ଭୁବନେଶ୍ୱର, ୧୫।୩: ରାଜ୍ୟ ରାଜନୀତିର ଗୁରୁତ୍ୱପୂର୍ଣ୍ଣ ମୋଡ୍ରେ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଦଳୀୟ ବିଧାୟକଙ୍କ ସଂଖ୍ୟା ଓ ସ୍ଥିତିକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ରଖି ଦଳ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ୧୪ ଜଣ ବିଧାୟକ ଏକଜୁଟ ଅଛନ୍ତି । ଯେଉଁମାନେ ବର୍ତ୍ତମାନ ଅନୁପସ୍ଥିତ ଅଛନ୍ତି, ସେମାନେ ନିଜ ନିଜର କାର୍ଯ୍ୟରେ ବାହାରେ ଅଛନ୍ତି ଏବଂ ଠିକ୍ ସମୟରେ ଆସି ଦଳ ସହ ସାମିଲ ହେବେ । ବିଧାୟକ ଦାଶରଥୀ ଗମାଙ୍ଗ ନିଖୋଜ ଥିବା ନେଇ ଚାଲିଥିବା ଗୁଜବକୁ ଦଳ ଖଣ୍ଡନ କରିଛନ୍ତି ବିଧାୟକ ରାମଚନ୍ଦ୍ର କାଡାମ୍ । ସେ କୌଣସି ସ୍ଥାନକୁ ଯାଇଛନ୍ତି ତାଙ୍କ ସହିତ ପିସିସି ସଭାପତି ନିରନ୍ତର ଯୋଗାଯୋଗରେ ଅଛନ୍ତି । ଦଳୀୟ ନେତୃତ୍ୱ ତାଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଛନ୍ତି । ଅନ୍ୟପଟେ ଶ୍ରୀ ଗମାଙ୍ଗ ସ୍ପଷ୍ଟ କରିଛନ୍ତି ଯେ, ସେ AICCର ସମସ୍ତ ନିଷ୍ପତ୍ତିକୁ ମାନିବେ । ପ୍ରାର୍ଥୀ ଚୟନ କିମ୍ବା କାହାକୁ ସମର୍ଥନ ଦିଆଯିବ, ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି AICC ନେବ । ଦଳର ପ୍ରତ୍ୟେକ ସଦସ୍ୟ ହାଇକମାଣ୍ଡଙ୍କ ନିଷ୍ପତ୍ତି ସହ ରହିବେ ବୋଲି ଦୃଢ଼ୋକ୍ତି ପ୍ରକାଶ ପାଇଛି । ସୋଫିଆ ଫିରଦୋସଙ୍କ ମନ୍ତବ୍ୟ ବାବଦରେ ଅନଭିଜ୍ଞତା ପ୍ରକାଶ କରିବା ସହ କୁହାଯାଇଛି ଯେ, କଂଗ୍ରେସ ଅନ୍ୟ କୌଣସି ଦଳର ନୁହେଁ ବରଂ ନିଜ ଦଳର ନିଷ୍ପତ୍ତିକୁ ହିଁ କାର୍ଯ୍ୟକାରୀ କରିବ ।
ଦଳର ଶୃଙ୍ଖଳା ରକ୍ଷା କରିବା ପାଇଁ ପିସିସି ସଭାପତି ନିଜେ ଦଳୀୟ ଏଜେଣ୍ଟ ଭାବେ ରହି ସମସ୍ତ ପ୍ରକ୍ରିୟାର ତଦାରଖ କରିପାରନ୍ତି । ଫଳରେ ବିଧାୟକମାନେ ଏକାଠି ରହି ଦଳୀୟ ସ୍ୱାର୍ଥ ରକ୍ଷା କରିବେ । କଂଗ୍ରେସ ନିଜର ସମସ୍ତ ୧୪ ବିଧାୟକଙ୍କ ସମର୍ଥନ ଦଳ ପାଖରେ ଥିବା ଦାବି କରିବା ସହ କୌଣସି ପ୍ରକାରର ଅନ୍ତର୍ଦ୍ୱନ୍ଦ୍ୱ ନଥିବା ସ୍ପଷ୍ଟ କରିଛି । ରାଜ୍ୟ କଂଗ୍ରେସର ଶୀର୍ଷ ନେତୃତ୍ୱ ଓ ଦଳର କାର୍ଯ୍ୟଶୈଳୀ ନେଇ କଂଗ୍ରେସ ଵିଧାୟିକା ସୋଫିଆ ଫିର୍ଦ୍ଦୋଷ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସୋଫିଆ କହିଛନ୍ତି ରାଜ୍ୟସଭା ପ୍ରାର୍ଥୀ ଚୟନ ନେଇ ତାଙ୍କ ସହିତ ଅନ୍ୟ କିଛି ବିଧାୟକଙ୍କ ସହ ଦଳର ନେତୃତ୍ୱ କୌଣସି ଆଲୋଚନା କରି ନାହାନ୍ତି । ଏହା ସହ ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର ଅଟକାଇବା ପାଇଁ କଂଗ୍ରେସ ବିଧାୟକ ମାନେ ବେଙ୍ଗାଲୁରୁ ଯିବା ସମ୍ପର୍କରେ ତାଙ୍କୁ ଜଣାଯାଇ ନାହିଁ ବା ଡକାଯାଇ ନାହିଁ ବୋଲି କହିଛନ୍ତି ସୋଫିଆ । ତେଣୁ ସେ ବେଙ୍ଗାଲୁରୁ ଯିବାର କୈ।ଣସି କାରଣ ନାହିଁ ବୋଲି କହିଛନ୍ତି ସୋଫିଆ । ବିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ନେଇ ମଧ୍ୟ ତାଙ୍କ ସହିତ କୌଣସି ଆଲୋଚନା ହୋଇନଥିବା ସୋଫିଆ ସୂଚନା ଦେଇଛନ୍ତି ।
ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦ୍ୱିତୀୟ ପ୍ରର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ନବୀନଙ୍କ ଅଧ୍ୟକ୍ଷତାରେ ମୋଟ୍ ୩୮ ଜଣ ବିଧାୟକ ଉପସ୍ଥିତ ରହିଥିଲେ । ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସନ୍ତ୍ରୁପ୍ତ ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ । ସେହିଭଳି ଆଜି ୬ ଜଣ ବିଧାୟକ ଅନୁପସ୍ଥିତ ରହିଥିଲେ । ନବୀନ ନିବାସରୁ ବୈଠକ ପରେ ପ୍ରତିକ୍ରିୟା ରଖିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ରାଜ୍ୟ ସଭାରେ କେମିତି ଭୋଟ ଦିଆଯିବ ସେ ବିଷୟରେ ତମାମ ଆଲୋଚନା ହେଲା । ଆମେ ସମସ୍ତେ ଉପସ୍ଥିତ ଥିଲୁ । ନବୀନ ବାବୁ ଉପସ୍ଥିତ ଥିବା ଆମ ସମସ୍ତ ବିଧାୟକଙ୍କୁ କହିଲେ ଭଲ ଭାବେ ଭୋଟ ଦେବାକୁ । ନବୀନ ନିବାସରେ ଭୋଟ ମକ୍ ଡ୍ରିଲ ହେଲା । ଶୁକ୍ରବାର ବୈଠକରେ ଅନୁପସ୍ଥିତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନୋହର । କହିଲେ ମୁଁ କାଲି ଦିନରେ ଉପସ୍ଥିତ ଥିଲି । ସନ୍ଧ୍ୟାରେ ନଆସିଲେ ଚଳିବ ବୋଲି କୁହାଯାଇଥିଲା । ବିଧାୟକଙ୍କୁ ଘୋଡ଼ା କହିବା ଭୁଲ୍ । ମାନ୍ୟବର ବିଧାୟକ କହିବା କଥା । ମାନ ସମ୍ମାନ ରଖି, ବୁଝି ବିଚାରି ବିଧାୟକ ମାନେ ଭୋଟ ଦେବା କଥା । ଘୋଡ଼ା ବେପାର ଠିକ୍ ନୁହେଁ । ସେହିପରି ବିଜେପି ବିଧାୟକ ବାବୁ ସିଂ ଙ୍କ ପ୍ରତିକ୍ରିୟା ଉପରେ ରନ୍ଧାରୀ କହିଥିଲେ ଯେ ୨୦୧୦ ରେ କଣ ହେଇଥିଲା ଆଲୋଚନା କଲେ ହେବନି । ଏବେ ବିଧାୟକ କିଣା ବିକା ହେବ ଠିକ୍ ନୁହେଁ । ଆମ ପାଖରେ ସଂଖ୍ୟା ଅଛି । ଆମର ଦୁଇଟି ପ୍ରାର୍ଥୀ ଜିତିବେ ।