ନୂଆଦିଲ୍ଲୀ : ତାମିଲନାଡୁ ରାଜନୀତିରେ ଘମାସାନ। ସିଏମ ବିଜୟଙ୍କୁ ଫ୍ଲୋର ଟେଷ୍ଟରେ ସମର୍ଥନ କରି ଦୁଇ ଫାଳ ହେଲା AIADMK । ଏଆଇଏଡିଏମକେ ମୁଖ୍ୟ ପଲାନିସ୍ୱାମୀ ଦଳର ୨୫ ଜଣ ବିଧାୟଙ୍କୁ ଦଳରୁ ବିଦା କରିଛନ୍ତି । ଏଥିରେ ଏସ୍ ପି ଭେଲୁମଣି ଏବଂ ସି.ଭି. ଶନମୁଗମଙ୍କ ସମେତ ଅନେକ ନେତା ସାମିଲ ଅଛନ୍ତି, ଯେଉଁମାନେ କି, ଦଳୀୟ ପଦବୀରୁ ବହିଷ୍କାର ହୋଇଛନ୍ତି।
ଏହା ଉଲ୍ଲେଖନୀୟ ଯେ ଏଆଇଏଡିଏମକେ ବିଧାୟକ ମାନେ ଟିଭିକେକୁ ସମର୍ଥନ କରିଥିଲେ, ଯାହା ଫଳରେ ମୁଖ୍ୟମନ୍ତ୍ରୀ ବିଜୟ ତାଙ୍କର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିଥିଲେ। ତେବେ ବିଦ୍ରୋହୀ ଏଆଇଏଡିଏମକେ ବିଧାୟକଙ୍କ ନେତୃତ୍ୱ ନେଇଥିବା ସି.ଭି. ଶନମୁଗମ ଦଳ ଭିତରେ କୌଣସି ବିଭାଜନକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, "ଆମ ଦଳରେ କୌଣସି ବିଭାଜନ ନାହିଁ। ଏଆଇଏଡିଏମକେର ଭବିଷ୍ୟତ ସଫଳତା ନିର୍ଣ୍ଣୟ କରିବା ପାଇଁ ଆମକୁ ତୁରନ୍ତ ଏକ ସାଧାରଣ ପରିଷଦ ବୈଠକ ଡାକିବା ଉଚିତ।" ଏହା ପରେ, ଦଳର ମୁଖ୍ୟ ଏକ ବଡ଼ ନିଷ୍ପତ୍ତି ନେଇ ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ୧୭ ଜିଲ୍ଲା ସଚିବଙ୍କୁ ବହିଷ୍କାର କରିବାର ଘୋଷଣା କରିଛନ୍ତି। ଏହି ତାଲିକାରେ ଆଜି ବିଶ୍ୱାସ ଭୋଟ ସମୟରେ ଟିଭିକେ ସରକାରଙ୍କୁ ସମର୍ଥନ କରିଥିବା ୨୫ ଜଣ ବିଧାୟକ ସାମିଲ ଅଛନ୍ତି।
ବିଦ୍ରୋହୀ ବିଧାୟକ ସିଭେ ଶନମୁଗମ କ’ଣ କହିଛନ୍ତି...
ସିଭେ ଶନମୁଗମ, ପଲାନିସ୍ବାମୀଙ୍କ ମନ୍ତବ୍ୟର ଜବାବ ଦେଇ କହିଛନ୍ତି, "ମୁଁ ଦଳ ସହିତ ବିଶ୍ୱାସଘାତକତା କରିନାହିଁ; ଆମ ଦଳର ମୂଳ ନୀତି ହେଉଛି DMKକୁ ପୋଛି ଦେବା। ଆମେ ଗତ ୫୦ ବର୍ଷ ଧରି DMK ବିରୋଧରେ ଲଢ଼ୁଛୁ। କିନ୍ତୁ AIADMKର ସାଧାରଣ ସମ୍ପାଦକ ଭାବରେ, ନିର୍ବାଚନ ହାରିବା ପରେ, ସେ ଛୋଟ ହୋଇଗଲେ ଏବଂ ମୁଖ୍ୟମନ୍ତ୍ରୀ ହେବାର ଲୋଭରେ AIADMKର ମୂଳ ନୀତି ଗୁଡ଼ିକୁ ଭୁଲିଗଲେ।"
ମୁଖ୍ୟମନ୍ତ୍ରୀ ବିଜୟ ବହୁମତ ପ୍ରମାଣ କଲେ...
ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱରେ ଟିଭିକେ ସରକାର ବୁଧବାର ୧୪୪ ବିଧାୟକଙ୍କ ସମର୍ଥନ ସହିତ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କଲା, ଯେତେବେଳେ ବହୁମତ ପାଇଁ କେବଳ ୧୧୮ ବିଧାୟକ ଆବଶ୍ୟକ ଥିଲେ। ପ୍ରାୟ ୨୫ ଜଣ AIADMK ବିଧାୟକ ମଧ୍ୟ ବିଜୟଙ୍କ ସମର୍ଥନରେ ଦଳ ବିରୁଦ୍ଧରେ ବିଦ୍ରୋହ କରିଥିଲେ ଏବଂ ତାଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ଭୋଟରେ ଅଂଶଗ୍ରହଣ କରିଥିଲେ। ଏହି ବିଦ୍ରୋହୀ ନେତା ମାନଙ୍କର ନେତୃତ୍ୱ ନେଉଥିବା ସିଭେ ଶନମୁଗମ ବ୍ୟାଖ୍ୟା କରିଥିଲେ ଯେ ଏହି ବିଧାୟକ ମାନେ କାହିଁକି TVK ସରକାରଙ୍କୁ ସମର୍ଥନ କରିଥିଲେ ।
ଏଆଇଏଡିଏମକେ କାହିଁକି ବିଜୟଙ୍କୁ ସମର୍ଥନ କରିଛି ?
ବିଦ୍ରୋହୀ ନେତାମାନଙ୍କର ନେତୃତ୍ୱ ନେଉଥିବା ସେଭେ ଶନମୁଗମ ଦାବି କରିଛନ୍ତି ଯେ ତାଙ୍କ ଦଳ ଏବଂ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଟିଭିକେର ସମାନ ଆଦର୍ଶଗତ ଏଜେଣ୍ଡା ଅଛି, ଏବଂ ତାଙ୍କ ଦଳ ଦ୍ରାବିଡ ମୁନେତ୍ର କାଝାଗମ (ଡିଏମକେ)କୁ ଏକ ଦୁଷ୍ଟ ଶକ୍ତି ଭାବରେ ଦେଖେ। ସେ କହିଛନ୍ତି ଯେ ଏହି ସମାନତା କାରଣରୁ ବିରୋଧୀ ଦଳର ବିଧାୟକ ମାନଙ୍କର ଏକ ଅଂଶ ବିଶ୍ୱାସ ଭୋଟ ସମୟରେ ଟିଭିକେର ବିଜୟ ସରକାରଙ୍କୁ ସମର୍ଥନ କରିଥିଲେ ।
ଏହା ସହ ପଢନ୍ତୁ : ପିଏମ ମୋଦୀଙ୍କ ଅପିଲ୍ ପରେ କ୍ୟାବିନେଟ ବୈଠକରେ ନିଜ ମନ୍ତ୍ରୀ ମାନଙ୍କୁ ସିଏମ ଯୋଗୀଙ୍କ ପରାମର୍ଶ, କହିଲେ ଆଗାମୀ ଛଅ ମାସ ପାଇଁ...