ଅନୁଗୁଳ,୨୨/୦୬: ଖବର ପ୍ରକାଶନରେ ‘ପ୍ରମେୟ’ ସବୁବେଳେ ଆଗରେ ରହିଆସିଛି । କେବଳ ଖବରରେ ସୀମିତ ନ ରହି, ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଉଚ୍ଚ ପ୍ରଶଂସନୀୟ । ଏଠି ଯେଉଁ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି, ସେମାନଙ୍କ ସଫଳତାର ବାୟୋଡାଟା ଠିକ୍ ଭାବରେ ପିଏମ୍ଓକୁ ପଠାଇ ପାରିଲେ ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ରେ ସ୍ଥାନ ମିଳିପାରନ୍ତା । ରବିବାର ‘ପ୍ରମେୟ ପ୍ରତିଭା ସମ୍ମାନ’ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏହା କହିଛନ୍ତି ।
ଅନୁଗୁଳର ହୋଟେଲ୍ କମଲେଶ କଣ୍ଟିନେଣ୍ଟାଲ୍ଠାରେ ବର୍ଣ୍ଣାଢ଼୍ୟ ପରିବେଶରେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ଅନୁଗୁଳ ସଂସ୍କରଣ ପକ୍ଷରୁ ‘ପ୍ରମେୟ ପ୍ରତିଭା ସମ୍ମାନ-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ଅନୁଗୁଳ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଲେ, ଗଣମାଧ୍ୟମ ନିଜର ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କଲେ ସମାଜ ଓ ଗଣତନ୍ତ୍ର ସମୃଦ୍ଧ ହୋଇପାରିବ । ‘ପ୍ରମେୟ’ ଏହି କାର୍ଯ୍ୟକୁ ନିଷ୍ଠାର ସହ କରିଚାଲିଛି ବୋଲି ସେ ପ୍ରକାଶ କରିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କହିଲେ, ସମାଜ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ଲୋକ ଭଲ କାର୍ଯ୍ୟ କରିଥାନ୍ତି । ସେମାନଙ୍କୁ ଲୋକଲୋଚନକୁ ଆଣିବାର ଦାୟିତ୍ବକୁ ପ୍ରମେୟ ଓ ନ୍ୟୁଜ୍-୭ ତୁଲାଉଛି ବୋଲି ସେ ପ୍ରକାଶ କରିଥିଲେ । ‘ପ୍ରମେୟ’ ଏଭଳି ପ୍ରତିଭାଙ୍କୁ ଚିହ୍ନଟ କରି ଏ ଯେଉଁ ସମ୍ମାନ ପ୍ରଦାନ କରୁଛି, ତାହା ଗୌରବମୟ ସମ୍ମାନ ବୋଲି ମତବ୍ୟକ୍ତ କରିଥିଲେ ସମ୍ମାନିତ ଅତିଥି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ । ସମ୍ମାନିତ ଅତିଥି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ‘ସୋଆ’ ବିଶ୍ୱବିଦ୍ୟାଳୟ ଓଡ଼ିଶା ପାଇଁ ଗୌରବ ବୋଲି କହିଥିଲେ । କେବଳ ଶିକ୍ଷା ନୁହେଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ସମ୍’ ଆଗ୍ରଣୀ ଭୂମିକା ନେଇଛି । ‘ପ୍ରମେୟ’ ଓ ‘ନ୍ୟୁଜ ୭’ ଗଣମାଧ୍ୟମ କ୍ଷେତ୍ରରେ ବଳିଷ୍ଠ କାର୍ଯ୍ୟ କରୁଛି ।
ଅନ୍ୟତମ ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ସାହିତ୍ୟିକ ଡ. ଧରଣୀଧର ନାଥ କହିଲେ, ପ୍ରତ୍ୟେକଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ଲୁଚି ରହିଥାଏ । ଏହାକୁ ଚିହ୍ନି, ପ୍ରେରଣା ଦେଲେ ସେ ପ୍ରତିଭା ପୂର୍ଣ୍ଣ ବିକଶିତ ହୋଇ ଶୀର୍ଷ ସ୍ଥାନରେ ପହଞ୍ଚି ପାରିବ । ଅନ୍ୟତମ ସମ୍ମାନିତ ଅତିଥି ପ୍ରତିଷ୍ଠିତ ବ୍ୟବସାୟୀ ଗଙ୍ଗାଧର ସାମଲ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।
ସମ୍ମାନିତ ଅତିଥି ଭାବେ ପ୍ରମେୟ ଓ ନ୍ୟୁଜ ୭ର ଗ୍ରୁପ୍ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର କହିଲେ ବୃକ୍ଷ ନ ରହିଲେ ସଂସାର ତିଷ୍ଠିପାରିବ ନାହିଁ । ସମସ୍ତେ ନିଜ ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ କରିବା ସହ ଏହାର ଯତ୍ନ ନେବାକୁ ସେ ଆହ୍ୱାନ ଦେଇଥିଲେ।
ଗ୍ରୁପ୍ ଡାଇରେକ୍ଟର୍ (ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା କହିଲେ, ରାଜ୍ୟ ଓ ଦେଶର ବିକାଶ କ୍ଷେତ୍ରରେ ଅନୁଗୁଳର ତ୍ୟାଗ ଉଲ୍ଲେଖନୀୟ । ‘ପ୍ରମେୟ’ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଭାଙ୍କୁ ଚିହ୍ନଟ କରି ସମ୍ମାନ ଦେବା ଆରମ୍ଭ କରିଛି । ଏଥିସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ଦିଗରେ ଆଗେଇ ଆସିଛି ବୋଲି ଶ୍ରୀ ହୋତା କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୁମା ରିୟଲ ମିଡିଆର ଗ୍ରୁପ୍ ସିଇଓ ସୁନିଲ୍ ଦାସ ଓ ନ୍ୟୁଜ୍-୭ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ ମଞ୍ଚାସୀନ ଥିଲେ ।
ଏହି ଅବସରରେ ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୨୨ ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ୨୨ ଜଣ ପ୍ରାୟୋଜକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଗୁଳ ସଂସ୍କରଣର ଡେସ୍କ ଇନଚାର୍ଜ ଜଳଧର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ତାଳଚେର ପ୍ରତିନିଧି ଡ. ରଶ୍ମୀରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ । ଉପସ୍ଥାପିକା ସୌଭାଗିନୀ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ସେଲ୍ସ ଆଣ୍ଡ୍ ମାକେର୍ଟ୍ ଡିଜିଏମ୍ ବିଶ୍ୱରୂପ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଅନୁଗୁଳ ଜିଲ୍ଲା ପ୍ରତିନିଧି ଲିଟୁନ୍ କୁମାର ସାହୁ, ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ଆଦିତ୍ୟ ପଣ୍ଡା, ଅନୁଗୁଳ ନ୍ୟୁଜ୍-୭ ଜିଲ୍ଲା ପ୍ରତିନିଧି ପାର୍ଥସାରଥୀ ଦାସ, ଅନୁଗୁଳ ସଂସ୍କରଣର ସେଲ୍ସ ଆଣ୍ଡ୍ ମାର୍କେଟିଂର ଆସିଷ୍ଟାଣ୍ଟ୍ ମ୍ୟାନେଜର ନାଗାର୍ଜୁନ ସାହୁ, ପ୍ରସାର ବିଭାଗ ମ୍ୟାନେଜର ପ୍ରତାପ ବେହେରା, ସହସଂପାଦକ ସୁଶାନ୍ତ କୁମାର ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।