ମୁମ୍ବାଇ ୧୧/୧୧: ଆଲିୟା ଭଟ୍ଟ ବର୍ତ୍ତମାନ ବଲିଉଡ୍‌ର ସବୁଠୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଅଭିନୀତ ‘ଜିଗ୍‌ରା’ ବକ୍ସ ଅଫିସ୍‌ରେ ସେତେଟା ପ୍ରଭାବଶାଳୀ ସାବ୍ୟସ୍ତ ହୋଇନଥିଲେ ବି ଆଲିୟାଙ୍କ ନିକଟରେ କାମର ଅଭାବ ନାହିଁ । ଯଶରାଜ ଫିଲ୍ମସର ସ୍ପାଏ ଆକ୍ସନ୍‌ ଥ୍ରିଲର ‘ଆଲ୍‌ଫା’ର ସୁଟିଂରେ ଏବେ ସେ ବ୍ୟସ୍ତ ଥିବାବେଳେ ଚଳିତ ମାସରୁ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କର ‘ଲଭ୍‌ ଆଣ୍ଡ ୱାର୍‌’ ଲାଗି ସୁଟିଂ ଆରମ୍ଭ କରିବେ । ତେବେ ଇତିମଧ୍ୟରେ ତାଙ୍କୁ ଆଉ ଏକ ବଡ଼ ପ୍ରୋଜେକ୍ଟ ଲାଗି ଅଫର୍‌ ମିଳିଥିବା କୁହାଯାଉଛି ।

‘କଲ୍‌କି ୨୮୯୮ଏଡି’ ଫେମ୍‌ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କର ଆଗାମୀ ଫିଲ୍ମରେ ଫିମେଲ୍‌ ଲିଡ୍‌ ପାଇଁ ଆଲିୟାଙ୍କ ନାମ ଚର୍ଚ୍ଚା ହେଉଛି । ଫିଲ୍ମର ଶୀର୍ଷକ ଚୂଡ଼ାନ୍ତ ହୋଇନଥିବାବେଳେ ବଜେଟ୍‌ ପ୍ରାୟ ୫୦୦ କୋଟି ରହିବ । ଜଣେ ସଶକ୍ତ ମହିଳାଙ୍କ ଉପରେ ଏହାର କାହାଣୀ ଆଧାରିତ ହୋଇଥିବାବେଳେ ସେହି ଚରିତ୍ରପାଇଁ ଆଲିୟା ଏକଦମ୍‌ ଫିଟ୍‌ ହେବେ ବୋଲି ତାଙ୍କ ସହ ଘନିଷ୍ଠ ଜଣେ ବ୍ୟକ୍ତି କହିଛନ୍ତି । ଯଦିଓ ଆଲିୟା କିମ୍ବା ନାଗ ଅଶ୍ୱିନ କେହି ଏ ସଂପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି ତେବେ ସେମାନଙ୍କ ମଧ୍ୟରେ ଏଥିଲାଗି ପ୍ରାଥମିକ ଆଲୋଚନା ସରିଯାଇଛି । ଉଭୟ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି । ଆସନ୍ତାବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି ।