ଭୁବନେଶ୍ୱର,୧୨/୦୭: ମୋ ଝିଅକୁ ନିଶା ଦେଇ ଅପହରଣ କଲେ । ତା’ ସହ ଖରପ କାମ କରିବା ପରେ ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବିକି ଦେଲେ । ମୁଁ ଥାନାକୁ ଗଲି... । ପୁଲିସ୍ ସବୁ ଶୁଣିଲା । ହେଲେ ମାମଲା ରୁଜୁ କଲାଣି କି ମୋ ଝିଅକୁ ଉଦ୍ଧାର କଲା ନାହିଁ... । ୮ ମାସ ଧରି ନ୍ୟାୟ ପାଇଁ ବାର ଦୁଆର ହେବା ପରେ ଅପହୃତାଙ୍କ ବାପା ଦୁଇ ଦିନ ତଳେ ଭୁବନେଶ୍ୱରରେ ପହଞ୍ଚିଲେ । ଜଣେ ରାଜନେତାଙ୍କ ସହଯୋଗ ଲୋଡ଼ିଥିଲେ । ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ କ୍ୟାପିଟାଲ୍ ଥାନାରେ ଏତଲା ଦେଇଥିଲେ । କ୍ୟାପିଟାଲ୍ ଥାନା ପୁଲିସ୍ ଜିରୋ ଏତଲା କରିବା ପରେ କନ୍ଧମାଳ ଜିଲ୍ଲା ଚକାପଦା ଥାନାକୁ ପଠାଇ ଦେଇଛି । କନ୍ଧମାଳ ଏସ୍ପି ଏହି ମାମଲାରେ ହସ୍ତକ୍ଷେପ କରିବା ପରେ ପୁଲିସ୍ ଏହି ଘଟଣାରେ ଜଣେ ଗଞ୍ଜେଇ ମାଫିଆ ଧ୍ରୁବ ମଲ୍ଲିକ ଓ ତା’ର ପ୍ରେମିକା ମମତାକୁ ଅଟକ ରଖି ଜେରା କରୁଛି ।
ଅଭିଯୋଗରୁ ଜଣାପଡ଼ିଛି, ଧ୍ରୁବ ଜଣେ କୁଖ୍ୟାତ ଗଞ୍ଜେଇ ବେପାରୀ । ଚୋରା ଗଞ୍ଜେଇ କାରବାର ସହିତ ଯୁବତୀ ଚାଲାଣର ଏକ ରାକେଟ୍ ଚଲାଇଛି । ସ୍ଥାନୀୟ ପୁଲିସ୍ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ତା ହାତ ମୁଠାରେ । ଅବାଧରେ ଗଞ୍ଜେଇ ବେପାର କରିବା ସହିତ ନାବାଳିକା ଓ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ରାଜ୍ୟ ବାହାରକୁ ଚାଲାଣ କରୁଛି । ଯୁବତୀ ଚାଲାଣରେ ତାକୁ ସହଯୋଗ କରୁଛି ତାର ପ୍ରେମିକା ମମତା । ବର୍ତ୍ତମାନ ସୁଦ୍ଧା ତା’ ବିରୋଧରେ ଏକାଧିକ ଯୁବତୀ ଚାଲାଣ ଅଭିଯୋଗରେ ମାମଲା ରୁଜୁ ହୋଇସାରିଲାଣି । ହିନ୍ଦୁ ଯୁବତୀଙ୍କୁ ଧ୍ରୁବ ସଂଖ୍ୟାଲଘୁ ସମ୍ପ୍ରଦାୟରେ ବିକ୍ରି କରି ଦେଉଥିବା ନେଇ ଅଭିଯୋଗ ଆସିଛି ।
ଅଧିକ ପଢ଼ନ୍ତୁ :- Weather Forecast: ରାଜ୍ୟରେ ସୋମବାରଠୁ ବଢ଼ିବ ବର୍ଷା ପରିମାଣ, ଆଜି କେନ୍ଦୁଝର ଓ ମୟୂରଭଞ୍ଜ ପ୍ରବଳ ବର୍ଷା ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
୮ ମାସ ତଳେ ଚକାପାଦ ଅଞ୍ଚଳର ଜଣେ ଗରିବ ଚାଷୀଙ୍କ ଝିଅକୁ ଚାକିରି ପ୍ରଲୋଭନ ଦେଖାଇ ମମତା ଘରକୁ ଡାକିଥିଲେ । ସେ ସମୟରେ ଅନ୍ୟ ଜଣେ ନାବାଳିକାଙ୍କୁ ମଧ୍ୟ ଚାକିରିର ଲୋଭ ଦେଖାଇ ଡାକିଥିଲେ ମମତା । ଦୁଇ ଜଣଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଚେତା ଶୂନ୍ୟ କରିଥିଲେ । ପରେ ଦୁଇ ଜଣଙ୍କୁ ଦୁଷ୍କର୍ମ କରିଥିଲା ଧ୍ରୁବ । ନାବାଳିକାଙ୍କୁ ରାଜସ୍ଥାନ ଓ ଯୁବତୀଙ୍କୁ ମୁର୍ଶିଦାବାଦର ଜଣେ ଦଲାଲ୍କୁ ବିକ୍ରି କରି ଦେଇଥିଲା। ଯୁବତୀଙ୍କ ବାପା ଜାଣିଥିଲେ ତାଙ୍କ ଝିଅ ଚାକିରି କରିବାକୁ ବାହାରକୁ ଯାଇଛି । ଦୀର୍ଘ ଦିନ ଗଲା ପରେ ଝିଅ ସହ ଯୋଗାଯୋଗ ହୋଇପାରିଲା ନାହିଁ । ଏନେଇ ସେ ଧ୍ରୁବ ଓ ମମତାଙ୍କୁ ଯୋଗାଯୋଗ କରିଥିଲେ । ହେଲେ ସେମାନେ ତାଙ୍କ କଥା ଶୁଣି ନ ଥିଲେ । ନିକଟରେ ରାଜସ୍ଥାନରେ ବିକ୍ରି ହୋଇଥିବା ନାବାଳିକା ଜଣକ କୌଶଳକ୍ରମେ ସେଠାରୁ ଖସି ଆସିବା ପରେ ଘଟଣା ପ୍ରଘଟ ହୋଇଥିଲା । ତେଣୁ ତାଙ୍କ ଝିଅକୁ ମଧ୍ୟ ସେ ବିକ୍ରିି କରିଦେଇଥିବା ନେଇ ଯୁବତୀଙ୍କ ବାପା ଚକାପାଦ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ୍ କିଛି ଶୁଣି ନଥିଲା ।
କିଛି ଉପାୟ ନ ପାଇ ଯୁବତୀଙ୍କ ବାପା ଜଣେ ଶାସକ ଦଳର ନେତାଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ରାଜନେତା ଜଣକ ଘଟଣା ବିଷୟରେ ଡିଜିପି ୱାଇ ବି ଖୁରାନିଆଙ୍କୁ ଜଣାଇଥିଲେ । ଡିଜିପିଙ୍କ ନିର୍ଦ୍ଦେଶ ପରେ ଉକ୍ତ ବ୍ୟକ୍ତି ଜଣଙ୍କ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ। ଜୋନ୍ ଏସିପି ଓ ଥାନା ଅଧିକାରୀ ଉକ୍ତ ବ୍ୟକ୍ତିଙ୍କଠାରୁ ସବୁ ଶୁଣିବା ପରେ ଜିରୋ ଏତଲା କରି ଚକାପାଦ ଥାନାକୁ ପଠାଇଥିଲେ । ମାମଲା ରୁଜୁ କରି ଚକାପାଦ ଥାନା ଅଧିକାରୀ ମାଫିଆ ଧ୍ରୁବ ଓ ତା’ର ପ୍ରେମୀକ ତଥା କଥା କଥିତ ପ୍ରେମିକା ମମତାଙ୍କୁ ଉଠାଇ ଆଣିଥିଲା । ଜେରା ବେଳେ ମୁର୍ଶିଦାବାଦରେ ଯୁବତୀଙ୍କୁ ବିକ୍ରି କରିବା କଥା ମାନିଥିଲା । ଖାଲି ସେତିକି ନୁହେଁ ଗତ ୫ ବର୍ଷ ମଧ୍ୟରେ ଏକାଧିକ ନାବାଳିକା ଓ ଯୁବତୀଙ୍କୁ ରାଜ୍ୟ ବହାରକୁ ଚାଲାଣ କରିଥିବା ପୁଲିସ୍ ଜାଣିବାକୁ ପାଇଛି । ଏମାନଙ୍କ ପଛରେ ଏକ ବଡ଼ ରାକେଟ୍ ସକ୍ରିୟ ଥିବା ପୁଲିସ୍ ଜାଣିବାକୁ ପାଇଛି ।