ଭୟ , ଶଙ୍କା ଆଉ ଆଶଙ୍କା । ଭୂତ ଭଳି ଗୋଡ଼ାଉଛି । ଝୁଲୁଛି ଚାକିରିରୁ ଛଟେଇର ଖଣ୍ଡା । ଏଆଇ ଫାଶ ପେସାଦାରମାନଙ୍କ ଚାକିରି ଖାଇଲାଣ । ଆଗକୁ ଅଧିକ ଛଟେଇ ହେବ। ହେଲାଣ ଏମିତି ଭବିଷ୍ୟବାଣୀ ।  ଯୁବପଢ଼ି ଏବେ ଚିନ୍ତାରେ। ଏଆଇ ସପକ୍ଷରେ ବି ଓକିଲାତି କମ୍ ନୁହେଁ । ଏ ପ୍ରଯୁକ୍ତବିଦ୍ୟା କାଳେ ଦକ୍ଷତା ଓ ସୃଜନଶୀଳତାକୁ ଶୀର୍ଷକୁ  ନେବ । ଏଆଇର ବିକାଶ ଯେ ଦୁନିଆରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ତାହା କିନ୍ତୁ ଜଳଜଳ ।

ରାତିରେ ସୁନେଲି ସ୍ୱପ୍ନ । ସକାଳ ପାଇଲା ବେଳକୁ  ଅନ୍ତର୍ଦାହ ଆଉ ଛଟପଟ । ନିଦ ଭାଙ୍ଗିଲା ବେଳକୁ  ମୋବାଇଲରେ ଦୁଇଟି ମେସେଜ୍‌ । ‘ଆପଣଙ୍କ ଚାକିରି  ସରିଯାଇଛି । ମେଲ୍‌ ଚେକ୍‌ କରନ୍ତୁ’ । ମେଲ୍‌ ଦେଖିଲା ବେଳକୁ  ଚାକିରି ନାହିଁ । ଇ-କମର୍ସ କମ୍ପାନି ଆମାଜନ ଏମିତି ଶକ୍ତ  ଝଟ୍‌କା ଦେଇଛି ନିଜ କର୍ମଚାରୀଙ୍କୁ । ଜଣେ କି ଦି’ ଜଣ ନୁହଁ,  ୧୪ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି ଆମାଜନ ।  ଏହା ପଛର କାରଣ କାଳେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ  ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) । ଡେମୋକ୍ଲିସ୍‌ର ଖଣ୍ଡା ଭଳି  ଏବେ ଏଆଇର କୋକୁଆଭୟ । ନାୟକ ସାଜିଛି ଖଳନାୟକ ।  ମଣିଷ ସମାଜ ପାଇଁ ଏଆଇ ଆଶୀର୍ବାଦ ନା ଅଭିଶାପ? ଏହା  ଏବେ ‘ମିଲିୟନ ଡଲାର୍‌’ର ପ୍ରଶ୍ନ ଭାବେ ଉଭା ହୋଇଛି । କିଏ  କହୁଛି ଏହା ହେଉଛି ପରିବର୍ତ୍ତନର ବାହକ । ଆଉ କାହାର  ଯୁକ୍ତି ଚାକିରି ତ ଗିଳିଦେବ, ବୁଦ୍ଧିଆ ଏଆଇ ମଣିଷକୁ କରିବ  ଉଠବସ୍‌ । ବିବାଦ ଆଉ ବିତର୍କରେ ପଡ଼ୁନି ପୂର୍ଣ୍ଣଚ୍ଛେଦ ।

ଅଦ୍ଭୁତ, ବିଚକ୍ଷଣ

ଅକଳ୍ପନୀୟ, ଅଦ୍ଭୁତ । ଅବିଶ୍ୱସନୀୟ ଆଉ ବିଚକ୍ଷଣ ।  ଅନୁମାନଠୁ ଅଧିକ କାମ କରୁଛି ଏଆଇ । ମଣିଷର ମସ୍ତିଷ୍କରୁ  ଜନ୍ମ ନେଇଥିବା ଏଆଇ ଏବେ ମଣିଷକୁ ଟପିଯିବାକୁ  ବସିଛି । କ’ଣ ଏଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ? କେଉଁ  କାରଣରୁ ଏହା ଏବେ ବଡ଼ ଖବର ପାଲଟିଛି? କୃତ୍ରିମ  ବୁଦ୍ଧିମତା ହେଉଛି ଏପରି ଏକ ବ୍ୟବସ୍ଥା, ଯାହା କମ୍ପ୍ୟୁଟର  ମାଧ୍ୟମରେ ତଥ୍ୟର ଅନୁଶୀଳନ ଓ ବିଶ୍ଲେଷଣ କରି ମଣିଷର  ଆବଶ୍ୟକତା ପୂରଣରେ ସକ୍ଷମ  ହେଉଛି । ତାହା ପୁଣି ଖୁବ୍‌ଶୀଘ୍ର। ଇଣ୍ଟରନେଟ୍‌ରେ ଥିବା ଲକ୍ଷ ଲକ୍ଷ  ୱେବ୍‌ସାଇଟରୁ କମ୍‌ ସମୟରେ  ତଥ୍ୟ ସଂଗ୍ରହ କରି ସାରାଂଶକୁ ଆମ  ଆଗରେ ରଖେ । ଆମ ଜୀବନକୁ  ବହୁଳ ଭାବେ ପ୍ରଭାବିତ କରୁଥିବା ପ୍ରାୟ ସବୁକ୍ଷେତ୍ରକୁ ଏଆଇ  କଲାଣି ଅବାଧ ପ୍ରବେଶ । କ୍ୟାନ୍‌ସର ଭଳି ରୋଗ ପାଇଁ  ଔଷଧ ତିଆରି କରିପାରୁଛି ଏଆଇ । ଇ-କମର୍ସ, ଗେମିଂ,  ଗ୍ରାହକ ସେବା, ପରିବେଶ ଅନୁଧ୍ୟାନ, ତଥ୍ୟ ସଂଗ୍ରହ ଓ  ଅନୁଶୀଳନ, ପ୍ରଶାସନିକ ଦକ୍ଷତା ବୃଦ୍ଧିରେ ଏଆଇ କମାଲ  କରୁଛି । ଭାରତରେ ଷ୍ଟାର୍ଟଅପ୍‌ ଉଦ୍ୟୋଗ ସହ କୃଷି, ସ୍ୱାସ୍ଥ୍ୟ  ସେବା ଓ ଶିକ୍ଷା କ୍ଷେତ୍ରରେ ଏଆଇ ସାଜିଛି ମାଇଲଖୁଣ୍ଟ ।ମଣିଷକୁ ଅମର ରଖିବା ଛଡ଼ା ପ୍ରାୟ ଅନ୍ୟ ସବୁ କ୍ଷେତ୍ରରେ  ଏଆଇ ଆସ୍ଥାନ ଜମାଇ ସାରିଲାଣି ।

ଏହି କୃତ୍ରିମ ବୁଦ୍ଧିମତ୍ତାକୁ ଆଧାର କରି ତିଆରି ଚାଟ୍‌ ବଟ୍‌ ବା ଚାଟ୍‌ ଜିପିଟି ଏତେ ତ୍ୱରିତ ବେଗରେ କାମ କରୁଛି ଯେ ଏହା  ଜୀବିକା ପାଇଁ ଛିଡ଼ା କଲାଣି ସଙ୍କଟ । ସଫ୍ଟୱେର, ଇ-କମର୍ସ  କମ୍ପାନିଗୁଡ଼ିକ ଏଆଇ ସହଯୋଗ ନେଉଛନ୍ତି । ଛଟେଇ  ହେଉଛନ୍ତି ମାନବ ସମ୍ବଳ । ଆକ୍ସେଞ୍ଚର, ଟିସିଏସ୍‌, ଆମାଜନ  ଭଳି କମ୍ପାନି କର୍ମଚାରୀଙ୍କୁ ବିଦା କରି ଖର୍ଚ୍ଚକାଟ କରୁଛନ୍ତି ।  ଅନ୍ୟ ପ୍ରତିଷ୍ଠିତ କମ୍ପାନି ମଧ୍ୟ ଏହି ରାସ୍ତା ବାଛିବାକୁ ପ୍ରସ୍ତୁତ  ହେଉଛନ୍ତି ।

ଜୀବିକା ଗିଳୁଛି ଏଆଇ

କାୟା ମେଲାଇ ଚାଲିଛି କୃତ୍ରିମ ବୁଦ୍ଧିମତ୍ତା । ଏଆଇର ବ୍ୟାପକ  ବଜାର ପ୍ରବେଶ ଚାକିରି ଛଡ଼ାଇ ନେଉଛି । ହଜାର ହଜାର  ସଂଖ୍ୟାରେ ଯୁବପିଢ଼ି ଜୀବିକା ହରାଉଛନ୍ତି । ନିବେଶ ଫାର୍ମ  ଗୋଲ୍ଡମ୍ୟାନ୍‌ ସାଚ୍‌ ରିପୋର୍ଟ କହୁଛି, ଚାକିରି ବଜାରକୁ କବ୍‌ଜା  କରିନେବ ଏଆଇ । ସାରା ବିଶ୍ୱରେ ପ୍ରାୟ ୩୦ କୋଟି ଚାକିରିକୁ  ପ୍ରଭାବିତ କରିବ । ମଣିଷର କାମକୁ ହଡ଼ପ କରିନେବ କୃତ୍ରିମ  ବୁଦ୍ଧିମତ୍ତା ବିଶିଷ୍ଟ ଆପ୍‌ ଅବା ସଫ୍‌ଟୱେର । ବହୁ ରାଷ୍ଟ୍ରୀୟ  କମ୍ପାନିଗୁଡ଼ିକ ମଧ୍ୟ ମଣିଷର ବିକଳ୍ପ ଭାବେ ଏଆଇକୁ  କରୁଛନ୍ତି ରେଡ କାର୍ପେଟ୍‌ ସ୍ୱାଗତ । ସାରା ପୃଥିବୀର ପେସାଦାର  ମାନବ ସମ୍ବଳ ଏବେ ଶଙ୍କା ଓ ଆଶଙ୍କାରେ ଛଟପଟ । ମନରୁ  ଚାକିରି ହରାଇବାର ଭୟ ଛାଡ଼ୁନି । ଚାକିରି ଯିବାର ଭୟ  ଜୀବନକୁ ଯନ୍ତ୍ରଣା ଦେଲାଣି । ଆଇଟି କ୍ଷେତ୍ରରେ କାମ କରୁଥିବା  ଲୋକମାନେ ଏକ ରକମ ଅନିଶ୍ଚିତତାରେ ଦିନ କାଟୁଛନ୍ତି ।  

ଆମାଜନ ମାନବ ସମ୍ବଳ ମୁଖ୍ୟ ବେଥ ଗାଲେଟି ସ୍ପଷ୍ଟ ଭାବେ  କହିଛନ୍ତି ଆମାଜନର ଏହି ପଦକ୍ଷେପ କେବଳ ଖର୍ଚ୍ଚ କାଟ  ପାଇଁ ନୁହଁ । ଏହାର ବଡ଼ କାରଣ ହେଉଛି ଆର୍ଟିଫିସିଆଲ  ଇଣ୍ଟେଲିଜେନ୍ସ । ଏହା ଦର୍ଶାଉଛି, ଏଆଇ ଏବେ କେମିତି  ଚାକିରି ଗ୍ରାସ କରିବାକୁ ବସିଛି ।  ଆଗାମୀ ଦିନରେ ଏହା ଯେ ସାରା  ଦୁନିଆକୁ କବଳିତ କରିବ, ନିଯୁକ୍ତି  କ୍ଷେତ୍ର ସଂକୁଚିତ ହେବ ଏମିତି  ଆଶଙ୍କା ଛିଡ଼ା କଲାଣି । ଏଆଇର  ‘ଗଡ୍‌ଫାଦର’ ଜେଫ୍ରି ହିଣ୍ଟନ୍‌  ସତର୍କବାଣୀ କଲେଣି, ଆଗକୁ ଆଉ ଖୋଜା ପଡ଼ିବନି  ମଣିଷ । ଆଦର ପାଇବ ଏଆଇ । ବିପଦମୁଖୀ ହେବ ମାନବ  ସମାଜ । ଏକଦା ଏଆଇ ବିକଶିତ କରି ହିଣ୍ଟନ ଏବେ  ଶଙ୍କାଗ୍ରସ୍ତ । ତାଙ୍କ ମତ ହେଉଛି, ଏଆଇ ମାନବତା ପାଇଁ  ଶତ୍ରୁ ସାଜିଲାଣି । ଏଆଇ ଏବେ ଆମଠୁ କାହିଁ କେତେଗୁଣା  ବୁଦ୍ଧିମାନ ହେଲାଣି । 

ଟେସଲା ମୁଖିଆ ଏଲନ୍‌ ମସ୍କ ଏଆଇକୁ ବନ୍ଦ କରିବା ପାଇଁ  ଅନେକ ଥର ଦାବି ରଖିଛନ୍ତି । ଯଦିଓ ସେ ମଧ୍ୟ ଏଆଇକୁ  ଧରି ବାଟ ଚାଲୁଛନ୍ତି । କେବଳ ମସ୍କ ନୁହଁ, ବହୁ ବୁଦ୍ଧିଜୀବୀ  ମଧ୍ୟ ଏଆଇକୁ ଭବିଷ୍ୟତ ପାଇଁ ବିପଦ ବୋଲି ଯୁକ୍ତି  କରୁଛନ୍ତି । ଏଆଇ ଆଲାଇନ୍‌ମେଣ୍ଟ ଷ୍ଟାର୍ଟଅପ୍‌ ‘ସଫ୍ଟମାକ୍ସ’ର  ସିଇଓ ଇମେଟ୍‌ ଶିୟର ମତ ରଖନ୍ତି, ଆଜିକାର ଏଆଇ  ତୁଳନାତ୍ମକ ଭାବେ ଦୁର୍ବଳ । କିନ୍ତୁ ସେମାନେ ଦ୍ରୁତ ଗତିରେ  ଶକ୍ତିଶାଳୀ ହେବାରେ ଲାଗିଛନ୍ତି । ଏଆଇ ବ୍ୟବସ୍ଥାରେ  ମାନବିକ ମୂଲ୍ୟବୋଧ ସାମିଲ କଲେ ସୁଫଳ ମିଳିବନି । ଭଲ  ହେବ ମଣିଷ ଏବଂ ଏଆଇ ମଧ୍ୟରେ ଏକ ସହଯୋଗାତ୍ମକ  ସମ୍ପର୍କ ସ୍ଥାପନ । କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଏବେ ସଫ୍ଟୱେର  କମ୍ପାନି ଉପରେ ପଡ଼ିବା ଆରମ୍ଭ ହୋଇଛି । କମ୍ପାନିଗୁଡ଼ିକ  କୃତ୍ରିମ ବୁଦ୍ଧିମତ୍ତା ଗ୍ରହଣ କରୁଛନ୍ତି । କାର୍ଯ୍ୟ ପଦ୍ଧତି ପରିବର୍ତ୍ତନ  ସହ କର୍ମଶକ୍ତି କମାଉଛନ୍ତି ।

ବଢୁଛି ଦକ୍ଷତା ଓ ସୃଜନଶୀଳତା

ଏଆଇ କେବେ ହେଲେ ଚାକିରି ନିଏନି । ବରଂ କର୍ମଚାରୀଙ୍କ  ଦକ୍ଷତା, ସୃଜନଶୀଳତା ଓ କାମରେ ଗୁଣାତ୍ମକ ମାନ ବଢ଼ାଇବାରେ ସହାୟକ ହେଉଛି । ଏଆଇ ଯୁଗରେ ଚାକିରି  ହରାଇବାର ଭୟ ସମ୍ପୂର୍ଣ୍ଣ ଭୁଲ୍‌ । ଆତ୍ମବିଶ୍ୱାସର ସହ ଏମିତି ଯୁକ୍ତି କରୁଛନ୍ତି ସୁନ୍ଦର ପିଚାଇ ।

ଏଆଇର ପ୍ରଚୁର ମାତ୍ରାର  ବ୍ୟବହାର ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଆଗକୁ କ’ଣ ହେବ? ଗୁଗୁଲ୍‌ କ୍ଲାଉଡ୍‌ ସିଇଓ ଥୋମାସ କୁରିଏନ୍‌ ମଧ୍ୟ  ପିଚାଇଙ୍କ ସହ ସ୍ୱର ମିଳାଇଛନ୍ତି । ସଫ୍ଟୱେର୍‌ ପେସାଦାରମାନଙ୍କୁ  ଏହା ଟିକେ ଆଶ୍ୱସ୍ତି ଦେଇଛି । କୁରିଏନ୍‌ ମତ ରଖୁଛନ୍ତି,  କୃତ୍ରିମ ବୁଦ୍ଧିମତ୍ତା ଏକ ପ୍ରଯୁକ୍ତି ବିଦ୍ୟା, ଯାହା କର୍ମଚାରୀମାନଙ୍କୁ  ସେମାନଙ୍କ କାମରେ ସାହାଯ୍ୟ କରୁଛି । ସେମାନଙ୍କର ଉତ୍ପାଦନ ବଢ଼ାଉଛି । ଏବେ ପ୍ରଯୁକ୍ତି ବିଦ୍ୟା ପରିବର୍ତ୍ତନ ଆଡ଼କୁ ମୁହାଁଇଛି ।  ପେସାଦାରମାନଙ୍କୁ ତାଲିମ୍‌ ନେବାକୁ ହେବ । ନୂଆ ପରିବର୍ତ୍ତନକୁ  ଗ୍ରହଣ କରିବାକୁ ହେବ । ଗୁଗୁଲ୍‌ ଇଞ୍ଜିନିୟରମାନେ ଏଆଇର  ସାହାଯ୍ୟରୁ ୧୦% ଉତ୍ପାଦକତା ବଢ଼ାଇଛନ୍ତି । ଗୁଗୁଲ୍‌ ଆଗାମୀ  ବର୍ଷରେ ଅଧିକ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବାକୁ ଯାଉଛି ବାଲି  ପିଚାଇ ସ୍ପଷ୍ଟ କରିଛନ୍ତି ।

କମ୍ପ୍ୟୁଟରର ଆବିର୍ଭାବ ପରେ ଆମ ଦେଶରେ ଲୋକଙ୍କର  ଚାକିରି ଗଲାନି । ବରଂ ଆଇଟି କ୍ଷେତ୍ରରେ ନୂଆ ବିପ୍ଲବ  ଆସିଲା । ଚାକିରି ବହୁ ସଂଖ୍ୟାରେ ସୃଷ୍ଟି ହେଲା । ତେଣୁ  ହୁଏତ ଏବେ ଏଆଇ ଆସିବା ପରେ ଇତିହାସ ପୁଣି କଡ଼  ଲେଉଟାଇ ପାରେ । ଦୁବାଇ ଓ ଜାପାନ ଭଳି ଦେଶରେ ସବୁ  କାମ କମ୍ପ୍ୟୁଟରରେ ହେଉଛି । ଏଇଥିପାଇଁ ସେମାନଙ୍କର  କର୍ମଦକ୍ଷତା ଆମ ଦେଶ ତୁଳନାରେ କାହିଁ କେତେ ଆଗରେ ।  ଏଆଇର ବିବର୍ତ୍ତନ କିନ୍ତୁ ବେଶ୍‌ ଦ୍ରୁତ ଗତିରେ ବ୍ୟାପୁଛି ।  ଏହାକୁ ଆମେ ଅଣଦେଖା କଲେ ଭାରତ ବିଶ୍ୱ ବିକାଶ  ମାନଚିତ୍ରରେ ପଛରେ ରହିଯିବନି? ହାତୀ ଭଳି ଜୀବ  ମଣିଷଠୁ ଶକ୍ତିଶାଳୀ ହେଲେ ବି ସେମାନଙ୍କୁ ମଣିଷ ନିଜ  ନିୟନ୍ତ୍ରଣରେ ରଖିପାରୁଛି । ଏଆଇକୁ ନେଇ ଖାଲି ଭୟଭୀତ  ହେଲେ ହେବନି । ଦ୍ରୁତ ଭାବେ ପରିବର୍ତ୍ତନଶୀଳ ପୃଥିବୀରେ  ଆଗକୁ ଯିବାକୁ ହେଲେ ଆମକୁ ସମୟ ସହ ପାଦ ମିଳାଇବାକୁ  ହେବ । ମଣିଷ ମସ୍ତିଷ୍କର କ୍ଷମତାକୁ ଚାଲେଞ୍ଜ ଦେଲା ଭଳି  କୌଣସି ଶକ୍ତି ଏଯାଏ ଆତ୍ମପ୍ରକାଶ କରିନି । ଆମକୁ କିନ୍ତୁ  ସମୟର ଆହ୍ୱାନକୁ ଗ୍ରହଣ କରିବାକୁ ହେବ । ପରିବର୍ତ୍ତନ  ହେଉଛି ପ୍ରକୃତିର ନିୟମ । ଏହା କ’ଣ ବୁଦ୍ଧିମାନ ମଣିଷକୁ ବୁଝାଇବାକୁ ପଡ଼ିବ?