ନୂଆଦିଲ୍ଲୀ: ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି। ଜୟପୁରରୁ ଉଡ଼ାଣ ଆରମ୍ଭ କରିବା ମାତ୍ରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହା ଫଳରେ ବିମାନଟିକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହି ବିମାନଟି ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ହେଲେ ଉଡାଣ ଆରମ୍ଭ କରିବାର ମାତ୍ର ୧୮ ମିନିଟ୍ ପରେ ବିମାନଟିକୁ ରନୱେକୁ ଫେରାଇ ଆଣିବାକୁ ପଡିଥିଲା।

ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ AI-612 ଅପରାହ୍ନ ୧.୫୮ ରେ ଜୟପୁର ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ କରିଥିଲା। ହେଲେ ଏହାର ଉଡ଼ାଣ ସମୟ ଅପରାହ୍ନ ୧:୩୫ ଥିଲା। ଏହି ବିମାନ ପ୍ରାୟ ୨୩ ମିନିଟ୍ ବିଳମ୍ବରେ ମୁମ୍ବାଇ ଅଭିମୁଖେ ଉଡ଼ାଣ କରିଥିଲା। ଉଡ଼ାଣ ଆରମ୍ଭ ହେବାର ତୁରନ୍ତ ପରେ ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପାଇଲଟ ତ୍ରୁଟି ବିଷୟରେ ଜାଣିବା ମାତ୍ରେ ତୁରନ୍ତ ବିମାନକୁ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ବିମାନର ପାଇଲଟ ଜୟପୁର ATC ରୁ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବର୍ତ୍ତମାନ ବିମାନର ଯାନ୍ତ୍ରିକ ତଦନ୍ତ ଚାଲିଛି।

ସେହିପରି, ବୁଧବାର ବିଳମ୍ବିତ ରାତିରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି ଯେତେବେଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମୁମ୍ବାଇ ଯାଉଥିବା ଆଉ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ାଣ କରିପାରିନଥିଲା । ଜଣେ ଅଧିକାରୀଙ୍କ ଅନୁଯାୟୀ,ଉଡ଼ାଣ ପୂର୍ବରୁ ପାଇଲଟ୍ କକପିଟ୍ ସ୍କ୍ରିନରେ ଏକ ତ୍ରୁଟି ଦେଖିଥିଲେ।

କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଏହି ବର୍ଷ ଦେଶର ପାଞ୍ଚଟି ବିମାନ କମ୍ପାନୀ ଜୁଲାଇ୨୧ ପର୍ଯ୍ୟନ୍ତ ସେମାନଙ୍କ ବିମାନରେ୧୮୩ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ କରିଛନ୍ତି ଏବଂ ଏ ବିଷୟରେ DGCA କୁ ଅବଗତ କରିଛନ୍ତି। ସରକାର କହିଛନ୍ତି ଯେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଯଥାକ୍ରମେ ୬୨ ଏବଂ ୨୮ ଯାନ୍ତ୍ରିକ ତ୍ରୁଟି ରିପୋର୍ଟ କରିଛନ୍ତି। ସେହି ସମୟରେ, ସ୍ପାଇସଜେଟ୍ ଏପରି ୮ଟି ତ୍ରୁଟି ରିପୋର୍ଟ କରିଛି।