ଭୁବନେଶ୍ୱର,୧୬/୦୪: ଭୁବନେଶ୍ୱର ଏମ୍‌ସି ନର୍ସିଂ ସଂଘ ସଭାପତି ରମେଶ ପୋନୁଗୁପତି ଆକ୍ରମଣ ଘଟଣାରେ ନ୍ୟାୟ ଦାବି କରି ବୁଧବାର ଓପିଡି ବ୍ଲକ ସାମ୍ନାରେ ଶତାଧିକ ନର୍ସ ନର୍ସିଂ ସେବା ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ଯାଏ ଏହି ଆକ୍ରମଣ ମାମଲାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ହେଲେ ଆହୁରି ଅଭିଯୁକ୍ତ ଏଥିରେ ସଂପୃକ୍ତ ଅଛନ୍ତି । ସମସ୍ତଙ୍କୁ ଗିରଫ କରିବାକୁ ନର୍ସିଂ ସଂଘ ଦାବି କରିଛି ।

ଅଧିକ ପଢ଼ନ୍ତୁ :- ଆସିଲା ସହରାଞ୍ଚଳ ପାର୍କିଂ ନୀତି: ଏଣିକି ଗାଡ଼ି କିଣିବା ବେଳେ ପାର୍କିଂ ସାର୍ଟିଫିକେଟ ଦେବାକୁ ବାଧ୍ୟ, ରାସ୍ତା କଡ଼ରେ ରଖିଲେ ଫାଇନ୍

ନର୍ସମାନଙ୍କ ବିକ୍ଷୋଭ ପାଇଁ ଏମ୍‌ସରେ କିଛି ସମୟ ଧରି ରୋଗୀ ସେବା ପ୍ରଭାବିତ ହୋଇଥିଲା । ଏମର୍‌ଜେନ୍ସି  ବିଭାଗରେ କେହି ନର୍ସ ନଥିବା ବେଳେ ରୋଗୀଙ୍କୁ ଦେଖାଶୁଣା ହୋଇପାରନଥିବା ଅଭିଯୋଗ ଉଠିଥିଲା । ସାଲାଇନ୍ ବଦଳ, ଇଞ୍ଜେକସନ୍, ଔଷଧ ଦେବାକୁ ନର୍ସମାନେ ଯାଇନଥିଲେ । ଯାହାକୁ ନେଇ ରୋଗୀ ପରିଜନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । କର୍ତ୍ତୃପକ୍ଷଙ୍କ ବୁଝାସୁଝା ପରେ ଆନ୍ଦୋଳନ ସ୍ଥଗିତ ରହିଥିଲା । ହେଲେ ଯଦି ପୁଲିସ ସମସ୍ତ ଅଭିଯୁକ୍ତକୁ ଗିରଫ ନକରେ ତେବେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ଏହାପୂର୍ବରୁ ନର୍ସମାନେ ହାତରେ କଳାପଟି ବାନ୍ଧି ନୀରବ ପ୍ରତିବାଦ କରୁଥିଲେ ।

ସୂଚନା ଯୋଗ୍ୟ ଯେ ଗତ ୧୦ ତାରିଖରେ ରମେଶ କାମ ସାରି ଏମ୍‌ସିରୁ ଘରକୁ ଫେରୁଥିବା ବେଳେ ୬ଜଣ ଦୁର୍ବୃତ୍ତ ଗାଡିରେ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।