ନୂଆଦିଲ୍ଲୀ: ବିଶ୍ୱ ରାଜନୀତି ଏବଂ ପଶ୍ଚିମ ଏସିଆରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଭାରତ ନିଜ ଅର୍ଥବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି । ଯୁଦ୍ଧ ଯୋଗୁଁ କଞ୍ଚାମାଲର ଦରବୃଦ୍ଧି ଏବଂ ପରିବହନ ଖର୍ଚ୍ଚରେ ଅତିଷ୍ଠ ହୋଇପଡ଼ିଥିବା ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ଶିଳ୍ପ ଜଗତକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ସରକାର ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ଏକ ସ୍ୱତନ୍ତ୍ର କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ପ୍ରସ୍ତୁତ କରୁଛନ୍ତି ।

କ’ଣ ଏହି ନୂଆ ଯୋଜନା ?

ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସରକାର ଏହି ମାଷ୍ଟରଷ୍ଟ୍ରୋକ ଲଞ୍ଚ କରିପାରନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କମ୍ପାନୀଗୁଡ଼ିକୁ ସହଜରେ ବ୍ୟାଙ୍କ ଋଣ ଯୋଗାଇଦେବା । ବିଶ୍ୱସ୍ତରୀୟ ଅନିଶ୍ଚିତତା ମଧ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିକୁ ନିରନ୍ତର କାର୍ଯ୍ୟ କରିବା ପାଇଁ ଭରସା ଦେବା । ବଜାରରେ ନଗଦ ଟଙ୍କା ବା ଲିକୁଇଡିଟିର ଅଭାବକୁ ଦୂର କରିବା ।

ଏହା ବି ପଢ଼ନ୍ତୁ... କ୍ଲାସରୁମ୍‌ରେ ପ୍ରଫେସରଙ୍କ 'ରୋମାନ୍ସ' ପ୍ଲାନ୍ ଫେଲ୍, ମେଡିକାଲ ଛାତ୍ରୀଙ୍କୁ ପ୍ରପୋଜ୍ କରି ଚପଲ ମାଡ଼ ଖାଇଲେ

କୋଭିଡ୍ ସମୟର 'ECLGS' ମଡେଲରେ ହେବ କାମ:

ଏହି ନୂତନ ଯୋଜନା କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏମରଜେନ୍ସି କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍(ECLGS) ଭଳି ହେବ । ଏହି ମଡେଲରେ MSME ଏବଂ ବିଭିନ୍ନ ବ୍ୟବସାୟିକ ସଂସ୍ଥାକୁ ବିନା ଗ୍ୟାରେଣ୍ଟିରେ ଋଣ ମିଳିପାରିବ । ସରକାର ନିଜେ ଏହି ଋଣ ପାଇଁ ଗ୍ୟାରେଣ୍ଟର ସାଜିବେ, ଯାହାଫଳରେ ବ୍ୟାଙ୍କଗୁଡ଼ିକ କୌଣସି ଭୟ ନକରି କମ୍ପାନୀଗୁଡ଼ିକୁ ଋଣ ଦେଇପାରିବେ । ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଶିଳ୍ପ ଉପରେ ଯୁଦ୍ଧର ପ୍ରଭାବ ବହୁତ ବଡ଼ ନୁହେଁ, କିନ୍ତୁ ସରକାର ଆଗୁଆ ପ୍ରସ୍ତୁତି କରିବାକୁ ଚାହୁଁଛନ୍ତି । ବିଶେଷ କରି ରପ୍ତାନି କରୁଥିବା କମ୍ପାନୀଗୁଡ଼ିକ ଉପରେ ଚାପ ବଢ଼ୁଥିବାରୁ ସରକାର ସେମାନଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି । ଯଦି କୌଣସି କ୍ଷେତ୍ରରେ ଉତ୍ପାଦନ ବାଧାପ୍ରାପ୍ତ ହୁଏ, ତେବେ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ।

ସରକାର କୋଭିଡ୍ ସମୟରେ ECLGS ଯୋଜନାରେ ସରକାର ୩.୬୨ ଲକ୍ଷ କୋଟି ଟଙ୍କାର ଗ୍ୟାରେଣ୍ଟି ଦେଇଥିଲେ । ଫଳରେ ୧.୧୯ କୋଟି ବ୍ୟବସାୟୀ ଏବଂ ସଂସ୍ଥା ସିଧାସଳଖ ଉପକୃତ ହୋଇଥିଲେ । ୧୩.୫ ଲକ୍ଷ MSME ୟୁନିଟ୍ ବନ୍ଦ ହେବାରୁ ବଞ୍ଚିଯାଇଥିଲେ । ୧.୮ ଲକ୍ଷ କୋଟିର ଋଣ ଟଙ୍କା NPA (Non-Performing Assets) ହେବାରୁ ବଞ୍ଚିଯାଇଥିଲା । ଏହି ସବୁ ସଫଳତାକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଗ୍ଲୋବାଲ ଟେନସନ ବା ବିଶ୍ୱସ୍ତରୀୟ ଚାପକୁ ମୁକାବିଲା କରିବା ପାଇଁ ଏହି ୨.୫ ଲକ୍ଷ କୋଟିର 'ସଞ୍ଜୀବନୀ' ପ୍ଲାନ୍ ଭାରତୀୟ ଶିଳ୍ପ ଜଗତ ପାଇଁ ଏକ ବଡ଼ ଆଶା ସାଜିଛି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସରକାର ଏହି ଯୋଜନାର ସମ୍ପୂର୍ଣ୍ଣ ରୂପରେଖ ସାର୍ବଜନୀନ କରିବେ ବୋଲି ଆଶା କରାଯାଉଛି ।