥାପନ । କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଏବେ ସଫ୍ଟୱେର କମ୍ପାନି ଉପରେ ପଡ଼ିବା ଆରମ୍ଭ ହୋଇଛି । କମ୍ପାନିଗୁଡ଼ିକ କୃତ୍ରିମ ବୁଦ୍ଧିମତ୍ତା ଗ୍ରହଣ କରୁଛନ୍ତି । କାର୍ଯ୍ୟ ପଦ୍ଧତି ପରିବର୍ତ୍ତନ ସହ କର୍ମଶକ୍ତି କମାଉଛନ୍ତି ।
ବଢୁଛି ଦକ୍ଷତା ଓ ସୃଜନଶୀଳତା
ଏଆଇ କେବେ ହେଲେ ଚାକିରି ନିଏନି । ବରଂ କର୍ମଚାରୀଙ୍କ ଦକ୍ଷତା, ସୃଜନଶୀଳତା ଓ କାମରେ ଗୁଣାତ୍ମକ ମାନ ବଢ଼ାଇବାରେ ସହାୟକ ହେଉଛି । ଏଆଇ ଯୁଗରେ ଚାକିରି ହରାଇବାର ଭୟ ସମ୍ପୂର୍ଣ୍ଣ ଭୁଲ୍ । ଆତ୍ମବିଶ୍ୱାସର ସହ ଏମିତି ଯୁକ୍ତି କରୁଛନ୍ତି ସୁନ୍ଦର ପିଚାଇ ।
ଏଆଇର ପ୍ରଚୁର ମାତ୍ରାର ବ୍ୟବହାର ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଆଗକୁ କ’ଣ ହେବ? ଗୁଗୁଲ୍ କ୍ଲାଉଡ୍ ସିଇଓ ଥୋମାସ କୁରିଏନ୍ ମଧ୍ୟ ପିଚାଇଙ୍କ ସହ ସ୍ୱର ମିଳାଇଛନ୍ତି । ସଫ୍ଟୱେର୍ ପେସାଦାରମାନଙ୍କୁ ଏହା ଟିକେ ଆଶ୍ୱସ୍ତି ଦେଇଛି । କୁରିଏନ୍ ମତ ରଖୁଛନ୍ତି, କୃତ୍ରିମ ବୁଦ୍ଧିମତ୍ତା ଏକ ପ୍ରଯୁକ୍ତି ବିଦ୍ୟା, ଯାହା କର୍ମଚାରୀମାନଙ୍କୁ ସେମାନଙ୍କ କାମରେ ସାହାଯ୍ୟ କରୁଛି । ସେମାନଙ୍କର ଉତ୍ପାଦନ ବଢ଼ାଉଛି । ଏବେ ପ୍ରଯୁକ୍ତି ବିଦ୍ୟା ପରିବର୍ତ୍ତନ ଆଡ଼କୁ ମୁହାଁଇଛି । ପେସାଦାରମାନଙ୍କୁ ତାଲିମ୍ ନେବାକୁ ହେବ । ନୂଆ ପରିବର୍ତ୍ତନକୁ ଗ୍ରହଣ କରିବାକୁ ହେବ । ଗୁଗୁଲ୍ ଇଞ୍ଜିନିୟରମାନେ ଏଆଇର ସାହାଯ୍ୟରୁ ୧୦% ଉତ୍ପାଦକତା ବଢ଼ାଇଛନ୍ତି । ଗୁଗୁଲ୍ ଆଗାମୀ ବର୍ଷରେ ଅଧିକ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବାକୁ ଯାଉଛି ବାଲି ପିଚାଇ ସ୍ପଷ୍ଟ କରିଛନ୍ତି ।
କମ୍ପ୍ୟୁଟରର ଆବିର୍ଭାବ ପରେ ଆମ ଦେଶରେ ଲୋକଙ୍କର ଚାକିରି ଗଲାନି । ବରଂ ଆଇଟି କ୍ଷେତ୍ରରେ ନୂଆ ବିପ୍ଲବ ଆସିଲା । ଚାକିରି ବହୁ ସଂଖ୍ୟାରେ ସୃଷ୍ଟି ହେଲା । ତେଣୁ ହୁଏତ ଏବେ ଏଆଇ ଆସିବା ପରେ ଇତିହାସ ପୁଣି କଡ଼ ଲେଉଟାଇ ପାରେ । ଦୁବାଇ ଓ ଜାପାନ ଭଳି ଦେଶରେ ସବୁ କାମ କମ୍ପ୍ୟୁଟରରେ ହେଉଛି । ଏଇଥିପାଇଁ ସେମାନଙ୍କର କର୍ମଦକ୍ଷତା ଆମ ଦେଶ ତୁଳନାରେ କାହିଁ କେତେ ଆଗରେ । ଏଆଇର ବିବର୍ତ୍ତନ କିନ୍ତୁ ବେଶ୍ ଦ୍ରୁତ ଗତିରେ ବ୍ୟାପୁଛି । ଏହାକୁ ଆମେ ଅଣଦେଖା କଲେ ଭାରତ ବିଶ୍ୱ ବିକାଶ ମାନଚିତ୍ରରେ ପଛରେ ରହିଯିବନି? ହାତୀ ଭଳି ଜୀବ ମଣିଷଠୁ ଶକ୍ତିଶାଳୀ ହେଲେ ବି ସେମାନଙ୍କୁ ମଣିଷ ନିଜ ନିୟନ୍ତ୍ରଣରେ ରଖିପାରୁଛି । ଏଆଇକୁ ନେଇ ଖାଲି ଭୟଭୀତ ହେଲେ ହେବନି । ଦ୍ରୁତ ଭାବେ ପରିବର୍ତ୍ତନଶୀଳ ପୃଥିବୀରେ ଆଗକୁ ଯିବାକୁ ହେଲେ ଆମକୁ ସମୟ ସହ ପାଦ ମିଳାଇବାକୁ ହେବ । ମଣିଷ ମସ୍ତିଷ୍କର କ୍ଷମତାକୁ ଚାଲେଞ୍ଜ ଦେଲା ଭଳି କୌଣସି ଶକ୍ତି ଏଯାଏ ଆତ୍ମପ୍ରକାଶ କରିନି । ଆମକୁ କିନ୍ତୁ ସମୟର ଆହ୍ୱାନକୁ ଗ୍ରହଣ କରିବାକୁ ହେବ । ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ । ଏହା କ’ଣ ବୁଦ୍ଧିମାନ ମଣିଷକୁ ବୁଝାଇବାକୁ ପଡ଼ିବ?