ନୂଆଦିଲ୍ଲୀ ୨୦/୦୭: ଫିଲ୍ମରେ ଆମେ ଯେଉଁ ଆକ୍ସନ୍‌-ପ୍ୟାକ୍‌ଡ ଦୃଶ୍ୟ ଦେଖି ଉତ୍ସାହିତ ହେଉଛୁ, ତାହା ଖୁବ୍‌ କମ୍‌ କଳାକାର ପରଦାରେ କରିଥାନ୍ତି । ବାସ୍ତବରେ ପେସାଦାର ଷ୍ଟଣ୍ଟ୍‌ମ୍ୟାନ୍‌ମାନେ  ଫିଲ୍ମରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରିଥାନ୍ତି । ସେମାନଙ୍କ ଜୀବନର ସୁରକ୍ଷା ଓ ଅଧିକାର ପାଇଁ ଆଗେଇ ଆସିଛନ୍ତି  ଖିଲାଡ଼ି କୁମାର ଅକ୍ଷୟ । ନିକଟରେ ଏକ ସାଉଥ୍‌ ଫିଲ୍ମର  ଷ୍ଟଣ୍ଟ୍‌ ସିନ୍‌ର ସୁଟିଂ ସମୟରେ ଷ୍ଟଣ୍ଟ୍‌ମ୍ୟାନ୍‌ ଏସ୍‌ଏମ୍‌ ରାଜୁଙ୍କର ମୃତ୍ୟୁ ହୋଇଛି । ଏହି ଦୁଃଖଦ ଖବର ଅକ୍ଷୟଙ୍କ ଉପରେ ଗଭୀର   ପ୍ରଭାବ ପକାଇଛି । ସେ ଦେଶର ପ୍ରାୟ ୬୫୦ ଷ୍ଟଣ୍ଟ୍‌ମ୍ୟାନଙ୍କୁ ବୀମା  ଓ ଅନ୍ୟ ସୁବିଧା ପ୍ରଦାନ କରିଛନ୍ତି ।  

ନିକଟରେ ପ୍ରଖ୍ୟାତ ଆକ୍ସନ୍‌ ନିର୍ଦ୍ଦେଶକ ବିକ୍ରମ ସିଂହ ଦହିୟା ଷ୍ଟଣ୍ଟ୍‌ମ୍ୟାନ୍‌ ହେବାର ବିପଦ ସମ୍ପର୍କରେ ଗଣମାଧ୍ୟମ ସହ  ଆଲୋଚନା କରିଥିଲେ । ସେ କହିଥିଲେ, ବଲିଉଡ୍‌ ଇଣ୍ଡଷ୍ଟ୍ରିର  ଷ୍ଟଣ୍ଟ୍‌ମ୍ୟାନ୍‌ଙ୍କୁ ସାହାଯ୍ୟ କରିବା ପାଇଁ ଅକ୍ଷୟ କୁମାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଛନ୍ତି । ତାଙ୍କ ପାଇଁ ବଲିଉଡ୍‌ର ୬୫୦-୭୦୦ ଷ୍ଟଣ୍ଟ୍‌ମ୍ୟାନ୍‌ ଓ ଆକ୍ସନ୍‌ କ୍ରୁ ସଦସ୍ୟ ଏବେ ବୀମା ଅନ୍ତର୍ଭୁକ୍ତ ହୋଇଛନ୍ତି । ଏଥିରେ ଉଭୟ ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା ରହିଛି । ଯଦି ଜଣେ ଷ୍ଟଣ୍ଟ୍‌ମ୍ୟାନ୍‌ ସୁଟିଂ ସେଟ୍‌ରେ ଆହତ ହୁଅନ୍ତି, ସେ ୫ରୁ ୫.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ । ଅକ୍ଷୟ କୁମାର କେବଳ ଷ୍ଟଣ୍ଟ୍‌ମ୍ୟାନ୍‌ମାନଙ୍କର ବୀମା କରାଇଛନ୍ତି ତାହା ନୁହେଁ, ଏଥିପାଇଁ ପାଣ୍ଠି  ମଧ୍ୟ ଦେଇଛନ୍ତି ।

ମୁଭି ଷ୍ଟଣ୍ଟ୍‌ ଆର୍ଟିଷ୍ଟ୍‌ ଆସୋସିଏସନ୍‌ର ଜେନେରାଲ ସେକ୍ରେଟାରୀ ଏଜାଜ ଖାନ୍‌ ଏହି ପ୍ରୟାସ ପାଇଁ ଅକ୍ଷୟ କୁମାରଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଗତ ୮ ବର୍ଷ ଧରି ଅକ୍ଷୟ କୁମାର ନିଜ ପକେଟ୍‌ରୁ ଏହି ବୀମା ପାଇଁ ପାଣ୍ଠି ପ୍ରଦାନ କରିଆସିଛନ୍ତି । ୨୦୧୭ ମସିହାରେ ଏହି ବୀମା ଷ୍ଟଣ୍ଟ୍‌ ଆର୍ଟିଷ୍ଟ୍‌ ଆସୋସିଏସନ୍‌କୁ ପ୍ରଦାନ  କରାଯାଇଥିଲା । ସେବେଠୁ ଅନେକ ଷ୍ଟଣ୍ଟ୍‌ମ୍ୟାନ୍‌ ଏହାର ଲାଭ ପାଇଛନ୍ତି ।