ନନ୍ଦାହାଣ୍ଡି,୧୩/୦୭: ମାଆଙ୍କ ମୃତ୍ୟୁ ଖବର ପାଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ଚାଲିଗଲା ପୁଅଙ୍କ ଜୀବନ । ସେ ହେଲେ ସଦର ବ୍ଲକ ପଡ଼ାଲଗୁଡ଼ା ପଞ୍ଚାୟତ ଚାରିଛକର ଗଣେଶ ବିଷୋୟୀ(୩୭) । ସୁଦୁର ବେଙ୍ଗାଲୁରରୁ ବସ୍‌ରେ ଆସୁଥିବା ବେଳେ ତାମିଲନାଡ଼ୁର ସାଲେମ୍ ବସଷ୍ଟାଣ୍ଡରେ ଗଣେଶଙ୍କ ମୃତ୍ୟୁ ହୋଇଛି । ସେଠାକାର ପୁଲିସ ଶବ ଜବତ କରିଛି । ମାଆ ପରେ ପୁଅର ଜୀବନ ଚାଲିଯିବାରୁ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ୫ ବର୍ଷ ହେଲା ବେଙ୍ଗାଲୁରୁରେ ଶ୍ରମିକ ଭାବେ କାମ କରୁଥିଲେ ଗଣେଶ । ଗତ ୧୦ ତାରିଖରେ ତାଙ୍କ ମାଆ ସାବିତ୍ରୀ ବିଷୋୟୀ(୫୫)ଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ଗାଁକୁ ବସ୍‌ରେ ଫେରୁଥିଲେ ସେ । ସାଲେମ୍ ବସ୍‌ଷ୍ଟାଣ୍ଡରେ ଗାଡ଼ିରୁ ଓହ୍ଲାଇଥିଲେ । ହଠାତ ତାଙ୍କ ମୃତ୍ୟୁ ହୋଇଥିଲା । ତାମିଲନାଡ଼ୁ ପୁଲିସ ଶବ ଜବତ ପରେ ବ୍ୟବଚ୍ଛେଦ ଲାଗି ପଠାଇଥିଲା । ଘରେ ଗଣେଶଙ୍କ ସ୍ତ୍ରୀ ଓ ୩ ପିଲା ଅଛନ୍ତି । ୨ ଦିନରେ ଆଗପଛ ହୋଇ ପରିବାରର ୨ ଜଣଙ୍କ ମୃତ୍ୟୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ଅନ୍ୟପଟେ ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇଥିବା ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସେ ହେଲେ ସଦର ବ୍ଲକ ଦହଣା ପଞ୍ଚାୟତ ଅଣ୍ଟାସରର ପ୍ରଭାକର ହରିଜନ(୩୪) । ମୃତ୍ୟୁ କାରଣ ସ୍ପଷ୍ଟ ହୋଇନି । ବ୍ୟବଚ୍ଛେଦ ପରେ ପ୍ରଭାକରଙ୍କ ମୃତଦେହ ଗାଁରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ।

 ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ପ୍ରଭାକର ତାମିଲନାଡ଼ୁର ଟି-୭ ନୁରପୁରା ଅଞ୍ଚଳରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ । କିଛି ଦିନ ତଳେ ଗାଁକୁ ଫେରି ପୁଣି ତାମିଲନାଡ଼ୁ ଯାଇଥିଲେ । ଗତ ୯ ତାରିଖରେ ତାଙ୍କ ମୃତ୍ୟୁ ଖବର ମିଳିଥିଲା । ଆଜି ସନ୍ଧ୍ୟାରେ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପ୍ରଭାକରଙ୍କ ସ୍ତ୍ରୀ ଓ ୨ ପୁଅ ଅଛନ୍ତି ।

ଅଧିକ ପଢ଼ନ୍ତୁ :-  Bomb Threat: ସମ୍ୱଲପୁର ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ, ବୋମା ନିଷ୍କ୍ରିୟକାରୀ ଟିମ୍ର ତଲାସୀ ଅଭିଯାନ ଜାରି