ବାରିପଦା, ୦୪/୦୬: ସମସ୍ୟା ଘେରରେ ବୁଡି ରହିଥିବା ପିଆରଏମ୍ ମେଡିକାଲ କଲେଜର ବିକଳ ଚିତ୍ର ପୁଣି ଥରେ ସାମ୍ନାକୁ ଆସିଛି । ବ୍ୟବସ୍ଥାରେ ଫେଲ୍ ଯୋଗୁଁ ଷ୍ଟ୍ରେଚର, ହୁଇଲଚେୟାର, ବ୍ୟାଟେରୀ ଗାଡି ଥିବା ସତ୍ତେ୍ୱ ସ୍କାନିଂ ପାଇଁ ରୋଗ ନିରୂପଣ କେନ୍ଦ୍ରକୁ ପୁଅ କାନ୍ଧରେ ବୁହାହୋଇ ଗଲେ ଜଣେ ୭୫ବର୍ଷୀୟ ବୃଦ୍ଧା ।

ବୃଦ୍ଧା ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଗୋଲାମୁଣ୍ଢାକଟା ଅଞ୍ଚଳର ଶାଳବଣି ଗାଁର ଡମିମଣି ପାତ୍ର । ସେ ଥଣ୍ଡା ଓ ଜ୍ୱରରେ ପୀଡିତ ହୋଇ ଗତ ଗୁରୁବାର ଠାରୁ ପିଆରଏମ୍ର ଭେସଜ ବିଭାଗର ମହିଳା ୱାର୍ଡ ବେଡ ନଂ ୪୦ରେ ଚିକିତ୍ସିତ ହେଉଛନ୍ତି । ଜ୍ୱର ଛାଡୁ ନଥିବାରୁ ତାଙ୍କ ଛାତି ସ୍କାନିଂ ପାଇଁ ଡାକ୍ତର କହିବା ପରେ ତାଙ୍କ ପୁଅ ଓ ବୋହୁ ମିଶି ରୋଗ ନିରୁପଣ କେନ୍ଦ୍ରକୁ ନେବାକୁ ବାହାରିଥିଲେ । ସେତେବେଳକୁ ସମୟ ପ୍ରାୟ ସାଢେ ୧୦ରୁ ୧୧ ଭିତରେ । ବୃଦ୍ଧାଙ୍କୁ ନେବା ପାଇଁ ଷ୍ଟେଚର, ହୁଇଲଚେୟାର, ବ୍ୟାଟେରୀ ଗାଡି କିଛି ନ ପାଇବାରୁ ବାଧ୍ୟ ହୋଇ ଖରାରେ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ବୃଦ୍ଧା ଜଣକ ଧଇଁସଇଁ ହୋଇ ପଡିଥିଲେ । ଆଉ ପାଦେ ଆଗକୁ ଯିବାର ସାହାସ ନଥିବାରୁ ପୁଅ ଧନେଶ୍ୱର ତାଙ୍କୁ କାନ୍ଧରେ କାନେ୍ଧଇ ନେଉଥିବା ଦେଖାଯାଇଥିଲା । ଏଭଳି ଅଭାବନୀୟ ତଥା ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭଞ୍ଜସେନା ଅଧ୍ୟକ୍ଷ କଳିଙ୍ଗକେଶରୀ ଜେନା ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି । ବିଜେଡି ନେତା ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ପିଆରଏମ୍ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ସିଧାସଳଖ ଦାୟୀ କରିଛନ୍ତି ।

ଅଧିକ ପଢ଼ନ୍ତୁ :-  Breaking News: ବ୍ରିଜ୍ ଉପରେ ବ୍ୟାଗ୍ ଓ ଚପଲ, ମହାନଦୀରୁ ମିଳିଲା ଯୁବତୀଙ୍କ ମୃତଦେହ

ଶ୍ରୀ ମାରାଣ୍ଡି କହିଛନ୍ତି ଯେ, ପିଆରଏମ୍ ମେଡିକାଲ କଲେଜର ବାପା ମାଆ କେହି ନ ଥିବା ଭଳି ଚାଲିଛି । ଅଧିକାଂଶ ଡାକ୍ତର ପାଳିରେ ଆସୁଥିବା ବେଳେ ପ୍ରାଇଭେଟ କ୍ଲିନିକ ଠାରୁ ହସପିଟାଲରେ ସେମାନଙ୍କର ଉପସ୍ଥାନ ବେଶୀ ରହୁଛି । ଜୁନିଅର ଡାକ୍ତରମାନେ ଏଠି ସଠିକ୍ଭାବେ ରୋଗନିଦାନ କରିବାରେ ସକ୍ଷମ ହେଉ ନଥିବା ବେଳେ ପ୍ରଫେସର ଡାକ୍ତରବାବୁ କେବଳ କ୍ଲିନିକରେ ଟଙ୍କା ରୋଜଗାରରେ ବ୍ୟସ୍ତ ଅଛନ୍ତି । ସେପଟେ ରୋଗ ନିରୂପଣ କେନ୍ଦ୍ର ପାଖାପାଖି ୩୦୦ମିଟରରୁ ଅଧିକ ଦୂର । ପୁଣି ରୋଗୀକୁ ରାସ୍ତାପାର ହୋଇ ଯିବାକୁ ପଡୁଥିବାରୁ ପ୍ରତିମୁହୂର୍ତ୍ତରେ ରୋଗୀର ଜୀବନ ପ୍ରତି ବିପଦ ରହୁଛି । ସୁତରାଂ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ୟାମ୍ପସରୁ ପିଆରଏମ୍ ମେଡିକାଲ କଲେଜ ହସପିଟାଲକୁ ରଙ୍ଗାମାଟିଆକୁ ସ୍ଥାନାନ୍ତରିତ କରିବାକୁ ସେ ଦାବି କରିଛନ୍ତି ।

ଶ୍ରୀ ମାରାଣ୍ଡି ଚେତାବନୀ ଦେଇ କହିଛନ୍ତି ଯେ, ତୁରନ୍ତ ଏହି ଅବ୍ୟବସ୍ଥାରେ ସୁଧାର ନ ହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ । ଏପଟେ ମାସା ଆମି ର୍ର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ରୋଗୀମାନଙ୍କୁ ମାନବିକ ଓ ମର୍ଯ୍ୟାଦାପୂର୍ଣ୍ଣ ସେବା ଯୋଗାଇବା ସରକାର ଏବଂ ହସ୍ପିଟାଲ କତ୍ତୃ ର୍ପକ୍ଷଙ୍କ ଦାୟିତ୍ୱ ।ତେଣୁ ତୁରନ୍ତ ହସ୍ପିଟାଲରେ ପର୍ଯ୍ୟାପ୍ତ ସଂଖ୍ୟକ ଷ୍ଟ୍ରେଚର ଓ ହ୍ୱିଲଚେୟାର ଯୋଗାଇବା ସହ ରୋଗୀ ପରିବହନ ବ୍ୟବସ୍ଥାକୁ ସୁଦୃଢ କରାଯାଉ ।ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ସଂଗଠନ ପକ୍ଷରୁ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମାସାଆର୍ମୀ ପକ୍ଷରୁ ଚେତାବନୀ ଦିଆଯାଇଛି । ଏ ପ୍ରସଙ୍ଗରେ ପିଆରଏମ୍ ମେଡିକାଲ କଲେଜର ଅଧୀକ୍ଷକ ପ୍ରଫେସର ରୀତାଞ୍ଜଳି ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରୋଗୀଙ୍କ ସୁବିଧା ପାଇଁ ହେଲ୍ପ ଡେସ୍କ ରହିଛି ।ରୋଗୀଙ୍କୁ ନେବା ଆଣିବା ପାଇଁ ୨ଟି ବ୍ୟାଟେରୀ ଯାନ ରହିଥିବା ବେଳେ ହୁଇଲଚେୟାର ଓ ଟ୍ରଲି ଷ୍ଟେଚର ମଧ୍ୟ ରହିଛି । ସେହି ରୋଗୀଙ୍କ ଆଟେଣ୍ଡେଣ୍ଟ କାହାକୁ କିଛି ନ କହି ଚାଲିଚାଲି ଯାଉଥିବା ବେଳେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଏ ଘଟଣା ନଜରକୁ ଆସିବା ପରେ ହେଲ୍ପଡେସ୍କକୁ ଅଧିକ ସଚେତନ ରହିବାକୁ କୁହାଯାଇଛି । ତେବେ ହୁଇଲଚେୟାର ଓ ଷ୍ଟେଚର ଗୁଡିକୁ ରୋଗୀଙ୍କ ଆଟେଣ୍ଡାଣ୍ଟ ନେବା ପରେ ସେଗୁଡିକୁ ଆଣି ପୁଣି ଯଥା ସ୍ଥାନରେ ନ ରଖିବାରୁ ଏଭଳି ଅବସ୍ଥା ଉପୁଜୁଛି ବୋଲି ସେ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୭ ସେପ୍ଟେମ୍ବର ୬ରେ ରଙ୍ଗାମାଟିଆ ଠାରେ ପିଆରଏମ୍ ମେଡିକାଲ କଲେଜ କ୍ୟାମ୍ପସ ଉଦଘାଟିତ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ପିଆରଏମ୍ ମେଡିକାଲ କଲେଜର ହସପିଟାଲ କାର୍ଯ୍ୟ କରୁଛି । ରଙ୍ଗାମାଟିଆ ଠାରେ ନୂତନ ହସ୍ପିଟାଲର ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ହୋଇ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ଅପେକ୍ଷା ବୋଲି କୁହାଯାଉଛି ।