ନୂଆଦିଲ୍ଲୀ,୧୮/୧୦: ସାମ୍ନାରେ ବନ୍ଧୁତାର ହାତ ବଢ଼ାଇ ପିଠି ପଛରେ ଛୁରି ମାରିବା ପାକିସ୍ତାନର ନୀତିଗତ ପ୍ରକୃତି । ଯାହାର ପ୍ରମାଣ ପୁଣି ମିଳିଛି । ଆଫଗାନିସ୍ତାନ ସହ ୪୮ ଘଣ୍ଟାର ଯୁଦ୍ଧ ବିରାମକୁ ବଢ଼ାଇ ପାଇଁ ସହମତିର କିଛି ଘଣ୍ଟା ପରେ ଡୁରାଣ୍ଡ ଲାଇନ ସୀମାବର୍ତ୍ତି ଅଞ୍ଚଳରେ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ । ଏଥିରେ ୩ ଆଫଗାନ କ୍ରିକେଟରଙ୍କ ସମେତ ୧୦ ନାଗରିକଙ୍କର ମୃତ୍ୟୁ ହୋଇଛି । ସୀମାରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଯାଇଛି । ଆଫଗାନିସ୍ତାନ ସହ ବିବାଦକୁ ନେଇ ପାକିସ୍ତାନ ଭାରତ ବିରୋଧରେ ବିଷ ଓଗାଳିଛି । ରାଗ ଗରଗର ହୋଇ ତାଟିଆ କାମୁଡୁଛି ଆତଙ୍କୀସ୍ଥାନ । ଆଫଗାନିସ୍ତାନକୁ ଭାରତର ପ୍ରକ୍ସି ବୋଲି କହିଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ।
ଆଫଗାନିସ୍ତାନୀଙ୍କୁ ପାକିସ୍ତାନ ଛାଡିବାକୁ ଆଦେଶ- ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନରେ ରହୁଥିବା ସମସ୍ତ ଆଫଗାନଙ୍କୁ ସେମାନଙ୍କ ଦେଶକୁ ଫେରିବାକୁ କହିଛନ୍ତି । ସେ କହିଛନ୍ତି, "ପାକିସ୍ତାନ ମାଟିରେ ରହୁଥିବା ସମସ୍ତ ଆଫଗାନ ନାଗରିକଙ୍କୁ ନିଜ ଦେଶକୁ ଫେରିଯିବା ଉଚିତ୍ । ସେମାନଙ୍କର ଏବେ କାବୁଲରେ ନିଜସ୍ୱ ସରକାର ଅଛି । ଆମର ମାଟି ଏବଂ ସମ୍ପଦ ୨୫ କୋଟି ପାକିସ୍ତାନୀଙ୍କର । ସ୍ୱାଭିମାନୀ ରାଷ୍ଟ୍ରଗୁଡ଼ିକ ବିଦେଶୀ ଭୂମି ଏବଂ ସମ୍ପଦରେ ଉନ୍ନତି କରନ୍ତି ନାହିଁ । ସେମାନଙ୍କର ଏବେ କାବୁଲରେ ନିଜସ୍ୱ ସରକାର ଅଛି। ଇସଲାମିକ୍ ବିପ୍ଳବକୁ ୫ ବର୍ଷ ବିତିଗଲାଣି । ସେମାନଙ୍କୁ ପାକିସ୍ତାନ ସହିତ ପଡ଼ୋଶୀ ଭାବରେ ରହିବାକୁ ପଡିବ। କାବୁଲରୁ ଆହୁରି ଆକ୍ରମଣ ହେଲେ ପାକିସ୍ତାନ ନିଜକୁ ରକ୍ଷା କରିବାକୁ ପ୍ରସ୍ତୁତ ଏବଂ ସକ୍ଷମ । ୫ ବର୍ଷର ପ୍ରୟାସ ଏବଂ ବଳିଦାନ ସତ୍ତ୍ୱେ, କାବୁଲରୁ କୌଣସି ସକାରାତ୍ମକ ପ୍ରତିକ୍ରିୟା ମିଳିନାହିଁ । କାବୁଲ ଭାରତର ପ୍ରକ୍ସି । ଭାରତ କୋଳରେ ବସି ଷଡ଼ଯନ୍ତ୍ର କରୁଛି ଆଫଗାନିସ୍ତାନ । "
ଭାରତ-ଆଫଗାନ ସମ୍ପର୍କକୁ ନେଇ ତାଡିଆ କାମୁଡିଛି ପାକିସ୍ତାନ- କାବୁଲ ଏବେ ଭାରତର ଏକ ମୋହରା ପାଲଟିଛି । ଭାରତ ଏବଂ ତେହେରିକ୍-ଏ-ତାଲିବାନ ପାକିସ୍ତାନ (TTP) ସହିତ ମିଶି ପାକିସ୍ତାନ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି । କାବୁଲର ଶାସକ, ଯେଉଁମାନେ ଏବେ ଭାରତର କୋଳରେ ବସି ପାକିସ୍ତାନ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି, ସେମାନେ ଆମ ଦେଶରେ ସୁରକ୍ଷିତ ରହୁଥିଲେ ବୋଲି କହିଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ।